ବୁଡେ଼ଇବ:ହୀରାକୁଦ ଖୋଲିଲା ୪୦ ଗେଟ୍

Get real time updates directly on you device, subscribe now.

ଭୁବନେଶ୍ୱର(ବି.ବି.ବୁ୍ୟରୋ): ମହାନଦୀରେ ଆସୁଛି ଭୀଷଣ ବନ୍ୟା । ସମ୍ବଲପୁରରୁ ଜଗତସିଂହପୁର ଯାଏଁ ତଳିଆ ଅଞ୍ଚଳକୁ ବୁଡେ଼ଇବ । ଶୁକ୍ରବାର ରାତିରେ ସମ୍ବଲପୁର, ବୌଦ୍ଧ, ସୋନପୁରର ତଳିଆ ଅଞ୍ଚଳକୁ ମାଡ଼ିଗଲାଣି ବନ୍ୟା ଜଳ । ଡର ପଶିଲାଣି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀର ନଦୀ ପାଶ୍ୱର୍ ତଳିଆ ଅଞ୍ଚଳରେ ।
ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ମହାନଦୀ ଭୟଙ୍କର ରୂପ ନେବାରେ ଲାଗିଛି । ଶୁକ୍ରବାର ରାତି ୯ଟାବେଳେ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୧୫ ହଜାର ୭୪୭ ଘନଫୁଟ ପାଣି ପ୍ରବେଶ କରୁଥିଲା । ଆକଳନ କରାଯାଉଛି, ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୮ ଲକ୍ଷ ଘନଫୁଟରୁ ଅଧିକ ପାଣି ଆସିପାରେ । ଶନିବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡୁଳିରେ ସାଢେ଼ ୧୦ ଲକ୍ଷରୁ ୧୧ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବା ଆଶଙ୍କା ଅଛି ।
ଶୁକ୍ରବାର ରାତି ୯ଟାବେଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୫.୬୭ ଫୁଟ୍ ଥିଲା । କ୍ରମଶଃ ଜଳସ୍ତର ବଢ଼ୁଛି । ସେକେଣ୍ଡ ପିଛା ୭ ଲକ୍ଷ ୧୫ ହଜାର ୭୪୭ ଘନଫୁଟ ପାଣି ଜଳଭଣ୍ଡାରକୁ ପଶୁଥିବାବେଳେ ୬ ଲକ୍ଷ ୫୮ ହଜାର ୫୭୦ ଘନଫୁଟ ପାଣି ଛଡ଼ାଯାଉଥିଲା । ଏଥିପାଇଁ ୪୦ଟି ଗେଟ୍ ଖୋଲାଯାଇଛି । ସକାଳ ୬ଟାବେଳେ ୨୦ଟି ଗେଟ୍ ଖୋଲିଥିଲା ହୀରାକୁଦରେ । ସନ୍ଧ୍ୟା ସୁଦ୍ଧା ଆଉ ୨୦ଟି ଗେଟ୍ ଖୋଲିଛି ।
ଶୁକ୍ରବାର ରାତି ୯ଟାବେଳେ ଖଇରମାଳ ନିକଟରେ ୯ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ବରମୁଳରେ ୮,୬୨,୫୦୦ ଘନଫୁଟ ପାଣି ଚାଲିଥିବାବେଳେ ମୁଣ୍ଡୁଳିରେ ପ୍ରବାହିତ ହେଉଥିଲା ୭ ଲକ୍ଷ ୩୬ ହଜାର ୭୫୪ ଘନଫୁଟ୍ ଜଳ ।
ଆକଳନ କରାଯାଉଛି, ଶନିବାର ଭୋର ସୁଦ୍ଧା ମୁଣ୍ଡୁଳିରେ ୯ ଲକ୍ଷ ଘନଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବ । ମଧ୍ୟାହ୍ନ ପରେ ୧୧ ଲକ୍ଷ ଘନଫୁଟ ଛୁଇଁପାରେ ।
ମହାନଦୀ ରୂପ ଦେଖି ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ୧୨ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ସମ୍ବଲପୁର, ବରଗଡ଼, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ।
ବିଶେଷଜ୍ଞଙ୍କ ଆକଳନ କହୁଛି, ଶୁକ୍ରବାର ରାତିରେ ସମ୍ବଲପୁରର ତଳି ଅଞ୍ଚଳ, ସୋନପୁର ଓ ବୌଦ୍ଧର ନଦୀ କୂଳ ତଳି ଅଞ୍ଚଳକୁ ମାଡ଼ିଯିବ ବନ୍ୟା ଜଳ । ଶନିବାର ସକାଳ ଭିତରେ ନୟାଗଡ଼ର ଗଣିଆ, ଖଣ୍ଡପଡ଼ା, କଣ୍ଟିଲୋ ସହ କଟକର ବାଙ୍କି, ତିିଗିରିଆ, ବଡ଼ମ୍ବା, ନରସିଂହପୁରର ନଦୀ ପାଶ୍ୱର୍ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । କେତେକ ରାସ୍ତା ବୁଡ଼ିଯିବ ସକାଳୁ ସକାଳୁ ।
ମହାନଦୀ ଫୁଲି ଚାଲିଥିବାବେଳେ ବିରୁପା, ଲୁଣା, ଚିତ୍ରୋପôଳା, କାଠଯୋଡ଼ି, ଦେବୀ, ଦୟା, କୁଆଖାଇ, କୁଶଭଦ୍ରାରେ ଜଳସ୍ତର ବଢ଼ିବାରେ ଲାଗିଛି । ଏସବୁ ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ରାତି ୯ଟାବେଳେ ନରାଜରେ ମହାନଦୀ ସଙ୍କେତ ପାଖାପାଖି ପ୍ରବାହିତ ହେଉଥିଲା । ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବାବେଳେ ୨୬.୧୩ ମିଟର ଛୁଇଁଥିଲା ଜଳସ୍ତର ।
ମହାନଦୀର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସମୀକ୍ଷା କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତ ରହିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ମହାନଦୀ ତଳମୁଣ୍ଡ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ସ୍ଥିତି ନେଇ ଜିଲ୍ଲାପାଳଙ୍କୁ ସତର୍କ ଓ ସଜାଗ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ମହାନଦୀ ଓ ସମସ୍ତ ଶାଖା ନଦୀଗୁଡ଼ିକର ବନ୍ଧ ଉପରେ ତୀକ୍ଷ୍ମଣ ନଜର ରଖିବାକୁ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନଦୀ ବନ୍ଧରେ ଘଳିଆ ପଡ଼ିଲେ କିମ୍ବା ଘଳିଆ ପଡ଼ିବା ଆଶଙ୍କା ଥିଲେ, ତୁରନ୍ତ ମରାମତି କରାଯିବ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ମହାନଦୀ ତଳମୁଣ୍ଡରେ ଗତକାଲିଠାରୁ ବିଶେଷ ବର୍ଷା ହୋଇନାହିଁ । ମହାନଦୀ ଅବବାହିକା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଉଛି । ନଦୀ ବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ କୁହାଯାଇଛି । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ମହାନଦୀ ଅବବାହିକା ଜିଲ୍ଲାକୁ ଅତିରିକ୍ତ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପଠାଯାଇଛି ।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ରହିଛି । ହୀରାକୁଦରୁ ମୁଣ୍ଡୁଳିକୁ ପାଣି ଆସିବାକୁ ୩୬ ଘଣ୍ଟା ସମୟ ଲାଗିବ ।
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର ଧୀରେଧୀରେ କମୁଛି । ତଥାପି ଯାଜପୁରରେ ବନ୍ୟା ସ୍ଥିତି ଉଦ୍ବେଗଜନକ ରହିଛି । ଜିଲ୍ଲାର ୧୦ଟି ବ୍ଲକ ଓ ଗୋଟିଏ ମୁ୍ୟନିସିପାଲିଟିର ୧୦୮ଟି ପଞ୍ଚାୟତର ୪୭୧ ଗାଁର ୩ ଲକ୍ଷ ୭୭ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତାରେ ୨୧ଟି ଜାଗାରେ ଘାଇ ହୋଇଛି । ବରୀରେ ସର୍ବାଧିକ ୧୪ଟି ଘାଇ ହୋଇଛି । କୋରେଇ, ବିଞ୍ଝାରପୁର, ରସୁଲପୁର, ଦଶରଥପୁର, ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳ ପାଣି ଘେରରେ ରହିଛି ।
କାନ୍ଥ ପଡ଼ିବାରୁ ଯାଜପୁର ତହସିଲର ବାଲିପୋଖରୀ ଗାଁରେ ଜଣେ ୩ ମାସର ଶିଶୁକନ୍ୟାର ମୃତୁ୍ୟ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ୧୦୦ରୁ ଅଧିକ ଘର ଭାଙ୍ଗିଛି । ରସୁଲପୁରରେ ବ୍ରାହ୍ମଣୀ ଘାଇ ଯୋଗୁ ଦୁଇ ମହଲା କୋଠା ଘର ଭାସିଯାଇଛି ।
ବାଲେଶ୍ୱର ଭୋଗରାଇ ବ୍ଳକରେ ୩୭ଟି ଗାଁ, ବାଲିଆପାଳରେ ୪୫ ଗାଁ, ରେମୁଣାରେ ୨୫ ଗାଁ, ସଦର ବ୍ଲକର ୨୫ଟି ଗାଁ, ବସ୍ତାରୁ ୧୩ଟି ଗାଁ, ବାହାନଗାରେ ୭ଟି ଗାଁ, ଜଳେଶ୍ୱର ବ୍ଲକର ୫ଟି ଗାଁ ବନ୍ୟା ପାଣି ଘେରରେ ରହିଛି । ୨୦ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୧୭୮ଟି ଘର ଭାଙ୍ଗିଥିବାବେଳେ ୨୬ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି ।
ଭଦ୍ରକର ଧାମନଗରରେ ୮୨ଟି ଗାଁ ପାଣି ଭିତରେ ଥିବାବେଳେ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ଭଦ୍ରକରେ ପ୍ରାୟ ୮୦ ହଜାର ଲୋକେ ଜଳବନ୍ଦୀ ଅଛନ୍ତି ।
ବନ୍ୟା ପାଣିରେ ଢେଙ୍କାନାଳ ସଦର ବ୍ଲକର ଗେଙ୍ଗୁଟିଆରେ ୩ଜଣ ଯୁବକ ଭାସିଯାଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଭୁବନରେ ଜଣେ ବ୍ରାହ୍ମଣୀ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି ।
କେନ୍ଦୁଝରରେ ବନ୍ୟା ସ୍ଥିତି ସୁଧୁରୁଛି । ଆନନ୍ଦପୁର ପୌର ପରିଷଦର ଅରଖିପାଳ ସାହିରେ ୧୦ ପରିବାର ଜଳବନ୍ଦୀ ଅଛନ୍ତି । ତୁରୁମୁଙ୍ଗା ପୋଲରେ ପୁଣି ଥରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି ।
ମୟୂରଭଞ୍ଜରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି । ବୁଢ଼ାବଳଙ୍ଗ ଜଳସ୍ତର କମୁଥିବାବେଳେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ହୋଇଛି ।
ବ୍ରାହ୍ମଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରେଙ୍ଗାଳିର ୪ଟି ଗେଟ୍ ଖୋଲାଯାଇଛି । ରାତି ୯ଟାବେଳେ ଜେନାପୁରରେ ବ୍ରାହ୍ମଣୀ ଜଳସ୍ତର ୨୩.୨୬ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୩ ମିଟର । ହେଲେ କ୍ରମଶଃ ପାଣି କମୁଛି । ପାନପୋଷରେ ବି ଜଳସ୍ତର କମୁଛି । ବିପଦ ସଙ୍କେତଠାରୁ ପ୍ରାୟ ୩ ମିଟର ତଳେ ରହିଛି ।
ସୁବର୍ଣ୍ଣରେଖା ଧୀରେ ଧୀରେ ଖସୁଛି । ତଥାପି ରାତି ୯ଟାବେଳେ ରାଜଘାଟରେ ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଥିଲା । ଜଳସ୍ତର ୧୦.୬୦ ମିଟର । ଜାମଶୋଳାଘାଟରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି । ବିପଦ ସଙ୍କେତ ସ୍ତର ୪୯.୧୫ ମିଟର ହୋଇଥିବାବେଳେ ଜଳସ୍ତର ୪୮.୭୬ ମିଟର ।
ରାତି ୯ଟାବେଳେ ବୈତରଣୀ ଜଳସ୍ତର ଆଖୁଆପଦାରେ ୧୮.୭୬ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର । ଜଳସ୍ତର କମୁଛି । ଆନନ୍ଦପୁରରେ ଜଳସ୍ତର ଏବେ ବିପଦ ସଙ୍କେତ ତଳେ ରହିଛି । ଜଳସ୍ତର ୩୬.୭୫ ମିଟର ଥିଲା । କ୍ରମଶଃ ପାଣି କମୁଛି ।
ବୁଢ଼ାବଳଙ୍ଗ ଜଳସ୍ତର ହ୍ରାସ ପାଉଛି । ବିପଦ ସଙ୍କେତ ତଳେ ରହିଛି । ଏନଏଚ୍-୫ ନିକଟରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର । ଜଳସ୍ତର ୭.୩୪ ମିଟର ଥିଲା ରାତି ୯ଟାବେଳେ ।
ଏବେ ବି ଜଳକା ବିପଦ ସଙ୍କେତ ଉପରେ ରହିଛି । ରାତି ୯ଟାବେଳେ ମଥାନିରେ ୬.୫୫ ମିଟରରେ ପ୍ରବାହିତ ହେଉଥିଲା ଜଳକା । ବିପଦ ସଙ୍କେତ ସ୍ତର ୫.୫୦ ମିଟର । ଜଳକା ଧୀରେଧୀରେ କମୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons