ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଝାଡ଼ଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରାଳୟ କାର୍ଯ୍ୟ ଜାରି ରଖିଛି । ରାଜ୍ୟର ବୋକାରୋଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଣ୍ଟ ଓ ପିଓଏଲ୍ ଟର୍ମିନାଲ୍ର ଶିଳାନ୍ୟାସ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହା କହିଛନ୍ତି ।
ପେଟ୍ରୋଲିୟମ୍ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଝାଡ଼ଖଣ୍ଡରେ ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ୧୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଯୋଜନା ରହିଛି । ୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଝାଡ଼ଖଣ୍ଡ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ଏହାର ନେତୃତ୍ୱ ନେବ । ତାଙ୍କ କହିବାନୁଯାୟୀ ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ରଘୁବର ଦାସ କାମ କରୁଛନ୍ତି । ଜାମସେଦପୁର ଓ ଟାଟା ଦେଶର ଅର୍ଥନୈତିକ କ୍ଷେତ୍ର ବନିଛି ଏବଂ ସେମାନଙ୍କ ନେତୃତ୍ୱରେ ବୋକାରୋକୁ ମଧ୍ୟ ଟାଟା ଓ ଜାମସେଦପୁର ଭଳି ନିର୍ମାଣ କରାଯିବ ।
ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଖୁବ୍ଶୀଘ୍ର ଗରିବ ଶ୍ରେଣୀର ୮ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ହେବେ । ଝାଡ଼ଖଣ୍ଡରେ ୪ ବର୍ଷ ମଧ୍ୟରେ ମୋଟ ୩୭ ଲକ୍ଷ ଲୋକ ଏହି ଯୋଜନାର ଲାଭ ଉଠାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ତାଙ୍କ କହିବାନୁଯାୟୀ ପେଟ୍ରୋଲ ଓ ଡିଜେଲ ବିକ୍ରି ମାଧ୍ୟମରେ ଦେଶର ପ୍ରଗତି କରାଯାଇ ପାରିବ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍କାତା, ବାଙ୍ଗାଲୋର ଭଳି ବଡ଼ ସହରରେ ପେଟ୍ରୋଲିୟମ୍ ଉତ୍ପାଦର ବ୍ୟବହାର ୭ରୁ ୮% ବୃଦ୍ଧି ଘଟୁଛି । ଝାଡ଼ଖଣ୍ଡରେ ଏହା ୧୫ଧକୁ ବୃଦ୍ଧି ଘଟିଛି ।
Comments are closed, but trackbacks and pingbacks are open.