ବୁଣାକାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟର ବୁଣାକାର ମାନଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ପ୍ୟାକେଜ । କଂକ୍ରିଟ୍ ହୋଇନଥିବା ୧୫ ହଜାର ଲୁମ୍ ପିଟ୍‌କୁ କଂକ୍ରିଟ୍ କରାଯିବ । ପର୍ଯ୍ୟାୟକ୍ରମେ ଆଗାମୀ ୩ ବର୍ଷରେ ଏହା ସମ୍ପୂର୍ଣ୍ଣ ହେବ । ପ୍ରତି ଲୁମ୍ ପିଟ୍ କଂକ୍ରିଟ୍ ପାଇଁ ୭ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ରାଜ୍ୟର ୩୧, ୩୪୨ଟି ଲୁମ୍ ପିଟ୍ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୫, ୦୭୧ଟି ଲୁମ୍ ପିଟ୍‌କୁ କଂକ୍ରିଟ୍ କରାଯାଇଛି । ସେହିପରି ୩ ହଜାର ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ହାଉସ୍ କମ୍ ୱାର୍କ ସିଡ୍ ଯୋଗାଇ ଦିଆଯିବ । ଏପର୍ଯ୍ୟନ୍ତ ୧୧୬୯୫ଟି ହାଉସ୍ କମ୍ ୱାର୍କ ସିଡ୍ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି ।
ମହାମାରୀ କରୋନା ଯୋଗୁ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ହଜାର ହଜାର ବୁଣାକାରଙ୍କ ଜୀବିକା ଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି ।
ପ୍ୟାକେଜରେ ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପଞ୍ଚାୟତିରାଜ ବିଭାଗର ଗାଇଡ୍ ଲାଇନ୍ ଅନୁସାରେ ଚୟନ କରାଯିବ । ବୁଣାକାରମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଇଛି । ବୁଣାକାରଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା³ ସିଏଫ୍‌ସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜରିଆରେ କରାଯିବ ବୋଲି ଘୋଷଣା ହୋଇଛି ।
ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ବୁଣାକାର ପରିବାରର ସଦସ୍ୟମାନେ ସହଯୋଗ କରିଥାନ୍ତି । ଲୁଗା ଡିଜାଇନ୍ ପ୍ରସ୍ତୁତି ହେଉଛି ଏକ ଜଟିଳ ପ୍ରକ୍ରିୟା । ତେଣୁ ବୁଣାକାରଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡ଼ିବ ସେଥିପାଇଁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ପଙ୍ଖା ଯୋଗାଇ ଦିଆଯିବ । ଏହାଦ୍ୱାରା ସେମାନେ ଅଧିକ ସମୟ କାମ ମଧ୍ୟ କରିବାକୁ ସୁବିଧା ପାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons