ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ସହରସାହି ଗ୍ରାମରେ ଡାଇରିଆ ଆତଙ୍କ ଦେଖାଦେଇଛି । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୪ଜଣ ଗୁରୁତର, ୨୫ରୁ ଅଧିକ ଅସୁସ୍ଥ ଅଛନ୍ତି । ଏନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସହର ସାହିର ରୁକ୍ମିଣୀ ପଲେଇ ନାମକ ଜଣେ ବୃଦ୍ଧା ଆଜକୁ ୪ ଦିନ ପୂର୍ବରୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଏବେ ଗୁରୁତର ଅବସ୍ଥାରେ ନନ୍ଦକିଶୋର ପଲେଇ, ମଞ୍ଜୁଲତା ପଲେଇ, ଜୟନ୍ତୀ ଦାସ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପୁରୁଷୋତ୍ତମ ପଲେଇ ନାମକ ବୃଦ୍ଧ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଅର୍ଥ ଅଭାବରୁ ସେ ଯାଇପାରିନଥିବା ଜଣାପଡ଼ିଛି । ଗାଁକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇଥିବା ଜଣାପଡ଼ିଛି । ସେହିପରି ସହର ସାହି ନିକଟସ୍ଥ ମଲ୍ଲିଆଣୀ ଗ୍ରାମରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ଦୁର୍ଗା ବେହେରା (୨୦) ନାମକ ଜଣେ ଯୁବତୀ ଆକ୍ରାନ୍ତ ହୋଇ ଶନିବାର ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଝାଡ଼ାବାନ୍ତି ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ରହିଛି ।
Comments are closed, but trackbacks and pingbacks are open.