ବୃଦ୍ଧଙ୍କୁ ହତ୍ୟା କରି ପୋଡି଼ ଦେଲେ

Get real time updates directly on you device, subscribe now.

କାଲିମେଳା,(ବି.ବି.ନ୍ୟୁଜ୍): ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଅକ୍ଟୋପସ୍ ପଞ୍ଝାରୁ ମୁକୁଳି ପାରୁନି ମାଲକାନଗିରି ଜିଲ୍ଲା । କାଲିମେଳା ବ୍ଲକ୍ ତେଲରାଇ ପଞ୍ଚାୟତର ଉର୍ମାଗୁଡ଼ା ଗାଁରେ ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତାଙ୍କ ନାଁ ନଙ୍ଗା କବାସୀ(୬୦) । ନଙ୍ଗାଙ୍କୁ ହତ୍ୟା କରାଯିବା ପରେ ଗାଁ ପାଖ ଜଙ୍ଗଲରେ ପୋଡି଼ ଦିଆଯାଇଛି । ଦୀର୍ଘ ୨୦ ଦିନ ପରେ ଏହି ଘଟଣା ପଦାକୁ ଆସିଛି । ମଙ୍ଗଳବାର ମୃତ ନଙ୍ଗାଙ୍କ ପୁଅ ଦେବା କବାସୀ ଏମ୍ଭି ୭୯ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି ଆଲୋଡ଼ନ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ପୁଲିସ୍ । ସେମାନେ ହେଲେ ସେହି ଗାଁର ଦୁଲା ମାଡ଼କାମୀଙ୍କ ୩ ପୁଅ ମୁକା ମାଡ଼କାମୀ, ମାସା ମାଡ଼କାମୀ ଓ ଆଇତା ମାଡ଼କାମୀ । ଫେରାର୍ ଅଭିଯୁକ୍ତର ନାଁ ଲାକା କାର୍ତ୍ତାମୀ । ତାକୁ ଗିରଫ କରିବା ଲାଗି ପୁଲିସ୍ ତନାଘନା ଚଳାଇଛି । ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଗାଁର ଦୁଲା ମାଡ଼କାମୀଙ୍କୁ ଜ୍ୱର ହେଉଥିଲା । ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁଲାଙ୍କ ମୃତ୍ୟୁ ପରେ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ ତାଙ୍କର ୩ ପୁଅ ମୁକା, ମାସା ଓ ଆଇତା । ଗାଁର ନଙ୍ଗା ଗୁଣିଗାରେଡି କରିବା ଯୋଗୁ ସେମାନଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ । ଗତ ୫ ତାରିଖ ବିଳମ୍ବିତ ରାତିରେ ଉର୍ମାଗୁଡା ଗାଁକୁ ଲାଗି ରହିଥିବା ଯବାନପାଲ୍ଲି ଗାଁର ଜଣେ ସମ୍ପର୍କୀୟ ଲାକା କାର୍ତ୍ତାମୀଙ୍କ ସହ ମିଶି ନଙ୍ଗାଙ୍କ ଘରେ ପହଞ୍ଚିଥିଲେ । ସେମାନଙ୍କ ପୁଅବୋହୂ ଉପସ୍ଥିତିରେ ଠେଙ୍ଗାରେ ପିଟି ପିଟି ନଙ୍ଗାଙ୍କୁ ହତ୍ୟା କରିଥିଲେ । ଏହାପରେ ପରିବାର ଲୋକଙ୍କ ଉପସ୍ଥିତିରେ ନଙ୍ଗାଙ୍କ ମୃତଦେହକୁ ନେଇଯାଇଥିଲେ ପାଖରେ ଥିବା ଏକ ଜଙ୍ଗଲକୁ । ସେଠାରେ ଶବକୁ ପୋଡି଼ ଦେଇଥିଲେ । ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ଜୀବନରୁ ମାରି ଦିଆଯିବ ବୋଲି ନଙ୍ଗାଙ୍କ ପରିବାରକୁ ଧମକ ଦେଇଥିଲେ । ଏଥିଯୋଗୁ ସେମାନେ ଭୟଭୀତ ହୋଇ ଥାନା କିମ୍ବା ବାହାରେ ଘଟଣା ସମ୍ପର୍କରେ କାହାରିକୁ କିଛି ଜଣାଇନଥିଲେ । ଗତ ମଙ୍ଗଳବାର ନଙ୍ଗାଙ୍କ ପୁଅ ଦେବା ପହଞ୍ଚିଥିଲେ ଏମ୍ଭି-୭୯ ଥାନାରେ । ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ପୁଲିସ୍କୁ ଲିଖିତ ଭାବେ ଜଣାଇଥିଲେ । ଏ ସମ୍ପର୍କରେ ଥାନାରେ ଦଫା ୩୦୨, ୨୦୧, ୫୦୬ ଏବଂ ଗୁଣିଗାରେଡି ନିରୋଧ ଆଇନର ଧାରା ୪ ଓ ୩୪ରେ ଏକ ମାମଲା ରୁଜୁ କରିଥିଲା ପୁଲିସ୍ । ଆଇଆଇସି ମମତା ପାଣିଗ୍ରାହୀ, ଏସ୍ଆଇ ହରିଶ୍ଚନ୍ଦ୍ର ଗୋଲରୀ ଓ ଅନ୍ୟ କର୍ମଚାରୀମାନେ ଉର୍ମାଗୁଡା ଗାଁରେ ପହଞ୍ଚି ତଦନ୍ତ କରିଥିଲେ । ଅଭିଯୁକ୍ତ ୩ ଭାଇଙ୍କୁ ଗିରଫ କରିଥିଲେ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପକ୍ଷରେ ପୁଲିସ୍ ଜଙ୍ଗଲରେ ପହଞ୍ଚି ନଙ୍ଗାଙ୍କୁ ପୋଡି଼ ଦିଆଯାଇଥିବା ସ୍ଥାନରୁ ଅସ୍ଥି, ପାଉଁଶ ଏବଂ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଛି । ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କ ବାପାଙ୍କୁ ନଙ୍ଗା ଗୁଣିଗାରେଡି କରି ମାରି ଦେଇଥିଲେ । ତେଣୁ ସେମାନେ ତାହାର ପ୍ରତିଶୋଧ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons