ବେଳାଭୂମିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମି ନିକଟସ୍ଥ ନାରାୟଣପୁର ପନ୍ତା ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଶନିବାର ସଟଡାଉନ୍ ଥିବା ବେଳେ ସବୁଆଡେ଼ ଶୂନଶାନ ହୋଇଯାଇଥିଲା । କିଛି ଗ୍ରାମବାସୀ ଝାଉଁ ଜଙ୍ଗଲ ଭିତରକୁ ଏକ ମୃତ ଗୋରୁ ପକାଇବାକୁ ଯାଇଥିବା ସମୟରେ ଗଛରେ ଝୁଲନ୍ତା ଅବସ୍ଥାରେ ଏହି ଦୁଇଟି ମୃତଦେହ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଝାଉଁ ଜଙ୍ଗଲ ଭିତରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଜଙ୍ଗଲ ଭିତରେ ଥିବା ଏକ ଛୋଟ ନିମ୍ବଗଛ ଶାଖାରେ ଏକ ଉତ୍ତରୀରେ ଉଭୟ ଝୁଲୁଥିବା ଦେଖିବାକୁ ମିଳିଥିଲା । ଯୁବତୀଙ୍କ ଗୋଡ଼ ଦେଇ ରକ୍ତ ପ୍ରବାହିତ ହୋଇ ତଳେ ପଡ଼ିଥିବା ଦେଖାଯାଇଛି । ତଳେ ଉଭୟଙ୍କର ଚପଲ ଏବଂ ଗୋଟିଏ ମୋବାଇଲ ଫୋନ ପଡ଼ିଥିଲା । ଖବର ପାଇ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତ ଯୁବକ ଜଣଙ୍କ ଚୌମୁଖ ଗ୍ରାମର ଅର୍ଜୁନ ମାଝୀଙ୍କ ପୁଅ ଅନନ୍ତ (୨୫) ଏବଂ ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମୂଷାମାରୀ ଗ୍ରାମର ବୁଧିଆ ସୋରେନଙ୍କ ଝିଅ ରାଗିଣୀ ବୋଲି ଜଣାଯାଇଛି । ଯୁବତୀ ଜଣଙ୍କ ମୃତ ଅନନ୍ତଙ୍କ ଭାଇର ଶାଳୀ । ଅନନ୍ତ ବସ୍ତା ଡାକ୍ତରଖାନାରେ ସୁଇପର ଭାବରେ କାର୍ଯ୍ୟ କରି ସେଠାରେ ଏକ ଭଡ଼ାଘରେ ରହି ଆସୁଥିଲେ । ତେବେ କେଉଁ ପରିସ୍ଥିତିରେ ଏହି ୨ଜଣ ଅତ୍ମହତ୍ୟା କଲେ, ତାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ । ସୂଚନା ଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଏହି ଜଙ୍ଗଲରେ ଅନ୍ୟ ଏକ ପ୍ରେମୀ ଯୁଗଳର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହି ଜଙ୍ଗଲକୁ ବନ ବିଭାଗ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପାଟ୍ରୋଲିଂ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘଟଣାରେ ବାଲିଆପାଳ ଥାନା ୟୁଡି କେଶ ନଂ ୧୬/୨୦ରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons