ଜଗତସିଂହପୁର,(ବି.ବି.ନୁ୍ୟଜ୍): ୯ ଦିନ ତଳୁ କଟକ ମଧୁପାଟଣା ଥାନା ଅଞ୍ଚଳର ଏକ ଘରୋଇ ନର୍ସିଂହୋମ୍ରୁ ନିଖୋଜ ଥିବା ଜଣେ ନର୍ସଙ୍କ ଗଳିତ ମୃତଦେହ ଆଜି ବିରିଡ଼ି ଥାନାନ୍ତର୍ଗତ ନୂଆପାରୀର ବିଲୁଆଖାଇ ନଦୀପଠାରୁ ଉଦ୍ଧାର କରାଯାଇଛି । ମୃତଦେହଟି ଏକ ଚୋକଡ଼ ଅଖା ଭିତରେ ଭର୍ତ୍ତି ହୋଇଥିବା ବେଳେ ଯୁବତୀଙ୍କ ଦୁଇ ହାତ ବନ୍ଧା ଯାଇଥିଲା । ମୁହଁ ସଂପୂର୍ଣ୍ଣ ନଷ୍ଟ ହୋଇ କେବଳ ଖପୁରୀ ଥିବା ବେଳେ ଶରୀରରେ ନାଲି ରଙ୍ଗର ଲେଗିଙ୍ଗ୍ସ୍ ଓ ଖଇରିଆ ରଙ୍ଗର ଚୁଡ଼ିଦାର ରହିଥିଲା । ସଂପୂର୍ଣ୍ଣ ଶରୀର ପଚି ଯାଇ ପୋକ ସାଲୁବାଲୁ ହେଉଥିଲେ । ମୃତଦେହ ରହିଥିବା ଅଖାର ମୁହଁ ବନ୍ଦ ଥିବା ସତ୍ତେ୍ୱ ମୁଣ୍ଡର ଚୁଟି ବିକ୍ଷିପ୍ତ ଭାବେ ବାହାରେ ପଡ଼ି ରହିଥିଲା । ସମ୍ଭବତଃ ନଦୀରୁ ପାଣି ଛାଡ଼ିବା ପରେ ମୃତଦେହ ଭର୍ତ୍ତି ଅଖାଟି ପଠା ଉପରକୁ ଚାଲି ଆସିଥିଲା । ପରେ ବିଲୁଆ, କୁକୁର ମୃତଦେହକୁ ଭିଡ଼ିବା ଫଳରେ ଚୁଟିର କିଛି ଅଂଶ ଛିଡ଼ି ପଦାକୁ ବାହାରି ଆସିଥିବା ତଦନ୍ତକାରୀ ପୁଲିସ ପକ୍ଷରୁ ଅନୁମାନ କରାଯାଇଛି ।
ଦୁଇ ଦିନ ତଳୁ ବିଲୁଆଖାଇ ନଦୀରେ ଅଖା ବସ୍ତାଟି ଭାସୁଥିବା ସ୍ଥାନୀୟ କିଛି ଲୋକଙ୍କ ନଜରକୁ ଆସିଥିଲା । ତେବେ ଅଖା ବସ୍ତାଟି ପାଣି ଭିତରେ ରହିଥିବାରୁ ଏଥିପ୍ରତି କେହି ସେତେଟା ଗୁରୁତ୍ୱ ଦେଇ ନ ଥିଲେ । କିନ୍ତୁ ଆଜି ସକାଳୁ ପଠା ଉପରେ ଏକ ମୁହଁ ବନ୍ଧା ବସ୍ତା ପଡ଼ି ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ବିରିଡ଼ି ପୁଲିସକୁ ଖବର କରାଯାଇଥିଲା । ଯେହେତୁ ଅଖା ପାଖରେ ଲମ୍ବା ଲମ୍ବା ଚୁଟି ପଡ଼ି ରହିଥିଲା, ତେଣୁ ଏହା ଭିତରେ ଯୁବତୀଙ୍କ ମୃତଦେହ ରହିଥିବା ସନେ୍ଦହ କରାଯାଇଥିଲା । ମାମଲା ସମ୍ବେଦନଶୀଳ ମନେ ହେଉଥିବାରୁ ପୁଲିସ ପକ୍ଷରୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ବନ୍ଦ ଅଖାକୁ ଖୋଲାଯିବା ପରେ ସେଥିରୁ ଯୁବତୀଙ୍କ ଗଳିତ ମୃତଦେହ ବାହାରିଥିଲା । ହାତ ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଅଖାରୁ ମିଳିବା ପରେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଯେହେତୁ ୯ ଦିନ ତଳୁ ମଧୁପାଟଣା ଅଞ୍ଚଳରୁ ଜଣେ ନର୍ସ ନିଖୋଜ ରହିଥିବା ସ୍ଥାନୀୟ ଥାନାରେ ରିପୋର୍ଟ ହୋଇଥିଲା, ତେଣୁ ବିରିଡ଼ି ପୁଲିସ ପକ୍ଷରୁ ଏ ସଂପର୍କରେ ତଦନ୍ତ କରାଯାଇ ମଧୁପାଟଣା ପୁଲିସକୁ ଅବଗତ କରାଯାଇଥିଲା ।
ଖବରଟି ବିଜୁଳି ବେଗରେ ପ୍ରଘଟ ହେବା ପରେ ନିଖୋଜ ନର୍ସଙ୍କ ମା’ ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ପ୍ରତିମା ପାତ୍ର ଓ ଅନ୍ୟ ସଂପର୍କୀୟମାନେ ପ୍ରଥମେ ମଧୁପାଟଣା ଓ ପରେ ବିରିଡ଼ିରେ ଆସି ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି । ମୃତଦେହ ଚିହ୍ନଟ ପରେ ଏହା ହତ୍ୟାକାଣ୍ଡ ବୋଲି ଦର୍ଶାଇ, ଘଟଣା ପଛରେ ବିରିଡ଼ି ହାଜିପୁର ଦୁଦୁରାମପାଟଣାର କିଶୋର ଚନ୍ଦ୍ର ଅଞ୍ଚଳଙ୍କ ସିଧାସଳଖ ସଂପୃକ୍ତି ରହିଥିବା ମୃତ ନର୍ସ ରୂପାଲି ଓରଫ ନିହାରିକା ପାତ୍ର(୨୪)ଙ୍କ ମା’ ପ୍ରତିମା ପାତ୍ରଙ୍କ ପକ୍ଷରୁ ବିରିଡ଼ି ଥାନାରେ ଅଭିଯୋଗ କରାଯାଇଛି । ଉକ୍ତ ଏତଲାରେ ଅଭିଯୁକ୍ତ କିଶୋର ସହ ରୂପାଲିଙ୍କ ବନ୍ଧୁତା ଏବଂ ପ୍ରେମ ସଂପର୍କ ରହିଥିବା ଉଲ୍ଲେଖ କରାଯାଇଛି । ଏହାସହ କିଶୋର ସହିତ ରୂପାଲି ବୁଲିବାକୁ ଯାଇଥିବା ମଧ୍ୟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଛି । ଏପଟେ ପୁଲିସ ଅଭିଯୋଗକୁ ଭିତ୍ତିକରି କିଶୋରଙ୍କୁ ଖୋଜିବା ଆରମ୍ଭ କରିଛି । କିନ୍ତୁ କିଶୋର ଗତ କିଛି ଦିନ ହେବ ନିଖୋଜ ରହିଥିବା ସଂକ୍ରାନ୍ତରେ କିଶୋରଙ୍କ ମା’ ବିରିଡ଼ି ଥାନାରେ ପାଲଟା ଅଭିଯୋଗ କରି ସାରିଛନ୍ତି । ତେଣୁ ପୂରା ଘଟଣାଟି ଅଧିକ ଜଟିଳ ହୋଇ ପଡ଼ିଥିବା ବେଳେ ନର୍ସ ରୂପାଲିଙ୍କୁ କାହିଁକି ହତ୍ୟା କରାଗଲା ତାହାର ପର୍ଦ୍ଧାଫାସ୍ କରିବାକୁ ବିରିଡ଼ି ପୁଲିସ ପୂରା ଦମ୍ରେ ଲାଗି ପଡ଼ିଛି । ନିଜେ ଜଗତସିଂହପୁର ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ବିରିଡ଼ି ଥାନାଧିକାରୀ ପାରୋ ଟୁଡ଼ୁ ଓ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ର ମାମଲାର ଖୋଳତାଡ଼କୁ ତ୍ୱରାନ୍ୱିତ କରିଛନ୍ତି । ପ୍ରାଥମିକ ତଦନ୍ତ ସ୍ୱରୂପ ମୃତଦେହ ପଡ଼ିଥିବା ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଛାନ୍ଭିନ୍ କରାଯାଇଥିଲା । କିନ୍ତୁ ଅଖା ଭିତରୁ ମୃତଦେହକୁ ଛାଡ଼ିଦେଲେ ସେଭଳି କିଛି ଠୋସ୍ ସୁରାକ୍ ପୁଲିିସର ହସ୍ତଗତ ହୋଇପାରି ନାହିଁ । ଅପରପକ୍ଷେ ଏହି ଘଟଣାକୁ ନେଇ ବିରିଡ଼ିର ହାଜିପୁର ସହ କୂଳ କଇଜଙ୍ଗା ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ଶହ ଶହ ସଂଖ୍ୟାରେ ଲୋକ ଆଜି ନଦୀ ପଠାରେ ଭିଡ଼ ଜମାଇଥିବା ବେଳେ ପୁଲିସ ପକ୍ଷରୁ ମୃତଦେହକୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ଅଣାଯାଇଛି । ତେବେ ହତ୍ୟାକାଣ୍ଡ ହୋଇଥିବାରୁ ମୃତଦେହକୁ କଟକ ଏଫ୍ଏମ୍ଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି କହିଛନ୍ତି ଏସ୍ଡିପିଓ ଶ୍ରୀ ପାଲ । ଅଶୀଦଶକର ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ସ୍ଥଳ ବିଲୁଆଖାଇ ନଦୀପଠାରୁ ଆଜି ନିହାରିକାଙ୍କ ଶବ ଭର୍ତ୍ତି ଅଖା ମିଳିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ନିହାରିକାଙ୍କୁ ହତ୍ୟା କରାଯାଇ ବସ୍ତାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦିଆଯାଇଥିବା କୁହାଯାଉଛି ।
Comments are closed, but trackbacks and pingbacks are open.