ବୁଢ଼ାବଳଙ୍ଗ ହଳଦିଆ ଘାଟରେ ପୁଣି ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଘାଟରେ ଦୁର୍ଘଟଣା ପିଛା ଛାଡୁନି । ଜିଲ୍ଲା ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତବର୍ଷର ଘଟଣା ମନରୁ ଲିଭି ନ ଥିବାବେଳେ ରବିବାର ସନ୍ଧ୍ୟାରେ ଏହାର ପୁନରାବୃତ୍ତି ଘଟିଛି । ଏହି ଘାଟରେ ପୁଣି ଏକ ଯାତ୍ରୀବହୀ ଡଙ୍ଗା ବୁଡ଼ିଛି । ଘାଟରୁ ଅଳ୍ପ କେଇ ମିଟର ଦୂରରେ ଏଭଳି ଅଘଟଣ ଘଟିଥିବାରୁ ଯାତ୍ରୀମାନେ ପହଁରି କୂଳକୁ ପଳାଇ ଆସିଛନ୍ତି ।ଘଟଣାରେ କାହାର କିଛି କ୍ଷତି ହୋଇନି ।
ଘଟଣାରୁ ପ୍ରକାଶ, ରବିବାର କଲ୍ୟାଣପୁର ହାଟ ଥିଲା । ସବୁ ହାଟ ପାଳି ଭଳି ଆଖାପାଖ ୧୦ଟି ଗ୍ରାମର ଲୋକେ ବୁଢ଼ାବଳଙ୍ଗ ନଦୀରେ ଥିବା ଏହି ଘାଟ ଦେଇ ହାଟ ସୌଦା ଆଣିବାକୁ ଯାଇଥିଲେ । ପ୍ରାୟ ସନ୍ଧ୍ୟା ୭ଟା ୩୦ରେ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ହାଟ ସାରି ଘରକୁ ଫେରିଥିଲେ । ହଳଦୀଆ ଘାଟରୁ ସେମାନେ ଏକ ପୁରୁଣା ଡଙ୍ଗାରେ ନଦୀ ପାର ହେଉଥିଲେ । ଡଙ୍ଗାଟି ଘାଟରୁ କିଛି ମିଟର ଯିବା ପରେ ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଯାତ୍ରୀମାନେ ପହଁରି ପହଁରି ନଦୀ କୂଳକୁ ଆସିଥିଲେ । ମାତ୍ର ଡଙ୍ଗାରେ ଥିବା ବାଇକ୍, ସାଇକେଲ, ଅନାନ୍ୟ ସାମଗ୍ରୀ ପାଣିରେ ଭାସି ଯାଇଛି ।
ଖବର ପ୍ରଚାର ହେବା ପରେ ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁ ନାୟକଙ୍କ ସମେତ ହଳଦିପଦା ଫାଣ୍ଡି, ରେମୁଣା ଥାନାର ସମସ୍ତ ପୁଲିସ୍, ଓଡ୍ରାଫ, ଏନ୍ଡିଆରଏଫ ଟିମ୍, ଅଶ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପ୍ରଶାସନିକ ଅଧିକାରୀ ଭାବେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଏହି ଘାଟ ଉପରେ ରେମୁଣା ବ୍ଲକର ବଡ଼ପାଳ, ଗନିପୁର, ମନ୍ଦାରପୁର, କଲ୍ୟାଣପୁର, ଦୁର୍ଗାଦେବୀ, ରେମୁଣା ପଞ୍ଚାୟତର ୬୫ ଗ୍ରାମର ୬୦ ହଜାରରୁ ଊଦ୍ଧ୍ୱର୍ ଲୋକ ନିର୍ଭର କରନ୍ତି । ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ । ଦାବିକୁ ଦୃଷ୍ଟିରେ ରଖି ଏଠାରେ ଏକ ପୋଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୦୧୨ ମସିହାରେ ପୋଲ କାମ ଆରମ୍ଭ ହୋଇଥିଲା । ପ୍ରାୟ ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବଜେଟ୍ରେ ନିର୍ମିତ ହୋଇଥିବା ଏହି ପୋଲ ୨୦୧୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଠିକାଦାର ପ୍ରହ୍ଲାଦ ବାଗ୍ଙ୍କୁ ପୋଲ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲ । ମାତ୍ର ପ୍ରଶାସନର ଉଦାସୀନତା ଯୋଗୁଁ ଏହି କାମ ଏବେ ବି ଅଧପନ୍ତରା ହୋଇ ପଡ଼ିଛି । ପୋଲ କାମ ଶେଷ ହୋଇ ନ ଥିବାରୁ ଲୋକେ ବିପଜ୍ଜନକ ଭାବେ ଡଙ୍ଗାରେ ନଦୀ ପାର ହେଉନ୍ତି । ଗତବର୍ଷ ଏଠାରେ ଡଙ୍ଗା ଦୁର୍ଘଟଣା ଘଟିଥିଲା । ଏଥିରେ ଜଣଙ୍କ ମୃତୁ୍ୟ ହୋଇଥିଲା । ତୁରନ୍ତ ଏହି ପୋଲର ନିର୍ମାଣ କାମ ଶେଷ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons