ବ୍ରହ୍ମପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁରରେ ନକଲି ଇଞ୍ଜିନ୍ ଅଏଲ୍ ବା ଲୁ୍ୟବ୍ରିକାଣ୍ଟ୍ କମ୍ପାନିକୁ ଠାବ କରିଛି ପୁଲିସ । କୋଲକତାରୁ ଆସୁଥିଲା ସାମଗ୍ରୀ ଓ ବର୍ଷେ ହେଲା ଚାଲିଥିଲା ନକଲି ଅଏଲ୍ ପ୍ରସ୍ତୁତି । ଏହି କଳା କାରବାର ସମ୍ପର୍କରେ ସୂଚନା ପାଇ ରବିବାର ପୂର୍ବାହ୍ଣରେ ନୀଳାଦ୍ରି ବିହାର ତ୍ରିନାଥ ନଗରରେ ଚଢଉ କରାଯାଇ ଜଣକୁ ଅଟକ ରଖାଯାଇଛି । ୧ ଲିଟର ବିଶିଷ୍ଟ ୩ ଶହ ବୋତଲ ଅଏଲ୍, ୫ ହଜାର ଡାବା ଓ ନକଲି ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଏହାର ତଦନ୍ତଭାର ନେଇଛନ୍ତି । ଅଟକ ବ୍ୟକ୍ତିଜଣକ ଦିଲ୍ଲୀରୁ ଏଭଳି ନକଲି ଲୁ୍ୟବ୍ରିକାଣ୍ଟ୍ ପ୍ରସ୍ତୁତ କରିବା ଶିଖିଥିବା ପୁଲିସ ଆଗରେ ପ୍ରକାଶ କରିଛି । ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେ ନେଇ ପୁଲିସ ଛାନ୍ଭିନ୍ କରୁଛି ।
ତ୍ରିନାଥ ନଗରରେ ନକଲି ଇଞ୍ଜିନ୍ ଅଏଲ୍ ପ୍ରସ୍ତୁତି ବାବଦରେ ଖବର ପାଇ ସଦଳବଳେ ଚଢଉ କରିଥିଲେ ଟାଉନ୍ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ । ସାଧାରଣ ଅଏଲ୍ରେ କଲର୍ ଓ ବିଭିନ୍ନ ରସାୟନ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ନକଲି ଲୁ୍ୟବ୍ରିକାଣ୍ଟ୍ । ନାମୀଦାମୀ କମ୍ପାନୀର ଷ୍ଟିକର୍ ଡାବାରେ ମାରି ବଜାରକୁ ପଠାଯାଉଥିଲା । ବିଭିନ୍ନ କମ୍ପାନିର ଡାବା ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ କୋଲକାତା ଏମ୍ଜି ରୋଡ୍ରୁ ଅଭିଯୁକ୍ତଜଣକ ଆଣି ବ୍ରହ୍ମପୁରରେ ନକଲି ମୋବିଲ୍ ଅଏଲ୍ ପ୍ରସ୍ତୁତ କରୁଥିଲା ।
ଉଲ୍ଲେଖଯୋଗ୍ୟ ଯେ- ନକଲି ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲଟିଛି ବ୍ରହ୍ମପୁର । ପୂର୍ବରୁ ନକଲି ଘିଅ ଓ ନକଲି ପାନମସଲା ପ୍ରସ୍ତୁତ କରାଯାଉଥିଲା । ବିଭିନ୍ନ ସମୟରେ ବହୁ ଖାଦ୍ୟ ସାମଗ୍ରୀ ମଧ୍ୟ ଅପମିଶ୍ରିତ କରାଯାଇ ନାମୀଦାମୀ କମ୍ପାନି ବ୍ରାଣ୍ଡ୍ରେ ବଜାରକୁ ଛଡ଼ାଯାଉଥିଲା । ବର୍ତ୍ତମାନ ନକଲି ଲୁ୍ୟବ୍ରିକାଣ୍ଟ୍ ପ୍ରସ୍ତୁତିର ପର୍ଦ୍ଧାଫାସ ହୋଇଛି । ବ୍ରହ୍ମପୁର ବଜାରରୁ ଏହି ଅଏଲ୍କୁ ଗ୍ରାମାଞ୍ଚଳକୁ ଛଡ଼ାଯାଉଥିଲା । ବାସ୍ତବରେ ଗୋଟିଏ ଇଞ୍ଜିନ୍ ଅଏଲ୍ ଡାବା ମୂଲ୍ୟ ୨୮୦ ଟଙ୍କା ରହିଥିବା ବେଳେ ନକଲି ମୋବିଲ୍ ବୋତଲ ମାତ୍ର ଶହେ ଟଙ୍କାରେ ବିକ୍ରି କରାଯାଉଥିଲା । ଗୋଟିଏ ବୋତଲରେ ୧୮୦ ଟଙ୍କା ଲାଭ ହେଉଥିବାରୁ ଦୋକାନୀମାନେ ମଧ୍ୟ ଏହି ସାମଗ୍ରୀ କିଣିବାକୁ ଆଗ୍ରହୀ ହେଉଥିଲେ । ବ୍ରହ୍ମପୁର ଟାଉନ୍ ଥାନାରେ କେସ୍ ନମ୍ବର ୨୫୭/୨୦୨୦ ରୁଜୁ କରାଯିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି ।


Comments are closed, but trackbacks and pingbacks are open.