
କୋରାପୁଟ,(ସତ୍ୟ ନାରାୟଣ ସହୁଙ୍କ ରିପୋର୍ଟ ): କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ତାଡ଼ିବାଲସା ଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ୧୭ କିମି ବ୍ରିଟିଶ ରୋଡ଼୍ର କୁମ୍ଭିମାଡ଼ା ପର୍ଯ୍ୟନ୍ତ ସରକାରୀ ବସ ଚଳାଇବା ପାଇଁ ଅଣ୍ଟାଭିଡ଼ିଛି ଆନ୍ଧ୍ର । ସାଲୁର ଠାରୁ ନେରେଡ଼ିବାଲାସା ଆସୁଥିବା ଆନ୍ଧ୍ର ବସକୁ ବ୍ରିଟିଶ ରୋଡ଼ର କୁମ୍ଭିମାଡ଼ା ପର୍ଯ୍ୟନ୍ତ ଚଲାଇବାକୁ ଆନ୍ଧ୍ର ନିଷ୍ପତ୍ତି ନେଇଛି । ଏନେଇ ଗତ ୧ତାରିଖରେ ନେରେଡ଼ିବାଲସାରେ ଆନ୍ଧ୍ର ପକ୍ଷରୁ ଆୟୋଜିତ ବୈଠକରେ ପାର୍ବତୀପୁରମ୍ ପିଏ ଆଇଟିଡ଼ିଏ ବି.କୁର୍ମାନାଥ ରାଓ ସୂଚନା ଦେଇଛନ୍ତି । ପରିବହନ ବିଭାଗ ସହ ଆଲୋଚନା କରି ଅତିଶୀଘ୍ର ବସ ସେବା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ରାଓ କହିଥିଲେ ।
ସୂଚନା ଯୋଗ୍ୟ ଯେ, ତାଡ଼ିବାଲସାଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ୧୭ କିମି ବ୍ରିଟିଶ ରୋଡ଼ ନିର୍ମାଣ କାର୍ଯ୍ୟ ଓଡ଼ିଶା ପକ୍ଷରୁ ଚାଲିଛି । ଏହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନାହିଁ । କିନ୍ତୁ ନେରେଡ଼ିବାଲାସାରୁ ତାଡ଼ିବାଲସା ଦେଇ କୁମ୍ଭିମାଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରଥିବାରୁ ଏହି ରାସ୍ତାରେ ଆନ୍ଧ୍ର ପ୍ରଥମେ ଏକ ସରାକରୀ ବସ ଚଲାଇ ସୀମାନ୍ତ ଗ୍ରାମବାସୀଙ୍କ ମନ ଜିଣିବାକୁ ଯୋଜନା ରଖିଛି । ଏସମ୍ପର୍କରେ ଆମ କୋଟିଆ ସଙ୍ଗଠନ ଆବାହକ ଗଦାଧର ପରିଡ଼ାଙ୍କୁ ପଚାରିବାରେ କୋଟିଆରୁ ନେରେଡ଼ିବାଲସା ୯କିମି ରାସ୍ତାକୁ ୩ବର୍ଷ ଲାଗିଲାଣି । କିନ୍ତୁ କାମ ସରୁନାହିଁ । ଏହି ରାସ୍ତା ସରିଥିଲେ ଅନ୍ତତଃ କୋଟିଆକୁ ଆସୁଥିବା ରାଜ୍ୟ ସରକାରଙ୍କ ସରକାରୀ ବସକୁ ସମ୍ପ୍ରସାରିତ କରାଯାଇ କୁମ୍ଭିମାଡ଼ା ପର୍ଯ୍ୟନ୍ତ ଚଲାଯାଇ ପାରିଥାନ୍ତା । କିନ୍ତୁ କାମ ସରି ନଥିବାରୁ ଆନ୍ଧ୍ର ପକ୍ଷରୁ ନେରେଡ଼ିବାଲାସାକୁ ଆସୁଥିବା ସରକାରୀ ବସକୁ କୁମ୍ଭିମାଡ଼ା ଚଲାଇବାକୁ ଉଦ୍ୟମ କରାଯାଉଛି । ତେଣୁ ରାଜ୍ୟ ସରକାର କୋଟିଆ ନେରେଡ଼ିବାଲାସା ରାସ୍ତା ତୁରନ୍ତ ସାରି ଏସବୁ ଅଞ୍ଚଳକୁ ବସ ସେବା ଦେବା ଜରୁରୀ ବୋଲି ଶ୍ରୀ ପରିଡା କହିଛନ୍ତି ।
Comments are closed, but trackbacks and pingbacks are open.