
ବୁଗୁଡ଼ା, (ବି.ବି.ନୁ୍ୟଜ): ବ୍ରହ୍ମପୁର ଓ ସହର ଉପକଣ୍ଠରେ ଏକାଧିକ ବାର, ଛତ୍ରପୁରରେ ଦୁଇ ଥର ଆଉ ଏବେ ବୁଗୁଡ଼ା । ଲୁଟେରାଙ୍କ ଟାର୍ଗେଟ୍ରେ ବାଇକ୍ ସୋ’ ରୁମ୍ । ବୁଗୁଡ଼ା ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି ଚୋର ଗୋଟିଏ ରାତିରେ ଦୁଇଟି ସ୍ଥାନକୁ ଟାର୍ଗେଟ୍ କରିଛନ୍ତି । ବୁଗୁଡ଼ା ମୁଖ୍ୟ ସଡ଼କରେ ଥିବା ହିରୋ ସୋ’ ରୁମ୍ ସଟର୍ ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ବେଳେ ସେଥିରେ ସଫଳ ହୋଇପାରିନାହାନ୍ତି ଦୁର୍ବୃତ୍ତ । ତେବେ ଦଶ ମିଟର ଦୂର ପଞ୍ଚାନନ ସାହୁଙ୍କ ଘରେ ଭଡ଼ା ରହୁଥିବା ଜଣେ ବୁଲା ବିକାଳୀଙ୍କ ନଗଦ ୧୭୫୦୦ ଟଙ୍କା ଚୋରାଇ ନେଇଥିବା ଅଭିଯୋଗ ହୋଇଛି ।
ଶନିବାର ରାତି ପ୍ରାୟ ଗୋଟାଏରେ ନୀଳାଞ୍ଚଳ ପଣ୍ଡାଙ୍କ ହିରୋ ସୋ’ରୁମ୍ରେ ଲାଗିଥିବା ସିସି କ୍ୟାମେରାକୁ ପ୍ରଥମେ ନଳ ସାହାଯ୍ୟରେ ଟେକି ଦେଇ ବାହାରେ ଜଳୁଥିବା ବଲ୍ବ କାଢିÿ ଦେଇଥିଲେ ଦୁର୍ବୃତ୍ତ । ସଟର୍ ତାଲା ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କଲା ବେଳେ ସୋ’ରୁମ୍ ଭିତରେ ଶୋଇଥିବା କର୍ମଚାରୀ ଉଠି ପଡ଼ି ପାଟି କରିବାରୁ ଚୋରମାନେ ଦୌଡ଼ି ପଳାଇଥିଲେ । ତେବେ କିଛି ଦୂର ପଞ୍ଚାନନ ସାହୁଙ୍କ ଘରେ ଭଡ଼ା ଥିବା ବୁଲା ବେପାରୀ ରବି ଉଲ ଇସଲାଙ୍କ ବାରିପଟ ଝରକା ଗ୍ରିଲ୍ ଭାଙ୍ଗି ଏକ ଟିଣ ଡବାରେ ସେ ରଖିଥିବା ନଗଦ ଟଙ୍କା ନେଇ ଚାଲି ଯାଇଥିଲେ । ରବିଉଲ ଓ ତାଙ୍କ ସହଯୋଗୀମାନେ ଘରେ ଶୋଇଥିଲେ ହେଁ ଘଟଣା ବିଷୟରେ ସକାଳୁ ଜାଣିବାକୁ ପାଇଥିଲେ । ଏହି ଚୋରିରେ ୩ ଜଣ ସମ୍ପୃକ୍ତ ଥିବା ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଜଣାଯାଇଛି । ସୋ’ ରୁମ୍ କର୍ମଚାରୀଙ୍କ ଠାରୁ ଖବର ପାଇ ଏସ୍ଆଇ କାର୍ତ୍ତିକ ନାୟକ ଘଟଣାସ୍ଥଳରେ ତଦନ୍ତ କରିଥିବା ବେଳେ ସିସିଟିଭି ଫୁଟେଜ୍କୁ ଆଧାର କରି ଯାଞ୍ଚ ଜାରି ରଖିଛି ପୁଲିସ । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ମାମଲା ପଞ୍ଜୀକରଣ ହୋଇନଥିବା ଜଣାଯାଇଛି ।


Comments are closed, but trackbacks and pingbacks are open.