ନୂଆଦିଲ୍ଲୀ: ବିହାର ଓ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି । ଦୁଇ ରାଜ୍ୟରେ ୩୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ଘଟିଛି ।
ବିହାରରେ ଗଣ୍ଡକ ଓ କୋଶୀ ନଦୀ ସମେତ ତାର ଶାଖା ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ୧୦ଟି ଜିଲ୍ଲାରେ ୧୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୭ ଜଣଙ୍କ ମୃତୁ୍ୟ ଘଟିଛି । ଏନ୍ଡିଆରଏଫ ଏବଂ ଏସ୍ଡିଆରଏଫର ୨୨ଟି ଟିମ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୬ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରେ ରଖାଯାଇଛି । ସର୍ବାଧିକ ପ୍ରଭାବିତ ପୂର୍ବ ଓ ପଶ୍ଚିମ ଚମ୍ପାରଣ, ଦରଭଙ୍ଗା, ମଧୁବଣୀ ଓ ଗୋପାଳଗଞ୍ଜରେ ବାୟୁସେନାର ବିମାନ ଓ ହେଲିକପ୍ଟରକୁ ମଧ୍ୟ କାର୍ଯ୍ୟରେ ଲଗାଯାଇଛି । ସେହିସବୁ ଜିଲ୍ଲାର ବନ୍ୟା ଘେରରେ ରହିଥିବା ଲୋକମାନଙ୍କୁ ହେଲିକପ୍ଟର ସହାୟତାରେ ଶୁଖିଲା ଖାଦ୍ୟ ପ୍ୟାକେଟ ଯୋଗାଇ ଦିଆଯାଇଛି । ପୂର୍ବ ଚମ୍ପାରଣ ଜିଲ୍ଲାରେ ଉଦ୍ଧାର ବେଳେ ଏନ୍ଡିଆରଏଫ ଟିମ୍ର ଏକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା । ଫଳରେ ବୋଟ୍ଟି ଗଣ୍ଡକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲା । ତେବେ ସେଥିରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀ ଗଛ ସହାୟତାରେ ପ୍ରାୟ ୨ ଘଣ୍ଟାର କସରତ ପରେ ଉଦ୍ଧାର ହୋଇଥିଲେ । ସେହିଭଳି ପୂର୍ବ ଚମ୍ପାରଣ ଜିଲ୍ଲା ଗୋବରୀ ଗ୍ରାମରେ ବୁଡି ଗଣ୍ଡକ ନଦୀର ବନ୍ୟାଜଳରେ ଥିବା ଜଣେ ୨୫ ବର୍ଷୀୟ ଗର୍ଭବତୀ ମହିଳାଙ୍କୁ ଏନ୍ଡିଆରଏଫ ଟିମ୍ ଉଦ୍ଧାର କରୁଥିଲା ବେଳେ ବୋଟ ଭିତରେ ଆଜି ଅପରାହ୍ନ ୧ଟା ୪୦ରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବିପନ୍ନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ସେହିଭଳି ଆସାମରେ ବ୍ରହ୍ମପୁତ୍ର ଓ ତାର ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ୨୪ଟି ଜିଲ୍ଲାର ୨୬ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିଲା ବେଳେ ୧୦୦ ଜଣଙ୍କ ମୃତୁ୍ୟ ଘଟିଛି । ଗୋଆଲପରା, ବାରପେଟା, ମୋରିଗାଓଁ, ଧୁବ୍ରି, ଦକ୍ଷିଣ ସାଲମରା, ନଗାଁଓ, କାମରୁପ, ଗୋଲାଘାଟ, ଧେମାଜି ଓ ଦାରଙ୍ଗ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବ୍ରହ୍ମପୁତ୍ର ନଦୀ ଏବେ ବି ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟର ୨,୩୬୭ଟି ଗ୍ରାମ ଓ ୧ ଲକ୍ଷ ହେକ୍ଟର ଜମିରେ ଲାଗିଥିବା ଫସଲ ଏବେ ବନ୍ୟାଜଳରେ ବୁଡିରହିଛି । ୨୯୪ଟି ରିଲିଫ ଶିବିରରେ ୪୮ ହଜାର ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ବନ୍ୟା ଯୋଗୁ ୨୧୩ ନଦୀବନ୍ଧ, ୧୮୪ ବ୍ରିଜ ଓ ୧୭୭୬ ରାସ୍ତା ନଷ୍ଟ ହୋଇଯାଇଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାଜଳ ପ୍ରବେଶ କରିବାରୁ ୧୪ଟି ଗଣ୍ଡା ଓ ୯୫ଟି ହରିଣ ସମେତ ୧୨୯ଟି ବନ୍ୟପ୍ରାଣୀଙ୍କର ମୃତୁ୍ୟ ଘଟିଛି । ସଦ୍ୟ ବନ୍ୟାକୁ ମିଶାଇ ଚଳିତବର୍ଷ ବନ୍ୟାରେ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୫୬ ଲକ୍ଷ ୭୧ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୩ ଜଣଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.