ବ୍ରାହ୍ମଣୀରେ ବୁଡ଼ିଗଲା ଡଙ୍ଗା, ୪ ନିଖୋଜ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଖଡ଼ଗପ୍ରସାଦ ଘାଟରୁ ପରଜଙ୍ଗ ବ୍ଳକ୍ର ରୋଡ଼ କୁନ୍ଦନଦେଈପୁର କାଟେଣୀ ଘାଟକୁ ଯାଉଥିବା ଏକ ହୁଲି ଡଙ୍ଗା ବ୍ରାହ୍ମଣୀ ନଦୀ ମଝିରେ ବୁଡ଼ି ଯାଇଛି । ଡଙ୍ଗାରେ ୯ଜଣ ନଦୀ ପାର ହେଉଥିବା ବେଳେ ୫ ଜଣ ପ୍ରାଣ ବିକଳରେ ପହଁରି କୂଳରେ ଲାଗିଛନ୍ତି । ରିପୋର୍ଟ୍ ଲେଖାଯିବା ପର୍ଯ୍ୟନ୍ତ ଅନ୍ୟ ୪ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି । ସେପଟେ ଡଙ୍ଗାଟି ନଦୀରେ ଭାସି ଗେଙ୍ଗୁଟିଆ ଘାଟରେ ଲାଗିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୂଷଣରେ କାମ କରୁଥିବା ରୋଡ଼ ଅଞ୍ଚଳର ଶ୍ରମିକ, କର୍ମଚାରୀମାନେ କାମ ସାରି ଖଡ଼ଗପ୍ରସାଦ ଘାଟରୁ ଡଙ୍ଗା ଯୋଗେ ନଦୀ ପାର ହୋଇଥାନ୍ତି । ଆଜି ରାତି ପ୍ରାୟ ୮ଟା ୧୫ ମିନିଟ୍ରେ ୭ ଜଣ ଯାତ୍ରୀଙ୍କୁ ନେଇ ନାଉରିଆ ଖଡ଼ଗପ୍ରଦସାଦ ଗ୍ରାମର ଧନେଶ୍ୱର ଓ ତାଙ୍କ ପୁଅ ଜଟି କୁନ୍ଦନଦେଈପୁର କାଟେଣୀ ଘାଟ ଅଭିମୁଖେ ବାହାରିଥିଲେ । ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ଆଜି ପାଣିର ସୁଅ ପ୍ରଖର ଥିଲା । ଏଥିସହ ନଦୀ ଏପଟକୁ ଆସିଥିବା ଏକ କେବୁଲ୍ରେ ଲାଗି ଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇଥିବା କୁହାଯାଉଛି । ନାଉରିଆ ନିୟନ୍ତ୍ରଣ କରିନପାରିବାରୁ ନଦୀ ମଝିରେ ବୁଡ଼ି ଯାଇଥିଲା । ତେବେ ନାଉରିଆ ବାପପୁଅ ସମେତ ଗଇଲୋ ଗ୍ରାମର ପ୍ରତାପ ସାହୁ (୨୫), ରୋଡ଼ ଗ୍ରାମର ନିପୁ ସାହୁ (୧୯) ଓ ଶୁବୁଲୁ ନାୟକ (୩୫) ପହଁରି ପହଁରି କୁନ୍ଦନଦେଈପୁର ଘାଟରେ ପହଞ୍ଚିଥିବା ବେଳେ କୁନ୍ଦନଦେଈପୁର ଗ୍ରାମର ବାପୁନ୍ ଆଚାର୍ଯ୍ୟ (୩୫), ରୋଡ଼ ଗ୍ରାମର ବିଜୟ ନାୟକ (୩୦), ରମେଶ ସାହୁ (୪୫) ଓ ସୁଶାନ୍ତ ସାହୁ (୩୨)ଙ୍କ ପତ୍ତା ମିଳିନାହିଁ ।
ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା । ଅଗ୍ନିଶମ କର୍ମଚାରୀଙ୍କ ସମେତ ସ୍ଥାନୀୟ ପୁଲିସ ଓ ହାତୀ ଆତଯାତକୁ ଦୃଷ୍ଟିରେ ରଖି ବନ ବିଭାଗର ଅଧିକାରୀ ଓୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ନଦୀର ଉଭୟ ପାଶ୍ୱର୍ରେ ନିଖୋଜଙ୍କୁ ଠାବ କରିବାକୁ ଖୋଜାଖୋଜି ଚାଲିଛି । ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons