ବୃଦ୍ଧାଙ୍କୁ ଦଳିଦେଲା ହାତୀ

Get real time updates directly on you device, subscribe now.

ରଣପୁର,(ବି.ବି.ନୁ୍ୟଜ୍): ବୁଧବାର ଭୋର ସମୟରେ କାଜୁ ଜଙ୍ଗଲ ଦେଇ ଯାଇଥିବା ପାଦଚଲା ରାସ୍ତାରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଛି । ହାତୀଟି ପ୍ରଥମେ ବୃଦ୍ଧାଙ୍କୁ ଘୋଷାରି ଘୋଷାରି ମାରିବା ସହିତ ମୁଣ୍ଡକୁ ଦାନ୍ତରେ ଭୁସି ଦେଇଥିଲା । ମୃତକଙ୍କ ନାମ ମୋତି ବେୱା(୭୦) ଓ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଭଜାଗଡ଼ ଗ୍ରାମରେ ବୋଲି ଜଣାପଡିଛି ।
ଖବରରୁ ପ୍ରକାଶ ଯେ, ମୋତିଙ୍କର ୫ ପୁଅ ରହିଥିବା ବେଳେ ଏକମାତ୍ର ଝିଅ ଶାନ୍ତି ଜଙ୍କିଆ ଗ୍ରାମର ବୀରକିଶୋର ମାଝୀଙ୍କୁ ବିବାହ କରିଛନ୍ତି । ଆଜି ଭୋର ସମୟରେ ମୋତି ନିଜ ଗ୍ରାମ ଭଜାଗଡ଼ରୁ ଝିଅ ଘରକୁ ବାହାରିଥିଲେ । ତେବେ କାଜୁ ଜଙ୍ଗଲ ଭିତର ଦେଇ ଯାଇଥିବା ପାଦଚଲା ରାସ୍ତାରେ ଗଲା ବେଳେ ହଠାତ୍ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀମାନେ ତାଙ୍କୁ ଘୋଷାରି ଘୋଷାରି ପ୍ରାୟ ଶହେ ଫୁଟ ପର୍ଯ୍ୟନ୍ତ ନେଇଯିବା ସହିତ ମୁଣ୍ଡକୁ ଦାନ୍ତରେ ଭୁସି ପକାଇଥିଲେ । ଏହା ସହ ହାତୀମାନେ ବୃଦ୍ଧାଙ୍କୁ ପାଦରେ ଦଳି ଦେଇଥିବା ଜଣାଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଛି । ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ମୋତିଙ୍କ ଶବ ଦେଖି ମୁକ୍ତାପୁର ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ପରେ ବୃଦ୍ଧାଙ୍କର ପରିଚୟ ମିଳିଥିଲା । ଘଟଣା ଘଟିଥିବା ସ୍ଥାନ ମୁକ୍ତାପୁର ଗ୍ରାମ ପାତାଳେଶ୍ୱର ମନ୍ଦିରଠାରୁ ମାତ୍ର ଦୁଇଶହ ମିଟର ଦୂରରେ ହୋଇଥିବାରୁ ହାତୀ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଖବର ପାଇ ଚାନ୍ଦପୁର ଥାନା ପୁଲିସ୍ ଏବଂ ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏ ନେଇ ବୃଦ୍ଧାଙ୍କ ପରିବାର ପକ୍ଷରୁ ଚାନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଶବ ଜବତ କରି ରଣପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ ପ୍ରକାଶ କରିଛନ୍ତି । ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ତହସିଲଦାର ସୁଶାନ୍ତ କୁମାର ପତି ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି । ଅପରପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ରେଂଜର ଶ୍ରୀ ଶତପଥୀ କହିଛନ୍ତି ।
ଆହୁରି ଜଣାପଡ଼ିଛି ଯେ, ଦୀର୍ଘ ଦୁଇ ମାସ ହେଲା ୫୦ରୁ ଅଧିକ ହାତୀ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ରହି ଧାନ ଓ ପନିପରିବା ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଏପରିକି ଗତ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବୋଡଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହାତୀ ଦଳି ଦେଇଥିଲା । ତେବେ ବନ ବିଭାଗକୁ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି । ବିଭାଗ ତରଫରୁ ହାତୀମାନଙ୍କୁ ଘଉଡ଼ାଇ ଜଙ୍ଗଲ ଭିତରକୁ ତଡ଼ି ଦେବା ନିମନ୍ତେ ସେଭଳି କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ମୁକ୍ତାପୁର ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରେ ଏହି ହାତୀମାନେ ରହି ଧାନ ଫସଲ ଉଜାଡ଼ିବା ସହ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି । ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାନୀୟ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons