ଭଉଣୀ ଗୀତାଙ୍କ ପଞ୍ଜୀକରଣ କଲେ ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ସହ ହୋମ କ୍ୱାରେଣ୍ଟାଇନରେ ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ଫେରିଥିବା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାମକୁ ସରକାରୀ ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ପଞ୍ଜୀକୃତ କରାଇଛନ୍ତି ।
ନବୀନଙ୍କ ଏ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ୱିଟ୍ କରିଛନ୍ତି ଯେ, କରୋନା ମୁକାବିଲାରେ ନବୀନ ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟମାନେ ନବୀନଙ୍କୁ ଅନୁକରଣ କରିବା ଦରକାର । କରୋନା ସଂକ୍ରମଣର ମୁକାବିଲା ପାଇଁ ଆମେମାନେ ନିଜ ସ୍ତରରେ ଏଭଳି ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବାରେ ନବୀନଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ । ଏପରି ବିପଦ ସମୟରେ ଆମେ ସମସ୍ତେ ମିଳିତ ଭାବେ ଲଢେଇ କଲେ କରୋନା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ମୁଁ ମୋ ଭଉଣୀଙ୍କର କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକରଣ କରିଛି । ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି, ବିଦେଶରୁ ଯେଉଁମାନଙ୍କର ପରିବାର ସଦସ୍ୟ କିମ୍ବା ବନ୍ଧୁବାନ୍ଧବ ଆସୁଛନ୍ତି ସେମାନଙ୍କୁ ପୋର୍ଟାଲରେ ଏଭଳି ପଞ୍ଜୀକରଣ କରନ୍ତୁ । ଏହାଦ୍ୱାରା ବିଦେଶ ଫେରନ୍ତାମାନେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ କରିପାରିବେ । ଉଲ୍ଲେଖଯୋଗ୍ୟ, ଗଜପତି ଦିବ୍ୟସିଂହ ଦେବ ଆମେରିକାରୁ ଫେରି ସପରିବାରଙ୍କୁ ପଞ୍ଜୀକୃତ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଆଇଏଏସ୍ ଭିନିଲ କ୍ରିଷ୍ଣା ମଧ୍ୟ ନିଜର ନାମ ପଞ୍ଜୀକରଣ କରି ଏବେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons