ବ୍ୟାଙ୍କଗୁଡ଼ିକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ:କ୍ଷୁଦ୍ର ଶିଳ୍ପକୁ ସହଯୋଗ କର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କ୍ଷୁଦ୍ର ଶିଳ୍ପଗୁଡ଼ିକ ପ୍ରତି ଅନୁକୂଳ ମନୋଭାବ ରଖ । ସହଯୋଗର ହାତ ବଢ଼ାଅ । ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଅ । ଋଣ ପରିଶୋଧପାଇଁ ବି ଅତିରିକ୍ତ ସମୟ ଦିଅ । ବ୍ୟାଙ୍କଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶା ଆସେମ୍ବ୍ଲି ଅଫ୍ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମି) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ ୨୦୧୯ରେ ଯୋଗଦେଇ ସେ ଏହା କହିଛନ୍ତି ।
କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ନିଯୁକ୍ତି ଓ ରୋଜଗାର ସୃଷ୍ଟି ପାଇଁ ସରକାରଙ୍କ ପ୍ରଚେଷ୍ଟାକୁ ଏମ୍ଏସ୍ଏମ୍ଇ ଜଗତ ହାଲୁକା କରିଥାଏ । କୃଷି ପରେ ଏ କ୍ଷେତ୍ର ହିଁ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଛି । ସବୁ ବ୍ୟବସାୟୀ ବିଜୟ ମାଲ୍ୟା ଓ ନିରବ ମୋଦି ନୁହନ୍ତି । ଏମାନେ ବହୁ ସ୍ୱଳ୍ପ ପରିମାଣର ଋଣ କରିଥିବାରୁ ବ୍ୟାଙ୍କକୁ ଠକି ବିଦେଶକୁ ପଳାଇବେ ନାହିଁ । ଏଣୁ ଏହି କ୍ଷୁଦ୍ର ଶିଳ୍ପକୁ ବ୍ୟାଙ୍କଗୁଡ଼ିକ ସଦୟ ମନୋଭାବ ପୋଷଣ କରନ୍ତୁ । ଋଣ ପରିଶୋଧପାଇଁ ଅତିରିକ୍ତ ସମୟ ଦିଅନ୍ତୁ । ନୂଆ ଉଦ୍ୟୋଗୀଙ୍କୁ ଆବଶ୍ୟକୀୟ ସହଯୋଗ କରନ୍ତୁ ।
ଭାରତୀୟ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଦେଶର ବିନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ୪୫% ଅବଦାନ ରହିଛି । ରପ୍ତାନିରେ ଏହା ୪୦% ଅଂଶୀଦାର ଥିବା ବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨୮% ଅଂଶୀଦାର । ଏଣୁ ଯଦି ଏମ୍ଏସ୍ଏମ୍ଇ ରୁଗ୍ଣ ହେବ, ଅର୍ଥନୀତି ପ୍ରଭାବିତ ହେବ । ଏଣୁ ଓସ୍ମି ଭଳି ଶିଳ୍ପସଂଘଗୁଡ଼ିକୁ ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟକ୍ରମ ଆୟୋଜନ କରି ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗୀ ହେବାକୁ ପ୍ରେରଣା ଯୋଗାଇବା ଉଚିତ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, କ୍ଷୁଦ୍ର ଶିଳ୍ପର ବିକାଶ ଲାଗି ଖୁବ୍ଶୀଘ୍ର ପଶ୍ଚିମ ଓଡ଼ିଶାର କେସିଙ୍ଗାଠାରେ ଏକ ସ୍ୱତନ୍ତ୍ର ଏମ୍ଏସ୍ଏମ୍ଇ କ୍ଲଷ୍ଟର ସ୍ଥାପନ କରାଯିବ । ରାଜ୍ୟରେ ଏଭଳି ୨ଟି କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା ରହିଛି । ଖୁବ୍ଶୀଘ୍ର ଉଭୟ ଏସ୍ଏମ୍ଇ କ୍ଲଷ୍ଟରକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ବାତ୍ୟା ଫୋନି ଯୋଗୁ ଓଡ଼ିଶାର ବହୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ପ୍ରଭାବିତ ହୋଇଛନ୍ତି । ଉଭୟ ଭିଞ୍ଚିଭୂମି ଓ ପରିଚାଳନାଗତ କ୍ଷତି ସହିଛନ୍ତି । ସେମାନଙ୍କ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସେ କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ ୨୦୧୯କୁ ଉଦ୍ଘାଟନ କରି ଶିଳ୍ପାୟନ ଯୋଗୁ ପରିବେଶର ହେଉଥିବା କ୍ଷତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଣୁ ଶିଳ୍ପ ଜଗତରେ ମଣିଷ ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଏମ୍ଏସ୍ଏମ୍ଇ ସଚିବ ଅରୁଣ ପଣ୍ଡା, ନାଲ୍କୋ ସିଏମ୍ଡି ଡ. ତପନ କୁମାର ଚାନ୍ଦ, ଓସ୍ମି ଅଧ୍ୟକ୍ଷ ଗୌରୀ ଶଙ୍କର ମିଶ୍ର, ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons