ବ୍ରାଜିଲ୍କୁ ନବମ ଟାଇଟଲ

Get real time updates directly on you device, subscribe now.

ରିଓ: ୪୬ତମ କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବ୍ରାଜିଲ୍ ଚାମ୍ପିଅନ୍ ହୋଇଛି । ମାରାକାନା ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଘରୋଇ ଦଳ ୩-୧ ଗୋଲରେ ପେରୁକୁ ପରାସ୍ତ କରିଥିଲା । ଏହି ବିଜୟ ସହ ବ୍ରାଜିଲ୍ ନବମ ଥର ପାଇଁ କୋପା ଆମେରିକାର ବିଜୟ ମୁକୁଟ ପିନ୍ଧିଛି । ଦଳ ଶେଷ ଥର ପାଇଁ ୨୦୦୭ରେ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଥିଲା ।
ତୀବ୍ର ସଂଘର୍ଷପୂର୍ଣ୍ଣ ଟାଇଟଲ ଲଢ଼େଇରେ ଗାବ୍ରିଏଲ୍ ଜିସସ୍ଙ୍କ ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା । ସେ ଗୋଟିଏ ଚମକ୍ରାର ଗୋଲ ସହ ଏକ ଗୋଲ୍ରେ ସହାୟତା କରିଥିଲେ । ୨ଟି ୟେଲୋ କାର୍ଡ ସହ ରେଫରୀ ତାଙ୍କୁ ୭୦ ମିନିଟ୍ରେ ରେର୍ଡ କାର୍ଡ ଦେଖାଇଥିଲେ । ପରବର୍ତ୍ତୀ ୨୦ ମିନିଟ୍ ବ୍ରାଜିଲ୍ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା । ଜୋରଦାର ପ୍ରୟାସ ସତ୍ତେ୍ୱ ପେରୁ ଏହାର ଫାଇଦା ଉଠାଇ ପାରିନଥିଲା ।
ମ୍ୟାଚ୍ ଆରମ୍ଭରୁ ବ୍ରାଜିଲ୍ ଘନ ଘନ ଆକ୍ରମଣ କରିଥିଲା । ତେଣୁ ୧୫ ମିନିଟ୍ରେ ଦଳ ଅଗ୍ରଣୀ ହାସଲ କରିଥିଲା । ଗାବ୍ରିିଏଲ୍ ଜିସସ୍ଙ୍କ ଏକ ସୁନ୍ଦର ପାସ୍କୁ ଏଭରଟନ୍ ଗୋଲରେ ପରିଣତ କରିଥିଲେ । ଏଥର ମୁକାବିଲା ଅଧିକ ରୋମାଞ୍ଚକର ହୋଇଥିଲା । ୩୦ତମ ମିନିଟ୍ରେ ଜିସସ୍ ପ୍ରଥମ ୱେଲୋ କାର୍ଡ ପାଇଥିଲେ । ଲଗାତାର ବିଫଳ ହେବା ପରେ ୪୪ତମ ମିନିଟ୍ରେ ପେରୁ ମ୍ୟାଚ୍କୁ ଫେରିଥିଲା । ଦଳର ଅଧିନାୟକ ପାଓଲୋ ଗ୍ୱେରେରୋ ଗୋଲ୍ରେ ପରିଣତ କରି ସ୍ଥିତି ବରାବର କରିଥିଲେ । ପେରୁର ଏହି ଖୁସି ବେଶି ସମୟ ରହିନଥିଲା । କାରଣ ଏହାର ୪ ମିନିଟ୍ ପରେ ଅର୍ଥାତ ଇନ୍ଜ୍ୟୁରୀ ଟାଇମ୍(୪୫+୩)ରେ ଜିସସ୍ଙ୍କ ଚମକ୍ରାରିତା ଦେଖିବାକୁ ମିଳିଥିଲା । ପେରୁ ଖେଳାଳିଙ୍କୁ ଚକ୍ମା ଦେଇ ସେ ଏକ ଆକର୍ଷଣୀୟ ଗୋଲ କରିଥିଲେ । ଏଥିସହିତ ବ୍ରାଜିଲ୍ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୧ରେ ଆଗୁଆ ରହିଥିଲା ।
ଦ୍ୱିତୀୟାର୍ଦ୍ଧରେ ଘମାଘୋଟ ଲଢ଼େଇ ହୋଇଥିଲା । ସ୍ଥିତି ବରାବର କରିବାକୁ ପେରୁ ସବୁ ଶକ୍ତି ଲଗାଇ ଦେଇଥିଲା । ୭୦ତମ ମିନିଟ୍ରେ ଘରୋଇ ଦଳକୁ ଲାଗିଥିଲା ଶକ୍ତ ଝଟ୍କା । ଜିସସ୍ ଦ୍ୱିତୀୟ ଥର ୱେଲୋ କାର୍ଡ ପାଇଥିଲେ । ଯାହାକି ରେର୍ଡ କେର୍ଡରେ ପରିଣତ ହୋଇଥିଲା । ବ୍ରାଜିଲ୍ ଅନ୍ତିମ ୨୦ ମିନିଟ୍ ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା । ତଥାପି ପେରୁ ଏହାର ଫାଇଦା ଉଠାଇ ପାରିନଥିଲା । ଅପରପକ୍ଷରେ ମ୍ୟାଚ୍ର ଅନ୍ତିମ ମିନିଟ୍ରେ ଘରୋଇ ଦଳ ତୃତୀୟ ଗୋଲ କରି ମ୍ୟାଚ୍କୁ ୩-୧ ଗୋଲରେ ଜିତିନେଇଥିଲା । ରିଚାର୍ଲିସନ୍ ଏହି ଗୋଲଟି କରିଥିଲେ । ଏହି ଟାଇଟଲ ସହ ବ୍ରାଜିଲ୍ ଏକ ବିରଳ କୀର୍ତ୍ତିମାନ ଅର୍ଜନ କରିଥିଲା । ଦଳ ଆୟୋଜକ ଦେଶ ଭାବେ ପ୍ରତିଟି ସଂସ୍କରଣ(୧୯୧୯, ୧୯୨୨, ୧୯୪୯, ୧୯୮୯ ଓ ୨୦୧୯) ରେ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons