
ବ୍ରହ୍ମପୁର, (ବି.ବି.ନୁ୍ୟଜ): ଚଳିତ ବର୍ଷ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରାକୁ ମାତ୍ର ସାତ ଦିନ ପାଇଁ ଅନୁମତି ମିଳିଛି । ବିଏମ୍ସି କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଶନିବାର ରାତିରେ ଯାତ୍ରା ଆୟୋଜକଙ୍କ ସହ ଆଲୋଚନା କରିବା ପରେ ରବିବାର ଅପରାହ୍ଣରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯାତ୍ରାକୁ କରିବାକୁ ଅନୁମତି ପ୍ରଦାନ କରାଯାଇଥିବା ଟ୍ୱିଟ୍ କରି ଜଣାଇଛନ୍ତି । ବର୍ତ୍ତମାନ ଯାତ୍ରା ପାଇଁ ୭ଦିନ ସମୟ ଦିଆଯାଇଛି । ଆଗକୁ କୋଭିଡ୍ ସ୍ଥିତି ଦେଖିବା ପରେ ଯାତ୍ରା ସମୟ ବଢ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ବାହାର ରାଜ୍ୟରେ ଏବେ କୋଭିଡ୍ ସ୍ଥିତି ସଂଗୀନ ହୋଇଛି । ତେଣୁ ବୁଢ଼ି ଠାକୁୁରାଣୀ ଯାତ୍ରାକୁ କଟକଣା ଭିତରେ କଲେ ହିଁ କରୋନା ଚେନ୍କୁ ଭାଙ୍ଗିପାରିବା ବୋଲି ଜାରି କରିଥିବା ଏସ୍ଓପିରେ ଲେଖିଛନ୍ତି । ସେପଟେ ଯାତ୍ରା ଅବଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆୟୋଜକ ଦୁର୍ଗାପ୍ରସାଦ ଦେଶୀବେହେରା । ସାତ ଦିନ ଭିତରେ ଯାତ୍ରା କରିବା ସମ୍ଭବ ନୁହେଁ । ଅତିକମ୍ରେ ୨୧ ଦିନ ସମୟ ମିଳିଲେ ହିଁ ପରମ୍ପରା ପ୍ରକାରେ ଯାତ୍ରା ହୋଇପାରିବ । ନଚେତ୍ ଯାତ୍ରା ୨୦୨୩ରେ କରାଯିବ ବୋଲି ଦେଶୀବେହେରା କହିଛନ୍ତି । ଏସ୍ଓପି ଓ ସମୟ ଅବଧି ସମ୍ପର୍କରେ ପ୍ରଶାସନ ପକ୍ଷରୁ ଚିଠି ହୋଇନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ କରିବାକୁ ଧାର୍ଯ୍ୟ ହୋଇସାରିଥିଲା । କିନ୍ତୁ ଏହା ପୂର୍ବରୁ ଯାତ୍ରା ସମୟ ଅବଧି ପ୍ରଶାସନକୁ ମଗାଯାଇଥିଲା । ଯାତ୍ରା ପାଇଁ ଅତିକମ୍ରେ ୨୧ଦିନ ଆବଶ୍ୟକ ଆୟୋଜକ କହୁଥିବା ବେଳେ ପ୍ରଶାସନ ୭ଦିନ ଭିତରେ ଯାତ୍ରା ସାରିବାକୁ କହିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ବିଏମ୍ସି ଅଫିସିରେ ବୈଠକ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା ଏବଂ ଶେଷରେ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ ସ୍ଥଗିତ କରିଥିଲେ ଆୟୋଜକ ଦୁର୍ଗା ପ୍ରସାଦ ଦେଶୀବେହେରା । ରାଜବାଟୀକୁ ଠାକୁରାଣୀଙ୍କୁ ନ ନେବାକୁ କୁହାଯାଇଛି । ଏହାସହ ସାହି ପରିକ୍ରମା ହେବ ନାହିଁ କି ମା’ସାଆନ୍ତାଣୀଙ୍କ ପାରମ୍ପରିକ ରଥ ଓ କଳାକୁଞ୍ଜ ମଧ୍ୟ ହେବ ନାହିଁ । ମା’ବୁଢ଼ି ଠାକୁରାଣୀଙ୍କ ଯାତ୍ରା ଶହ ଶହ ବର୍ଷ ପୁରୁଣା । ଠାକୁରାଣୀଙ୍କ ଯାତ୍ରାକୁ ନେଇ ଅନେକ ପରମ୍ପରା ରହିଛି । ଏଥିରେ ଭକ୍ତଙ୍କ ଆତ୍ମୀୟ ଭାବନା ଅଛି । ପରମ୍ପରାକୁ ଭାଙ୍ଗିଲେ ଭକ୍ତ ଅଶାନ୍ତ ହେବେ ।
ବିଏମ୍ସି ପକ୍ଷରୁ ଜାରି ଯାତ୍ରା ଏସ୍ଓପିରେ ୨୬ଟି ନିୟମକୁ ଫୋକସ୍ କରାଯାଇଛି । ଯାତ୍ରା ମଣ୍ଡପ ଓ ବାହାରେ ସମସ୍ତଙ୍କୁ ମାସ୍କ ପିନ୍ଧିବା, ଆୟୋଜକ ପ୍ରତିଦିନ ମଣ୍ଡପକୁ ସାନିଟାଇଜ୍ କରିବା, କୋଭିଡ୍ କଟକଣା ଉଲଂଘନ ହେଲେ କମିଟି ଦାୟୀ ରହିବା, ମଣ୍ଡପକୁ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ଥଣ୍ଡା, ଜ୍ୱର ଓ କଫ ଥିଲେ ମଣ୍ଡପକୁ ପ୍ରବେଶ ନିଷେଧ ଓ ମେଡିକାଲ ଟିମ୍କୁ ସୂଚନା, ବାହାର ରାଜ୍ୟର ଭକ୍ତଙ୍କୁ ମନା, କଳାକୁଞ୍ଜ ଓ ରଥ ବାହାରିବ ନାହିଁ, ସାଧାରଣ ଲୋକ ଓ ଭକ୍ତ ହାତକୁ ସାନିଟାଇଜ୍ କରିବେ, ପ୍ରତିମୂର୍ତ୍ତିକୁ କେହି ଛୁଇଁବେ ନାହିଁ, ସମସ୍ତେ ଶାରୀରିକ ଦୂରତା ରଖିବେ । ଯାତ୍ରା ମଣ୍ଡପ କିମ୍ବା ଉକ୍ତ ଅଞ୍ଚଳରେ ଭିଡ଼ କରିବାକୁ ବାରଣ, ଅନ୍ନପ୍ରସାଦ ଏବଂ ଖାଦ୍ୟ ବଣ୍ଟନ ମନା, ପ୍ରଶାସନ ପକ୍ଷରୁ ଚିହ୍ନଟ ଜାଗାରେ ଗାଡ଼ି ପାର୍କିଂ, ବୟସ୍କ ଲୋକ, ରୋଗଗ୍ରସ୍ତ, ଗର୍ଭବତୀ ଓ ୧୦ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଯାତ୍ରାକୁ ବାରଣ, ବାହାରେ ଦୀପ ଓ ଧୂପ ବିକ୍ରି ମନା ଆଦି ରହିଛି । ସୁରକ୍ଷା ବ୍ୟବସ୍ଥା ସହ ଗହଳି କମାଇବା ଦିଗରେ ପୁଲିସ କାର୍ଯ୍ୟ କରିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଟିମ୍ ଏଠାରେ ରହିବେ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବ ବ୍ୟବସ୍ଥା କରାଯିବ । ପିଇବା ପାଣି ବ୍ୟବସ୍ଥା ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଏସ୍ଓପିେରେ ଉଲ୍ଲେଖ ରହିଛି ।


Comments are closed, but trackbacks and pingbacks are open.