ନୂଆଦିଲ୍ଲୀ: ସମସ୍ତଙ୍କୁ ବାସଗୃହ ଯୋଗାଇଦେବା ଲାଗି ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଶସ୍ତା ଗୃହ କ୍ଷେତ୍ରରେ ସବ୍ସିଡି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଗ୍ରାହକଙ୍କୁ ଋଣ ହାସଲ କ୍ଷେତ୍ରରେ ଭଲ ସୁବିଧା ମିଳୁଛି । ଏହା ସତ୍ତେ୍ୱ ଶସ୍ତା ବର୍ଗର ବାସଗୃହ ଚାହିଦା ବଢ଼ିପାରୁ ନାହିଁ । ଦେଶର ୯ଟି ସହରରେ ଏବେ ୪.୧୨ ଲକ୍ଷ ଫ୍ଲାଟ୍ ବିକ୍ରି ନ ହୋଇ ପଡ଼ିରହିଛି । ଫ୍ଲାଟ୍ ବିକ୍ରି ହୋଇ ନ ପାରିବା କାରଣରୁ ହାଉସିଂ ଡେଭଲପରମାନେ ସଂକଟର ସମ୍ମୁଖୀନ ହେଉଛନ୍ତି । ପ୍ରପର୍ଟି ବ୍ରୋକରେଜ୍ ସଂସ୍ଥା ପ୍ରପ୍ଟାଇଗର ଡଟ୍ କମ୍ ଏହି ତଥ୍ୟ ପ୍ରଦାନ କରିଛି ।
ପ୍ରପ୍ଟାଇଗର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ (ସିଇଓ) ଧ୍ରୁବଅଗରୱାଲା କହିଛନ୍ତି, ରିୟଲ ଇଷ୍ଟେଟ୍ ଡେଭଲପରମାନେ ଏବେ ୪.୧୨ ଲକ୍ଷ ବିକ୍ରି ହୋଇ ନଥିବା ବାସଗୃହ ଧାରଣ କରିଛନ୍ତି । ଚାହିଦା ନ ଥିବାରୁ ଏହା ବିକ୍ରି ହୋଇପାରୁ ନାହିଁ । ତେବେ ସରକାର ଗୃହ ଋଣ ସୁଧ ଉପରେ ହ୍ରାସ ସୀମା ପୂର୍ବର ୨ ଲକ୍ଷ ଟଙ୍କାରୁ ୩.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁଆଗାମୀ ଦିନରେ ଚାହିଦା ବଢ଼ିବ ବୋଲିଆଶା କରାଯାଉଛି ।
ପ୍ରପ୍ଟାଇଗର ଦ୍ୱାରା ଠୁଳ କରାଯାଇଥିବା ତଥ୍ୟ ମୁତାବକ ୯ଟି ସହରରେ ଜୁନ୍ ତ୍ରୈମାସ ଶେଷସୁଦ୍ଧା ୭,୯୭,୬୨୩ ୟୁନିଟ୍ ଗୃହ ବିକ୍ରି ନ ହୋଇ ପଡ଼ିରହିଥିଲା । ଏହି ସହରଗୁଡ଼ିକ ମଧ୍ୟରେ ଗୁରୁଗ୍ରାମ, ନୋଏଡ଼ା, ମୁମ୍ବାଇ, କୋଲ୍କାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଓଅହମ୍ମଦାବାଦ ରହିଛି । ବିକ୍ରି ହୋଇପାରି ନଥିବା ଏହି ୭,୯୭,୬୨୩ ଘର ମଧ୍ୟରୁ ୪,୧୨,୯୩୦ ୟୁନିଟ୍ ସୁଲଭ ବାସଗୃହ କ୍ଷେତ୍ରର ବୋଲି ଜଣାପଡ଼ିଛି । ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଘରକୁ ଶସ୍ତା ଗୃହ ବର୍ଗରେ ସାମିଲ କରାଯାଇଛି ।
Comments are closed, but trackbacks and pingbacks are open.