ବ୍ୟାଗ୍ ଫ୍ୟାକ୍ଟ୍ରିରେ ନିଆଁ, ୪୩ ମୃତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ । ସେଣ୍ଟ୍ରାଲ ଦିଲ୍ଲୀସ୍ଥିିତ ଅନାଜ ମଣ୍ଡି ଅଞ୍ଚଳରେ ଥିବା ଏକ ବ୍ୟାଗ ଫ୍ୟାକ୍ଟ୍ରିରେ ଭୋର ପ୍ରାୟ ୫ଟା ସମୟରେ ନିଆଁ ଲାଗିଥିଲା । ସକାଳୁ ସକାଳୁ ଲୋକଙ୍କ ଆଖି ଖୋଲିବା ପୂର୍ବରୁ ୪୩ ଜଣ ଲୋକ ଏହି ଅଗ୍ନିକାଣ୍ଡରେ ଆଖି ବୁଜିଛନ୍ତି । ଚାରି ମହଲ ବିଶିଷ୍ଟ କୋଠାରେ ଥିବା ଏହି ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକମାନେ ରାତିରେ ଫ୍ୟାକ୍ଟି୍ର ମଧ୍ୟରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିଲା । ଅଧିକାଂଶ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ୬୩ରୁ ଊଦ୍ଧ୍ୱର୍ ଶ୍ରମିକଙ୍କୁ ଆହତ ଅବସ୍ଥାରେ ଫ୍ୟାକ୍ଟ୍ରି ମଧ୍ୟରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସର୍ଟ ସର୍କିଟ କାରଣରୁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ମୃତକମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ଘଟଣା ନିମନ୍ତେ ଦୁଃଖବ୍ୟକ୍ତ କରିଛନ୍ତି । ମୋଦି ମୃତକମାନଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଆର୍ଥିକ ସହାୟତା ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ଏକ ଟୁଇଟ୍ କରି ସୂଚିତ କରାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ସରକାର ମୃତକମାନଙ୍କ ପରିବାର ଉଦେ୍ଧଶ୍ୟରେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହତମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ସେମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି । ଏହା ବ୍ୟତୀତ ୭ ଦିନ ମଧ୍ୟରେ ଘଟଣାର ସମ୍ପର୍କିତ ସବିଶେଷ ରିପୋର୍ଟ ଦାଖଲ କରିବାକୁ କେଜରିୱାଲ ସ୍ଥାନୀୟ ମାଜିଷ୍ଟେ୍ରଟ୍ଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଅଗ୍ନିକାଣ୍ଡ ଏତେ ବ୍ୟାପକ ଥିଲା ଯେ ଏକା ସାଙ୍ଗରେ ୩୦ଟି ଦମକଳ ଗାଡ଼ିକୁ ନିଆଁ ଲିଭାଇବାରେ ନିୟୋଜିତ କରାଯାଇଥିଲା । ୧୫୦ରୁ ଊଦ୍ଧ୍ୱର୍ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଉପରେ କାବୁ ଆଣିବା ସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଏଲ୍ଏନ୍ଜେପି ଏବଂ ଆର୍ଏମ୍ଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫ୍ୟାକ୍ଟ୍ରିରେ କାମ କରୁଥିବା ଅଧିକାଂଶ ଶ୍ରମିକ ବିହାର ଏବଂ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।
ଡେପୁଟି ଚିଫ ଫାୟାର ଅଫିସର ସୁନିଲ ଚୌଧୁରୀଙ୍କ ମୁତାବକ, ସକାଳ ପ୍ରାୟ ୫ଟା ୨୨ରେ ଅଗ୍ନିଶମ ବିଭାଗକୁ ଏ ବାବଦରେ ଅବଗତ କରାଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫ୍ୟାକ୍ଟ୍ରି ମଧ୍ୟରେ ଫସି ରହିଥିବା ୬୩ରୁ ଊଦ୍ଧ୍ୱର୍ ଲୋକଙ୍କୁ ଜୀବିତ ଉଦ୍ଧାର କରିବାରେ ସମର୍ଥନ ହୋଇଥିଲେ । ଫ୍ୟାକ୍ଟ୍ରିର ବାହାର ପଟୁ ତାଲା ଲାଗିଥିବାରୁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଶ୍ରମିକଙ୍କର ମୃତୁ୍ୟ ହୋଇଥିଲା । ଅନେକ ଶ୍ୱାସରୁଦ୍ଧ ହୋଇ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ । ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରିତ କରିଥିଲା ।
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଅନ୍ୟ ଜଣେ ଅଗ୍ନିଶମ ଅଧିକାରୀଙ୍କ ମୁତାବକ, ୪ ମହଲ ବିଶିଷ୍ଟ ଏହି କୋଠା ଗୋଟିଏ ସିଡ଼ି ଦ୍ୱାରା ସଂଯୋଗ ହୋଇଥିଲା । ଏହା ବ୍ୟତୀତ ଫ୍ୟାକ୍ଟ୍ରିଟି ଏକ ମଜବୁତ ଲୁହା ଗେଟ୍ରେ ବନ୍ଦ ଥିଲା । ଫ୍ୟାକ୍ଟି୍ରର ଛାତ ଉପରେ ଥିବା ଗେଟ୍ ମଧ୍ୟ ବନ୍ଦ ଥିଲା । ସମସ୍ତ ଗେଟ୍ ଭାଙ୍ଗି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ବେଳକୁ ବିଷାକ୍ତ କାର୍ବନ ମନୋକ୍ସାଇଡ ଧୂଆଁ କୋଠା ମଧ୍ୟରେ ବ୍ୟାପି ସାରିଥିଲା । ଫଳରେ ଅଧିକାଂଶ ଲୋକ ଚେତା ହରାଇଥିଲେ । ଅନେକ ଲୋକ ଗେଟ୍ ସେପଟେ ରହି ‘ବଞ୍ଚାଅ-ବଞ୍ଚାଅ’ ବୋଲି ଚିକ୍ରାର କରିଥିଲେ । ଉଦ୍ଧାର ନିମନ୍ତେ ଫ୍ୟାକ୍ଟ୍ରିରେ ଥିବା ଝରକାଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା ।
ଏହି ଫ୍ୟାକ୍ଟ୍ରିଟି ଅଗ୍ନି ନିରାପତା ସାର୍ଟିଫିକେଟ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ବିନା ଅଗ୍ନି ନିରାପତା ସାର୍ଟିଫିକେଟରେ ଏହା ବର୍ଷବର୍ଷ ଧରି ଚାଲୁଥୁଲା । ଫଳରେ ପୁଲିସ ଫ୍ୟାକ୍ଟି ମାଲିକ ସମେତ ନିଆଁ ଲାଗିଥିବା କୋଠାର ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି । ୧୯୯୭ରେ ଦିଲ୍ଲୀରେ ଘଟିଥିବା ଉପହାର ସିନେମା ଟ୍ରାଜେଡି ପରେ ଏହା ଦ୍ୱିତୀୟ ବୃହତ ଅଗ୍ନିକାଣ୍ଡ । ଉକ୍ତ ଅଗ୍ନିକାଣ୍ଡରେ ୫୯ ଜଣ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons