ନୂଆଦିଲ୍ଲୀ:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ବଜାୟ ରଖିଛନ୍ତି । ୫୧୮୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ସେ ଭାରତର ନମ୍ବର ୧ ଧନୀ ଭାବେ ପୁନଃ ଆଖ୍ୟା ପାଇଛନ୍ତି । ଅନ୍ୟପକ୍ଷରେ, ସମଗ୍ର ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସେ ୧୩ ତମ ସ୍ଥାନରେ ଅବସ୍ଥାପିତ ହୋଇଥିବା ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରୁ ପ୍ରକାଶ ।
ତାଲିକାରେ ୧୮ ଜଣ ଭାରତୀୟ ସ୍ଥାନ ପାଇଛନ୍ତି, ଯେଉଁଥିରେ ଆଗରେ ଅଛନ୍ତି ମୁକେଶ । ତାଙ୍କ ପଛକୁ ୨୦୫୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ଅଜୀମ ପ୍ରେମ୍ଜୀ ୪୮ ତମ ର୍ୟାଙ୍କରେ ଅଛନ୍ତି । ଶୀବ ନାଦାର ୧୪୫୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ୯୨ ତମ ସ୍ଥାନରେ ଥିବାବେଳେ ୧୩୮୦ କୋଟି ଡଲାର ସହ ଉଦୟ କୋଟାକ ୯୬ ତମ ସ୍ଥାନରେ ଅଛନ୍ତି ।
୧୨୫୦୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ଆମାଜନ୍ ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଭାବେ ୧ ନମ୍ବର ସ୍ଥାନରେ ସ୍ଥିର ରହିଛନ୍ତି ।
ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଲକ୍ଜ୍ୟୁରୀ ବ୍ରାଣ୍ଡ ଲୁଇସ୍ ଭିଟନ୍ ନିର୍ମାତା ଏଲ୍ଭିଏମ୍ଏଚ୍ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ଣ୍ଣାଡ ଆର୍ନଲ୍ଟ । ତାଙ୍କ ନେଟ୍ ସମ୍ପତ୍ତି ପରିମାଣ ୧୦୮୦୦ କୋଟି ଡଲାର ରହିଛି । ୧୦୭୦୦ କୋଟି ଡଲାର ସହ ତୃତୀୟ ସ୍ଥାନରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ସ୍ଥାନ ପାଇଛନ୍ତି । ୮୩୯୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ବର୍କଶେୟାର ହାଥାୱେ ସିଇଓ ୱାରେନ୍ ବଫେ ଚତୁର୍ଥ ସ୍ଥାନରେ, ୭୯୫୦ କୋଟି ଡଲାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଫେସ୍ବୁକ୍ ସିଇଓ ମାର୍କ ଜୁକ୍କରବର୍ଗ, ୬୭୨୦ କୋଟି ଡଲାର ସହ ଇଣ୍ଡିଟେକ୍ସ ଫ୍ୟାସନ ଗ୍ରୁପ୍ ପ୍ରତିଷ୍ଠାତା ଆମାନ୍ସିଓ ଅର୍ଟେଗା ଷଷ୍ଠ ସ୍ଥାନରେ, ୬୧୮୦ କୋଟି ଡଲାର ନେଟ୍ ସମ୍ପତ୍ତି ସହ ଓରାକଲ ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ୍ ସପ୍ତମ, ୫୬୬୦ କୋଟି ଡଲାର ସମ୍ପତ୍ତି ସହ ଗୁଗୁଲ୍ ସହ-ପ୍ରତିଷ୍ଠାତା ଲ୍ୟାରୀ ପେଜ୍ ଅଷ୍ଟମ, ୫୬୪୦ କୋଟି ଡଲାର ସମ୍ପତ୍ତି ସହ ଟେଲିମେକ୍ସ ସିଇଓ କାର୍ଲୋସ ସ୍ଲିମ୍ ନବମ ଏବଂ ୫୬୩୦ କୋଟି ଡଲାର ସମ୍ପତ୍ତି ସହ ଲିଲିଆନେ ବିଟେନ୍କୋର୍ଟଙ୍କ ଉତ୍ତରାଧିକାରୀ ଫ୍ରାନ୍କୋଇସ୍ ବିଟେନ୍କୋର୍ଟ ମେୟର ଦଶମ ସ୍ଥାନରେ ରହିଛନ୍ତି ।
Comments are closed, but trackbacks and pingbacks are open.