କେନ୍ଦୁଝର: ଉଭୟ ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଳକ୍ ଅଞ୍ଚଳରେ ଏବେ ଦେଶୀ ମଦ ବ୍ୟବସାୟ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇସାରିଲାଣି। ପାଟଣା ବ୍ଲକ ଚେମେଣା ଗ୍ରାମରେ ବେଧଡ଼କ ଭାବରେ ଦେଶୀ ମହୁଲି ମଦ ବିକ୍ରି ହେଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ଚେମେଣା ଗ୍ରାମର ୩୦ରୁ ଉର୍ଦ୍ଧ୍ବ ମହିଳା ତୁରୁମୁଙ୍ଗା ଥାନାକୁ ଆସି ଏକ ଅଭିଯୋଗ ପତ୍ର ଥାନା ଅଧିକାରୀଙ୍କୁ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଚେମେଣା ଗ୍ରାମରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବରେ ଦେଶୀ ମହୁଲି ମଦ ବିକ୍ରି କରୁଛନ୍ତି।
ଯାହାଦ୍ବାରା ଉକ୍ତ ଅଞ୍ଚଳର ଯୁବପିଢ଼ି ମଦ ପିଇ ପଥଭ୍ରଷ୍ଟ ହେବା ସହିତ ଅଳ୍ପ ବୟସରେ ରୋଗରେ ପଡି ମୃତ୍ୟୁବରଣ କରୁଛନ୍ତି। ଅନେକ ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଗାଳିଗୁଲଜ କରିବା ସହିତ ଚେମେଣା ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଦେଶୀ ମଦ ବିକ୍ରି ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି। ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ଚେମେଣା ଗ୍ରାମରେ ଏପରି ଦେଶୀ ମଦର ଆସର ଜମୁଛି ଏବେ ପାର୍ବଣ ଋତୁ ଥିବାରୁ ଦେଶୀ ମଦ ବ୍ୟବସାୟ କରୁଥିବା ବେପାରୀ ମଦ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଲେଣି।
ଉକ୍ତ ଅଞ୍ଚଳରେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ବେଆଇନ୍ ମଦ ବିକ୍ରି କରୁଥିବା ଆସାଧୁ ବ୍ୟବସାୟୀଙ୍କ ଉପରେ ଖୁବଶୀଘ୍ର କାର୍ୟ୍ୟାନୁଷ୍ଠାନ ନିଆ ନ ଗଲେ ଜିଲାପାଳଙ୍କ ଅଫିସ ଘେରାଉ କରିବାକୁ ଚେମେଣା ଗ୍ରାମର ମହିଳାମାନେ ଚେତାବନୀ ଦେଇଛନ୍ତି।


Comments are closed, but trackbacks and pingbacks are open.