ରାଉରକେଲା,(ବି.ବି.ବୁ୍ୟରୋ): ବିପିୟୁଟି ପରିସରରେ ନିର୍ମାଣଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର କାର୍ଯ୍ୟ ୨୦୨୨ ଜୁଲାଇ ମାସ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହା ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଖୁବ ଶୀଘ୍ର ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ଧର୍ଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ୍ କ୍ରିଷ୍ଣା ବୁଧବାର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡେ଼ାର ଷ୍ଟାଡିୟମ, ଫୁଟବଲ୍ ଖେଳ ସହ ଆଥଲେଟିକ୍ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପାଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ୍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନ ଘାଟି ଠାରେ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି ।
ଏହାଛଡ଼ା ବିଜୁ ପଟ୍ଟନାୟକ ଇନ୍ଡେ଼ାର ଷ୍ଟାଡିୟମ୍ର ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟ୍ବଲ ଖେଳ ସହ ଆଥଲେଟିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ୍ ଟ୍ରାକ୍ ନିର୍ମାଣ କରାଯାଉଛି । ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି । ତେଣୁ ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ରାଉରକେଲା ବିମାନ ଘାଟିର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ । ଏହାକୁ ଆଗାମୀ ୨୦୨୨ ମେ ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି । ଛେଣ୍ଡ ଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ କାର୍ଯ୍ୟ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ରାଉରକେଲାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ । ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ରାଉରକେଲାରେ ଜେ.ପି. ହସ୍ପିଟାଲକୁ ସରକାରୀ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି । ସେହିପରି ସୁନ୍ଦରଗଡ଼ରେ ଏନ୍ଟିପିସି କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ରହିଛି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି । ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସ୍ରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟ ବୁଲି ଦେଖିଥିଲେ । ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର୍ଯ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ । ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ ଭାବେ ପରିଚିତ କରାଇବ । ପାନପୋଷ ଠାରେ ବ୍ୟାଡ଼ମିଣ୍ଟନ ଏବଂ ଲନ୍ ଟେନିସ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନ୍ଡେ଼ାର ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏଠାରେ ୩ଟି ଇନ୍ଡେ଼ାର ବ୍ୟାଡ୍ମିଣ୍ଟନ କୋର୍ଟ ସହିତ ଆଉଟଡେ଼ାର ଲନ୍ ଟେନିସ କୋର୍ଟ ରହିଛି । ଖେଳାଳିମାନଙ୍କ ଫିଟ୍ନେସ ପାଇଁ ଅତ୍ୟାଧୁନିକ ଜିମ୍ ବ୍ୟବସ୍ଥା କରାଯାଉଛି । ସେହିପରି ଫୁଟବଲ ଖେଳ ସହ ଆଥଲେଟିକ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି । ସଚିବ ସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ।
ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ୱଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ଏହି ପ୍ରତିନିଧି ଦଳ ଆଜି ଛେଣ୍ଡ ଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ । ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ନିଦେ୍ର୍ଧଶ ଦେଇଥିଲେ । ଯାହା ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକମାନ ତଦାରଖ କରିପାରିବେ । ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡ ଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.