ବରୀ,(ବି.ବି.ନୁ୍ୟଜ୍): ଜଣେ ମହିଳା ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିଲେ । ରତଳାଙ୍ଗ ସେତୁ ଉପରେ ଯାତାୟାତ କରୁଥିବା କିଛି ଲୋକ ତାଙ୍କୁ ଦେଖିଥିଲେ । ମହିଳାଜଣକ ବଞ୍ଚାଅ ବଞ୍ଚାଅ ବୋଲି ହୁରି ପକାଇବା ସହ ହାତ ଠାରୁ ଥିଲେ । ହେଲେ ନଦୀର ପ୍ରଖର ସ୍ରୋତରୁ ତାଙ୍କୁ ଉଦ୍ଧାର କରିବାକୁ କେହି ସାହସ ଜୁଟାଇ ପାରୁନଥିଲେ । ସମସ୍ତେ ହତବାକ୍ ହୋଇପଡ଼ିଥିଲେ । କାହା ମୁଣ୍ଡରେ କିଛି ବୁଦ୍ଧି ପଶୁନଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଜଣେ ଯୁବକ ଯାଉଥିଲେ । ମହିଳା ଜଣକ ଭାସିଯାଉଥିବା ଦେଖି ତିଳେ ମାତ୍ର ଡେରି କରିନଥିଲେ । ନିଜ ଜୀବନକୁ ବାଜି ଲଗାଇ ନଦୀର ପ୍ରଖର ସ୍ରୋତକୁ ଲମ୍ଫ ମାରିଲେ । ପହଁରି ପହଁରି ଯାଇ ମଝି ନଈରୁ ମହିଳାଙ୍କ ହାତକୁ ଧରି ପକାଇଲେ । ପରେ ବହୁ କଷ୍ଟରେ ଗୋଟିଏ ହାତରେ ପହଁରି ପହଁରି ମହିଳାଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ । ଯୁବକଙ୍କ ଏତାଦୃଶ କାର୍ଯ୍ୟ ଦେଖି ଉପସ୍ଥିତ ଲୋକେ ତାଙ୍କ ସାହସରେ ଶତମୁଖ ହୋଇପଡ଼ିଛନ୍ତି ।
ସୂଚନା ମୁତାବକ, ବରୀ ବ୍ଲକ ଉଦୟନାଥପୁର ଗ୍ରାମର ବୃନ୍ଦାବନ ଦାଶଙ୍କ ପତ୍ନୀ ସୀତାରାଣୀ ଦାଶ(୬୦) ଆଜି ଖରସ୍ରୋତାର ଶାଖା ଚିଙ୍ଗୁଡ଼ିଆ ନାଳକୁ ଶୌଚ ହେବା ପାଇଁ ଯାଇଥିଲେ । ଶୌଚ ହେଉଥିବା ବେଳେ ଗୋଡ଼ ଖସି ଯିବାରୁ ସୀତା ନଦୀର ପ୍ରଖର ସ୍ରୋତରେ ଭାସି ଭାସି ପ୍ରାୟ ଅଧ କିମି ଦୂରକୁ ଚାଲି ଯାଇଥିଲେ । ନଦୀ ମଧ୍ୟକୁ ଚାଲି ଯାଉଥିବାରୁ ମହିଳାଜଣକ ନିଜକୁ ବଞ୍ଚାଇବା ପାଇଁ ଚି+ାର କରି ଡାକୁଥିଲେ । ରତଳାଙ୍ଗ ସେତୁ ଉପରେ କିଛି ଲୋକ ତାଙ୍କୁ ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତକୁ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ସମୟରେ ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମର ଆତୁଳ ମଲ୍ଲିକଙ୍କ ପୁଅ ଭ୍ରମରବର କବାଡ଼ିଆ ବେପାର କରିବାକୁ ଗାଁକୁ ଯାଉଥିଲେ । ରାସ୍ତାରେ ଏତେ ଲୋକ ରୁଣ୍ଡ ହୋଇଥିବା ଦେଖି କାରଣ ପଚାରି ବୁଝିଲେ । ନଦୀରେ ମହିଳା ଜଣକ ଭାସି ଯାଉଥିବା ଦେଖି ଭ୍ରମରବର ତୁରନ୍ତ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । କିଛି ସମୟ ମଧ୍ୟରେ ମହିଳାଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ । ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ତାଙ୍କୁ ବାଇକ୍ ଯୋଗେ ବରୀ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୀତା ସୁସ୍ଥ ଥିବା ଜଣାପଡ଼ିଛି । ତ୍ରାଣକର୍ତ୍ତା ସାଜି ସୀତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଥିବା ଭ୍ରମରବରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କୁ ସାହସିକତା ପୁରସ୍କାର ପାଇଁ ବରୀ ଅଞ୍ଚଳର ବିଭିନ୍ନ ମହଲରୁ ଦାବି ହୋଇଛି ।
Comments are closed, but trackbacks and pingbacks are open.