ବୈତରଣୀ ବଢୁଛି, ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନର ସୂଚନା ମୁତାବକ ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ୨୧ଟି ଘାଇ ସୃଷ୍ଟି ହୋଇଛି । ଜିଲ୍ଲାର ୧୦ଟି ବ୍ଲକ୍ର ୧୨୪ଟି ପଞ୍ଚାୟତର ୫୩୦ଗ୍ରାମ ଓ ଯାଜପୁର ପୌରାଞ୍ଚଳର ଗୋଟିଏ ୱାର୍ଡକୁ ମିଶାଇ ୪ଲକ୍ଷ ୩୭ହଜାର ୧୪ ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । କାନ୍ଥ ପଡ଼ି ଜଣେ ୩ମାସର ଶିଶୁର ମୃତୁ୍ୟ ହୋଇଛି । ଘରେ ପାଣି ପଶିବା ସମୟରେ ବିଷଧର ସର୍ପ ଦଂଶନରେ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଛି । ବନ୍ୟାଞ୍ଚଳରୁ ୨୪ହଜାର ୯୦ଜଣ ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ସ୍ଥାନୀୟ ସୂଚନା ମୁତାବକ ଜିଲ୍ଲାରେ ୨୫ରୁ ଅଧିକ ଘାଇ ହୋଇଥିବା ଜଣାପଡ଼ିଛି ।
ଦଶରଥପୁର ବ୍ଲକ୍ ବୈତରଣୀ ନଦୀର ଦତ୍ତପୁର, ନୂଆଶାସନରେ ୨ଟି ଘାଇ ହୋଇଥିବା ବେଳେ ରସୁଲପୁର ବ୍ଲକ୍ର ବ୍ରାହ୍ମଣୀ ନଦୀର ଲଙ୍କାବାଲିସାହି, ଖଣ୍ଡାସ, ସାମନ୍ତରାପୁର, ମଙ୍ଗରାଜପୁର ଠାରେ ଘାଇ ହୋଇଛି । ସେହିପରି ବରୀ ବ୍ଲକ୍ ବ୍ରାହ୍ମଣୀ ନଦୀର ଶଙ୍କରାକୂଳ, ମାଟିଆପଡ଼ା, ରାଇପୁର, ଗୋଳକୁଣ୍ଡ ମଙ୍ଗଳା ମନ୍ଦିର, ଗୋଳକୁଣ୍ଡ ପଦ୍ମନାଭ ହାଇସ୍କୁଲ, ସନ୍ଥନ ଛକ ଅରୁଆଳରେ ଘାଇ ହୋଇଥିବା ବେଳେ ବିଞ୍ଝାରପୁର ବ୍ଲକର ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତା ନଦୀର ମଲ୍ଲିକାପୁର, ନୂଆବାଙ୍କ, ନୂଆମାହାରା ନଦୀର ଚନ୍ଦ୍ରମୁଁ ଠାରେ ଘାଇ ହୋଇଛି । ଯାଜପୁର ବ୍ଲକ ବୈତରଣୀ ନଦୀର ରୁଦ୍ରପୁର, ଖଜୁରୀପାଳ, ପଣସା ଓ ଏହାର ଶାଖାନଦୀ ବୁଢ଼ା ନଦୀର ଓଲେଇପଡ଼ା, ବ୍ରାହ୍ମଣୀ ନଦୀର ଝାଲପଡ଼ା କାକୁଡ଼ିକୁଦ, ସାନବାଗସାହିରେ ଘାଇ ସୃଷ୍ଟି ହେବା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି ।
ଜିଲ୍ଲାର ୧୦ଟି ବ୍ଲକର ୨୬୫ ପଞ୍ଚାୟତର ୪୭ ହଜାର ୬୦୮ ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ସାଂସଦ ଶର୍ମିÂା ସେଠୀ, ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବିଭିନ୍ନ ବନ୍ୟାଞ୍ଚଳ ବୁଲି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ଜିଲ୍ଲାରେ ୧୨୭ଟି ଜାଗାରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପାଣି ଘେରରେ ଥିବା ଲୋକଙ୍କୁ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୨ଟି ଅଗ୍ନିଶମ ବିଭାଗ ଟିମ୍, ୨ଟି ଏନ୍ଡିଆର୍ଏଫ୍ ଟିମ ନିୟୋଜିତ କରାଯାଇଛି ।
ଯାଜପୁର ବ୍ଲକ୍ ପଣସା ପଞ୍ଚାୟତ ବେହେରାପାଟଣା ଗ୍ରାମରେ ଅମର ମାଝୀଙ୍କ ୩ମାସର ଶିଶୁକନ୍ୟାର କାନ୍ଥ ପଡ଼ି ମୃତୁ୍ୟ ହୋଇଛି । ରସୁଲପୁର ବ୍ଲକ୍ ପହଙ୍ଗା ପଞ୍ଚାୟତ ଯୋକଡିଆ ଗ୍ରାମର ଚଇତନ ନାୟକଙ୍କ ପତ୍ନୀ ଲକ୍ଷ୍ମୀ ନାୟକ(୬୫)ଙ୍କର ସର୍ପାଘାତରେ ମୃତୁ୍ୟ ଘଟିଛି । ବନ୍ୟାଜଳ ପଶିଯିବାରୁ ଗୁହାଳରୁ ଗୋରୁ ବାହାର କରୁଥିବା ବେଳେ ସର୍ପାଘାତ ହୋଇଥିଲା ।
ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀର ଜଳସ୍ତର ସାମାନ୍ୟ କମୁଥିବା ବେଳେ ବ୍ରାହ୍ମଣୀ ଓ ଏହାର ଶାଖାନଦୀ ଖରସ୍ରୋତାରେ ଜଳସ୍ତର ବୃଦ୍ଧି ପାଉଛି । ବୈତରଣୀ ନଦୀର ଆନ୍ଦପୁର ଠାରେ ବିପଦସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୭.୧୯ ମିଟର ଜଳ ପ୍ରବାହିତ ହେଉଛି । ସେହିପରି ଆଖୁଆପଦାରେ ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ୧୯.୦୯ ମିଟର, ବଲ୍ଲଭିଘାଟରେ ବିପଦସଂକେତ ୧୩.୩୪ ମିଟର ଥିବା ବେଳେ ଏବେ ୧୪.୦୩ ମିଟର ଓ ଦଶରଥପୁରରେ ବିପଦସଂକେତ ୯.୫୨ ମିଟର ଥିବା ବେଳେ ୧୧.୭୬ ମିଟର ଜଳ ପ୍ରବାହିତ ହେଉଛି । ସନ୍ଧ୍ୟା ୬ଟା ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦସଂକେତ ୬୭ ଫୁଟ୍ ଥିବା ବେଳେ ଏବେ ୭୧.୬୦ ଫୁଟ୍ ଜଳ ପ୍ରବାହିତ ହେଉଛି । ଖରସ୍ରୋତା ନଦୀର ବିଞ୍ଝାରପୁର ଠାରେ ବିପଦସଂକେତ ୧୦.୩୦ ମିଟର ଥିବା ବେଳେ ଏବେ ୧୦.୫୮ ମିଟର ଜଳ ପ୍ରବାହିତ ହେଉଛି । ସିଂହପୁର ଠାରେ ବିପଦସଂକେତ ୬.୭୨ ମିଟର ଥିବା ବେଳେ ୬.୯୮ ମିଟର ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons