ପାଟନା: ବିହାରରେ ସରକାରୀ ବ୍ୟବସ୍ଥାକୁ ଚାଲେଞ୍ଜ କରି ଜଣେ ବ୍ୟକ୍ତି ଏକ ସମୟରେ ୩ଟି ଜିଲ୍ଲାରେ ଚାକିରି କରିବା ଓ ୩୦ ବର୍ଷ ହେଲା ୩ଟି ସ୍ଥାନରୁ ଦରମା ନେବା ପରେ ଏବେ ଧରାପଡି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ହେଲେ ସୁରେଶ ରାମ । ୧୯୮୮ ଫେବ୍ରୁଆରୀ ୨୦ରେ ତାଙ୍କୁ ରାଜ୍ୟ ସଡକ ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ସେଠାରେ ସେ ଚାକିରି କରି ଦରମା ପାଇବାକୁ ଲାଗିଲେ । ପ୍ରାୟ ବର୍ଷକ ପରେ ପାଟନା ଜଳସମ୍ପଦ ବିଭାଗରୁ ତାଙ୍କ ନିକଟକୁ ନିଯୁକ୍ତି ଚିଠି ଆସିଥିଲା । ସେଠାରେ ସେ ନିଜର ସମସ୍ତ ଦସ୍ତାବିଜ ଦାଖଲ କରି ୧୯୮୯ ଜୁଲାଇ ୨୮ରେ ଯନ୍ତ୍ରୀ ଭାବେ ଚାକିରି କଲେ । ତୃତୀୟ ଚିଠି ମଧ୍ୟ ସେହିବର୍ଷ ଜଳସମ୍ପଦ ବିଭାଗରୁ ସହକାରୀ ଯନ୍ତ୍ରୀ ଭାବେ ମିଳିଥିଲା । ତାକୁ ବି ସେ ଛାଡିଲେ ନାହିଁ । ସୁପୌଲ ଜିଲ୍ଲାର ଭିମନଗର ପୂର୍ବ ବନ୍ଧରେ ଚାକିରି କଲେ । ଏକ ସମୟରେ ୩ଟି ସ୍ଥାନରେ ଚାକିରି କରି ପ୍ରତିମାସରେ ଦରମା ପାଇବାକୁ ଲାଗିଲେ । ଏପରିକି ୩ଟି ଯାକ ଚାକିରିରେ ତାଙ୍କର ବଦଳି ହେଉଥିଲା ଓ ପଦୋନ୍ନତି ମଧ୍ୟ ହୋଇଥିଲା । ପ୍ରାୟ ୩୦ ବର୍ଷ ଧରି ସେ ୩ଟି ସ୍ଥାନରେ ଚାକିରି କରି ଦରମା ଆକାରରେ ବିପୁଳ ଟଙ୍କା ନେଇଥିଲେ । ନିକଟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ନୂଆ ସେଣ୍ଟ୍ରାଲାଇଜ୍ଡ ଫଣ୍ଡସ୍ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏଫଏମ୍ଏସ୍)ରେ ତାଙ୍କର ଏହି କାରନାମା ଧରାପଡିଥିଲା । ଅର୍ଥ ବିଭାଗ ପକ୍ଷରୁ ଆୟ, ବ୍ୟୟ ଓ କର୍ମଚାରୀଙ୍କ ସମ୍ପଣ୍ଟି ଉପରେ ନଜର ରଖିବାକୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଯେଉଁଥିରେ କର୍ମଚାରୀଙ୍କ ପାନକାର୍ଡ, ଆଧାର ନମ୍ବର ଓ ଜନ୍ମ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ଏସବୁ ପ୍ରମାଣପତ୍ରକୁ ଯାଞ୍ଚ କରାଯିବା ବେଳେ ସୁରେଶ ରାମ ନାମ ଧାରୀ ୩ ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ସ୍ଥାନରେ ଚାକିରି କରୁଥିବା ମାମଲା ସାମ୍ନାକୁ ଆସିଲା । ଏହା ଉପରେ ସନ୍ଦେହ ହେବାରୁ ସେମାନଙ୍କର ପ୍ୟାନକାର୍ଡ ଓ ଆଧାର କାର୍ଡକୁ ଯାଞ୍ଚ କରାଗଲା । ତେବେ ଯାଞ୍ଚରୁ ଏହା ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଲା । ଏହି ଘଟଣା ପରେ ଅର୍ଥ ବିଭାଗ ପକ୍ଷରୁ ସୁରେଶ ରାମଙ୍କୁ ନିଜର ସମସ୍ତ ଦସ୍ତାବିଜ ସହିତ ହାଜର ହେବାକୁ ନୋଟିସ ଜାରି କରାଗଲା । ମାତ୍ର ସେ ଏକଥା ଜାଣିବା ପରେ ଫେରାର ହୋଇଯାଇଛନ୍ତି । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।ଗୃହ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଧୁସୂଦନ କୁମାର କର୍ଣ୍ଣଙ୍କ କହିବାନୁଯାୟୀ ସିଏଫଏମ୍ଏସ୍ ବ୍ୟବସ୍ଥାରୁ ସମାନ ନାମ ଓ ସମାନ ଜନ୍ମ ତାରିଖ ଥିବା ବ୍ୟକ୍ତି ୩ଟି ସ୍ଥାନ କିଶନଗଞ୍ଜ, ସୁପୌଲ ଓ ବାଙ୍କାରେ ଚାକିରି କରୁଥିବା ଜଣାପଡିଲା । ଏହା କିଭଳି ସମ୍ଭବ ହେଲା ତା’ଉପରେ ଅଧିକ ଖୋଳତାଡ କରାଯିବାରୁ ସେ ଜଣେ ବୋଲି ଜଣାପଡିଥିଲା । ଆଉ କିଛି ବର୍ଷ ପରେ ସେ ଅବସର ନେଇଥାନ୍ତେ । ଫେରାର ସୁରେଶ ରାମ ଗତ ୩୦ ବର୍ଷ ହେଲା ସରକାରୀ ଅଧିକାରୀଙ୍କୁ ଚକମା ଦେଇ ଦରମା ନେଉଥିବା ବେଳେ ତାକୁ କେହି ଧରି ନପାରିବା ବ୍ୟବସ୍ଥାଗତ ତ୍ରୁଟି ବୋଲି କୁହାଯାଉଛି । ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ନିୟମିତ ଭାବେ ଅଫିସକୁ ନଯାଇ କିଭଳି ଏକ ସମୟରେ ୩ଟି ସ୍ଥାନରେ କାର୍ଯ୍ୟ କରୁଥିଲେ ଓ ମାସକୁ ମାସ ଦରମା ନେଉଥିଲେ ତାହା ଆଶ୍ଚର୍ଯ୍ୟଜନକ । ଏଥିରେ ଅନ୍ୟ କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । କାରଣ ଅନ୍ୟମାନଙ୍କ ସହାୟତା ବିନା ସୁରେଶ ରାମ ଏଭଳି କରିବା ଆଦୌ ସମ୍ଭବ ନୁହେଁ ।
Comments are closed, but trackbacks and pingbacks are open.