ବ୍ରାଉନ୍ ସୁଗର ବେପାର :ନିଶା ମାଫିଆ ରାଜାର ଦୁଇ ସହଯୋଗୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବୁ୍ୟରୋ): ବାଲେଶ୍ୱରର କୁଖ୍ୟାତ ବ୍ରାଉନ୍ ସୁଗର ମାଫିଆ ସେଖ୍ ରାଜାର ଦୁଇ ଖାସ୍ ସହଯୋଗୀଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ସେମାନେ ହେଲେ ସହଦେବ ଖୁଣ୍ଟା ଥାନା ଅରଡ଼ ବଜାର (ମସ୍ଜିଦ୍) କଲୋନୀର ବସନ୍ତ ବେହେରା ଓରଫ ହାପ୍ ପ୍ୟାଣ୍ଟ ବାବୁ ଓ ବାଲେଶ୍ୱର ଟାଉନ୍ ଥାନା ସୁନାହଟର ନିଳାଦ୍ରି ଦାସ ଓରଫ ନୀଳ । ରାଜା ଗିରଫ ହେବା ପରେ ଏମାନେ ଫେରାର ଥିଲେ । ଗତକାଲି ଏସ୍ଟିଏଫ୍ ଏମାନଙ୍କୁ ଗିରଫ କରିଥିଲା । ସୋମବାର ଖୋର୍ଦ୍ଧା ସେସନ୍ସ ଜଜ୍ କୋର୍ଟରେ ଉଭୟଙ୍କୁ ହାଜର କରା ଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏସ୍ଟିଏଫ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଜୁଲାଇ ମାସରେ ଏସ୍ଟିଏଫ୍ ଖୋର୍ଦ୍ଧାରୁ ୩ ଜଣଙ୍କୁ ଗିରଫ କରିଥିଲା । ଏହି ସମୟରେ ଜଣା ପଡିଥିଲା କୁଖ୍ୟାତ ନିଶା ବେପାରୀ ରାଜା ଠାରୁ ଏମାନେ ବ୍ରାଉନ୍ ସୁଗର ଆଣି ଖୁଚୁରା ବେପାରୀଙ୍କୁ ବିକ୍ରି କରୁଥିଲେ । ଏସ୍ଟିଏଫ୍ ରାଜାକୁ ଧରିବା ପାଇଁ ଯୋଜନା କରିଥିଲା । ସେପ୍ଟେମ୍ବର ମାସରେ ରାଜା ଗିରଫ ହୋଇଥିଲା । ରାଜା ଠାରୁ ପୁଲିସ୍ ଏକ ବନ୍ଧୁକ ଜବତ କରିଥିଲା । ତା’ପରେ ରାଜାକୁ ଏସ୍ଟିଏଫ୍ ରିମାଣ୍ଡରେ ନେଇ ଜେରା କରିବାରେ ଜଣା ପଡିଥିଲା, ରାଜାର ଦେଶ ବାହାରେ ବ୍ରାଉନ୍ ସୁଗର ମାଫିଆଙ୍କ ସହ ଲିଙ୍କ୍ ରହିଛି । ବ୍ରାଉନ୍ ସୁଗର ବିକ୍ରି କରି କୋଟି କୋଟି ଟଙ୍କା କମାଇଥିଲା ରାଜା । ତା’ଛଡା ଦେଶ ବାହାରୁ ବ୍ରାଉନ୍ ସୁଗର ଆଣି ରାଜା ତା’ ଘରେ ରଖୁଥିଲା । ଏହା ପରେ ହାପ୍ ପ୍ୟାଣ୍ଟ ବାବୁ ଓ ନୀଳର କାମ ହେଲା ଏମାନେ ୧୦୦ ଗ୍ରାମ୍ ଦୁଇ ଶହ ଗ୍ରାମ୍ର ପୁଡ଼ିଆ ତିଆରି କରି ସାରା ରାଜ୍ୟରେ ଥିବା ବେପାରୀଙ୍କୁ ଦେଇ ଟଙ୍କା ଆଣୁଥିଲେ । ରାଜାର ଏମାନେ ଅତି ଖାସ୍ ଥିଲେ । ରାଜା ଗିରଫ ହେବା ପରେ ଏମାନେ ଫେରାର ହୋଇ ଯାଇଥିଲେ । ବହୁ କଷ୍ଟରେ ଏମାନଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଘଟଣା ସମ୍ପର୍କରେ ଏସ୍ପି ରାହୁଲ ପିଆର କହିଛନ୍ତି, ତଦନ୍ତ ଚାଲିଛି । ଏହି ର୍ୟାକେଟ୍ରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons