ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀଙ୍କ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଏସଏଫ୍ ଯବାନ । ପାଖକୁ ପାଖ ପୋତାଯାଇଥିବା ସାତଟି ଟିଫିନ ଓ ପ୍ରେସର ବୋମାକୁ ଉଦ୍ଧାର କରିବାରେ ସେମାନେ ସକ୍ଷମ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ପଣସପୁଟ ପଞ୍ଚାୟତରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ବୋମା ପୋତିଥିବା ଜଣାପଡିଛି । ଉଦ୍ଧାର ବୋମାଗୁଡ଼ିକୁ ପରେ ବିସ୍ଫୋରଣ ଘଟାଇ ନଷ୍ଟ କରାଯାଇଥିଲା ।
ପଞ୍ଚାୟତର ଗୋରାସେତୁ ନିକଟକୁ ବିଏସଏଫ ଯବାନମାନେ କମ୍ବିଂରେ ଯାଇଥିଲେ । ସୋମବାର ସନ୍ଧ୍ୟାରେ ଫେରୁଥିବା ସମୟରେ ଗୋରାସେତୁ ଟୁଟୁଗନ୍ଧି ଗାଁ ରାସ୍ତାରେ ଥିବା ଏକ କଲଭର୍ଟ ନିକଟରେ ଯବାନଙ୍କ ମେଟାଲ ଡିଟେକ୍ଟର ବିପଦ ସଙ୍କେତ ଦେଇଥିଲା । ତୁରନ୍ତ ଯବାନମାନେ ସତର୍କ ହୋଇଯାଇଥିଲେ । ପରେ ତଲାସୀ କରାଯାଇଥିଲା । ତଲାସୀ ବେଳେ କଲଭର୍ଟ ନିକଟ ରାସ୍ତାରେ ଏଗୁଡ଼ିକ ପୋତା ହୋଇ ରହିଥିଲା । ଅତ୍ୟନ୍ତ ସାବଧାନତାର ସହିତ ବୋମାଗୁଡିକୁ ଉଦ୍ଧାର କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ବୋମାଗୁଡିକୁ ଜଙ୍ଗଲ ମଧ୍ୟରେ ବିସ୍ଫୋରଣ କରି ନଷ୍ଟ କରାଯାଇଥିଲା । ସୂଚନାଥାଉକି, ଗତ କିଛି ମାସ ହେଲା ସ୍ୱାଭିମାନ ଅଞ୍ଚଳରେ ଲଗାତାର ବିଏସ୍ଏଫ, ଡିଭିଏଫ ଏବଂ ଏସଓଜି ଯବାନମାନେ କମ୍ବିଂ ଓ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏଥିରେ ମାଓବାଦୀମାନେ ଭୟଭୀତ ହୋଇ ସେମାନଙ୍କୁ ଟାର୍ଗେଟ କରୁଛନ୍ତି । ଯବାନଙ୍କ ଚଲାପଥରେ ଲ୍ୟାଣ୍ଡମାଇନ, ପ୍ରେସର ବୋମା, ଟିଫିନ ବୋମା ଆଦି ଖଞ୍ଜୁଛନ୍ତି ।
Comments are closed, but trackbacks and pingbacks are open.