ବିଶାଖାପାଟଣାରେ ଗ୍ୟାସ୍ ଟ୍ରାଜେଡି:୧୧ ମୃତ, ୨୫ରୁ ଅଧିକ ସଙ୍କଟାପନ୍ନ

Get real time updates directly on you device, subscribe now.

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗୁରୁବାର ବିଷାକ୍ତ ରାସାୟନିକ ଗ୍ୟାସ୍ ଲିକ୍ ହେବା ଯୋଗୁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ୨୫ରୁ ଊଦ୍ଧ୍ୱର୍ ସଂକଟାପନ୍ନ ଅଛନ୍ତି । ୧,୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୫,୦୦୦ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୃତକ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେ‡ୀ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ସଂକଟାପନ୍ନ ଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ଗ୍ୟାସ୍ ଲିକ୍ ଯୋଗୁ ଅସୁସ୍ଥ ହୋଇ ପ୍ରାଥମିକ ଚିକିତ୍ସା ପାଇଥିବା ଲୋକଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଦିଆଯିବାକୁ ଥିବା ବେଳେ ପ୍ରଭାବିତ ହୋଇଥିବା ଅନ୍ୟ ୧୫,୦୦୦ ପରିବାରକୁ ୧୦,୦୦୦ ଟଙ୍କା ଲେଖାଏଁ ଦିଆଯିବ ।
ବିଶାଖାପାଟଣାର ଆର.ଆର. ଭେଙ୍କଟପୁରମ ଗ୍ରାମରେ ଥିବା ଏଲ୍ଜି ପଲିମର୍ସ ଇଣ୍ଡଷ୍ଟ୍ରିର ପ୍ଲାଣ୍ଟରୁ ଗୁରୁବାର ଭୋର ୩ଟାରେ ଅଚାନକ ‘ଷ୍ଟାଇରିନ୍’ ନାମକ ଗ୍ୟାସ୍ ଲିକ୍ ହୋଇଥିଲା । ନିମିଷକେ ମଧ୍ୟରେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଶୋଇଥିବା ଅବସ୍ଥାରେ ଅନେକ ଲୋକ ଏହା ସଂସ୍ପର୍ଶରେ ଆସିଥିଲେ । ସକାଳ ହେବା ପର୍ଯ୍ୟନ୍ତ ଗ୍ୟାସ୍ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଗ୍ୟାସ ଏତେ ବିଷାକ୍ତ ଥିଲା ଯେ ଯିଏ ଯେଉଁଠି ଥିଲା, ସେହିଠାରେ ଟଳିପଡ଼ିଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଧାଁଦଉଡ଼ ଆରମ୍ଭ ହୋଇଯାଇଥିଲା । ରାସ୍ତାଘାଟ, ନାଳ, ପୋଖରୀ, ବଜାର ସବୁଠାରେ ଲୋକମାନେ ଟଳିପଡ଼ିଥିଲେ । ବରିÂ ନାଗରିକ ଏବଂ ଛୋଟ ପିଲା ଅଧିକ ପ୍ରଭାବିତ ହୋଇଥିଲେ । ୧୧ ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ନାବାଳିକା ରହିଛି । ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ପଶୁ, ପକ୍ଷୀ ମରିବା ସହ ଗଛ ପୋଡ଼ିଯାଇଥିଲା ।
ସ୍ଥାନୀୟ ଲୋକଙ୍କ ମୁତାବକ ଗୁରୁବାର ସକାଳେ ପ୍ଲାଣ୍ଟ ନିକଟବର୍ତ୍ତୀ ଅନେକ ସ୍ଥାନରେ ଲୋକମାନେ ଏଠିସେଠି ଅଚେତ ଅବସ୍ଥାରେ ପଡ଼ିଥିଲେ । ସଡ଼କ କଡ଼ରେ ମଧ୍ୟ କିଛି ଲୋକ ମୃତାବସ୍ଥାରେ ପଡ଼ିଥିଲେ । ଲୋକମାନେ ଚାଲୁଥିବା ଅବସ୍ଥାରେ ଟଳି ପଡ଼ୁଥିଲେ । ଛୋଟ ପିଲାଙ୍କୁ କାନ୍ଧରେ ଉଠାଇ କିଛି ଲୋକ ହସ୍ପିଟାଲ ଅଭିମୁଖେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା । ଭୋର ୩ଟା ବେଳେ ହଠାତ୍ ଶ୍ୱାସକ୍ରିୟାରେ ଲୋକେ କଷ୍ଟ ଅନୁଭବ କରିଥିଲେ । ଦେହମୁଣ୍ଡ କୁଣ୍ଡାଇହେବା ସହ ଆଖି ପୋଡ଼ିବାକୁ ଲାଗିଥିଲା । ଏହି ସମୟରେ କିଛି ଲୋକ ଘରୁ ବାହାରକୁ ଚାଲିଆସିଥିଲେ । ଏମିତି କି ଜୀବନ ବିକଳରେ କିଛି ଲୋକ କବାଟ ଭାଙ୍ଗି ବାହାରିବା ପାଇଁ ଚେଷ୍ଟା କରିଥିଲେ ।
ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବାରେ ସହାୟତା କରିଥିଲା । ଏହାପରେ ପୁଲିସ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଥିଲା । ୫ଟି ଗ୍ରାମ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶାଖାପାଟଣା ଜିଲ୍ଲାପାଳ ବିନୟ ଚନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କମ୍ପାନି ବିରୋଧରେ ମାମଲା ରୁଜୁ କରାଯାଇଛି ।
ଗୋପାଳପଟନମ ସର୍କଲ ଇନ୍ସପେକ୍ଟର ରମନୟାଙ୍କ ମୁତାବକ ରାସ୍ତାରେ ପାଖାପାଖି ୫୦ ଲୋକ ଅଚେତ ଅବସ୍ଥାରେ ପଡ଼ିଥିଲେ । କିନ୍ତୁ ଗ୍ୟାସ୍ ବ୍ୟାପିଥିବାରୁ ସେମାନଙ୍କ ନିକଟରେ ପହଞ୍ଚିବା ମୁସ୍କିଲ ହୋଇପଡ଼ିଥିଲା । ବହୁ କଷ୍ଟରେ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁ ଯାନବାହନରେ ଯାଉଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ । ଫଳରେ ଛୋଟମୋଟ ସଡ଼କ ଦୁର୍ଘଟଣା ବି ଘଟିଥିଲା । କିଛି ଲୋକ ଦୌଡ଼ି ପଳାଉଥିବା ବେଳେ ମଧ୍ୟ ରାସ୍ତାରେ ପଡ଼ିଯାଇଥିଲେ । ଲୋକଙ୍କୁ ଉଦ୍ଧାର ପାଇଁ ଅନେକ ସଂଖ୍ୟାରେ ଅଗ୍ନିଶମ ଗାଡିÿ ଏବଂ ଆମ୍ୱୁଲାନ୍ସ ନିୟୋଜିତ କରାଯାଇଥିଲା ।
ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଏମ୍ଜି ରେ‡ୀ କହିଛନ୍ତି, କାରଖାନାରୁ ଗ୍ୟାସ୍ ଲିକ୍ ହେବା ନେଇ ସୂଚନା ମିଳିବା କ୍ଷଣି ଲକ୍ଡାଉନ୍ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ପ୍ରଶାସନକୁ ଏ ନେଇ ସୂଚିତ କରାଯାଇଥିଲା । ଗ୍ୟାସ୍କୁ ହାନିରହିତ ତରଳ ପଦାର୍ଥରେ ପରିଣତ ପାଇଁ ଚେଷ୍ଟା କରାଯାଇଥିଲା । କମ୍ପାନି ବିରୋଧରେ ଏହି ଘଟଣା ପାଇଁ କାର୍ଯ୍ୟାନୁÂାନ ହେବ ବୋଲି ସେ କହିଛନ୍ତି । ପ୍ଲାଣ୍ଟର ୩ କିଲୋମିଟର ବ୍ୟାପୀ ଅଞ୍ଚଳରେ ଲୋକମାନଙ୍କୁ ହଟାଯାଇଥିଲା । ପାଖାପାଖି ୮ ହଜାର ଲୋକଙ୍କୁ ନିଜ ଘର ଖାଲି କରିବାକୁ ପଡ଼ିଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଥିଲା ।
ଗ୍ରେଟର ବିଶାଖାପାଟଣା ନଗର ନିଗମ ପକ୍ଷରୁ ଲୋକଙ୍କୁ ମୁହଁରେ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଥିଲା । ସହାୟତା ପାଇଁ ନୌସେନା ଟିମ୍ ମଧ୍ୟ ପହଞ୍ଚିଥିଲା । ୫୦ ବ୍ରିଦିଙ୍ଗ ସେଟ୍ ଏବଂ ପୋର୍ଟେବଲ ଏୟାର କମ୍ପେ୍ରସର ଥିବା ଦୁଇଟି ଆମ୍ୱୁଲାନ୍ସ ସେମାନେ ଧରି ଆସିଥିଲେ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍କୁ ସେମାନେ ସହଯୋଗ କରିଥିଲେ । ସେପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିବା ସହ ବିଶାଖାପାଟଣାବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଅଧିକାରୀଙ୍କ ସହ ଏକ ଜରୁରି ବୈଠକରେ ଆଲୋଚନା କରିଛନ୍ତି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଥିଲେ ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରେ‡ୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ରେ‡ୀ କିଙ୍ଗ୍ ଜର୍ଜ ହସ୍ପିଟାଲ ପରିଦର୍ଶନ କରି ଗ୍ୟାସ୍ ପ୍ରପୀଡ଼ିତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ଚିକିତ୍ସିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣା ୧୯୮୪ ମସିହାର ଭୋପାଳ ଗ୍ୟାସ୍ ଟ୍ରାଜେଡିକୁ ମନେପକାଇ ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons