ଜୟପୁର: ଭତ୍ତା ପାଇଁ ଅନଲାଇନରେ ଆବେଦନ କରିବାର ୯ ମାସ ବିତିଯାଇଛି । ତଥାପି ଭତ୍ତା ମଞ୍ଜୁର କରୁନି ପ୍ରଶାସନ । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଓଡିଆ ମେଦ୍ରୀ ସାହିର ଦୁଇ ବିଧବା ପାର୍ବତୀ ପରଜା(୫୨) ଓ ଋକ୍ମିଣୀ ଜାନି(୬୧) । ମଲା ପରେ ଭତ୍ତା ଦେବାର ବ୍ୟବସ୍ଥା କରାଯିବ କି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଭତ୍ତା ପାଇବାକୁ ସେମାନେ ଯୋଗ୍ୟ ଥିବାରୁ ତୁରନ୍ତ ବ୍ୟବସ୍ଥା କରିବାକୁ ସାହିବାସିନ୍ଦା ମଧ୍ୟ ଦାବି କରିଛନ୍ତି ।
ପାର୍ବତୀ ପରଜା । ୫ ବର୍ଷ ତଳେ ସ୍ୱାମୀ ଅଭି ପରଜାଙ୍କ କୌଣସି କାରଣରୁ ମୃତୁ୍ୟ ହୋଇଥିଲା । ପୁଅଝିଅ କେହି ନାହାନ୍ତି । ସ୍ୱାମୀଙ୍କ ମୃତୁ୍ୟ ପରେ ଏକୁଟିଆ ହୋଇଯାଇଛନ୍ତି ପାର୍ବତୀ । ପରଘରେ ବାସନ ମାଜି ଚଳୁଛନ୍ତି । ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷା ଆଇନରେ ମିଳୁଛି ୫ କେଜି ଚାଉଳ । ନିଜର ଜମିବାଡ଼ି କିଛି ନାହିଁ । ବୋରିଗୁମ୍ମାର ଜଣେ ବ୍ୟକ୍ତିଙ୍କ ଖାଲିସ୍ଥାନରେ ଛୋଟ ଘରଟିଏ କରି ମୁଣ୍ଡ ଗୁଞ୍ଜିଛନ୍ତି । ଜାଗା ମିଶନରେ ତାଙ୍କୁ ସାମିଲ କରାଯାଇନି କି ପ;ା ଦିଆଯାଇନି । ଫଳରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନି । ପରିଚାପର ବିଷୟ, ସ୍ୱାମୀ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ବି ତାଙ୍କ ମୃତୁ୍ୟ ପରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ପାର୍ବତୀଙ୍କୁ ଏଯାଏଁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇନି । ବିଧବା ଭତ୍ତାର ବ୍ୟବସ୍ଥା କରାଯାଇନି । ଅନଲାଇନରେ ଆବେଦନ କରିବା ପରେ ହିଁ ଭତ୍ତା ଦିଆଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଥିଲା । ଏହାପରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଅନଲାଇନରେ ଭତ୍ତା ପାଇଁ ଆବେଦନ କରିଥିଲେ । ୨୦୨୦ ସେପ୍ଟେମ୍ବର ୧୫ରେ ଆବେଦନ କରି ଏପର୍ଯ୍ୟନ୍ତ ଅନେଇ ରହିଛନ୍ତି । ପୌର କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ଅତିଶୀଘ୍ର ମିଳିଯିବ । ଏମିତିରେ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ପାର୍ବତୀ ।
ପାର୍ବତୀଙ୍କ ଭଳି ସେହି ସାହିର ଋକ୍ମିଣୀଙ୍କ ମଧ୍ୟ ସମାନ ଅଭିଯୋଗ । ପାର୍ବତୀଙ୍କ ସହ ସେ ମଧ୍ୟ ବିଧବା ଭତ୍ତା ପାଇଁ ଅନଲାଇନରେ ଆବେଦନ କରିଥିଲେ । ଆବେଦନର ୯ ମାସ ବିତିଯାଇଥିଲେ ବି ଭତ୍ତା ଦେବାର ବ୍ୟବସ୍ଥା କରିନି ପୌର ପରିଷଦ । ଋକ୍ମିଣୀଙ୍କ ଏ ଦୁନିଆରେ ନିଜର ବୋଲି କେହି ନାହାନ୍ତି । ପରଘରେ ବାସନକୁସନ ମାଜି ବଞ୍ଚୁଛନ୍ତି । ୧୦ ବର୍ଷ ତଳେ ସ୍ୱାମୀ ଗୋବରୁ ଜାନିଙ୍କ ମୃତୁ୍ୟ ହୋଇଯାଇଛି । ଏକମାତ୍ର ଝିଅକୁ ବିବାହ ଦେଇଥିଲେ ଋକ୍ମିଣୀ । ଝିଅର ମଧ୍ୟ ଏ ଭିତରେ ମୃତୁ୍ୟ ହୋଇଯାଇଛି । ପାର୍ବତୀଙ୍କ ଭଳି ସେ ବି ଜଣଙ୍କ ବ୍ୟକ୍ତିଗଜ ଜାଗାରେ ଘର କରି ରହିଛନ୍ତି । ମାସକୁ ମିଳୁଛି ୫ କେଜି ଚାଉଳ । ବେସରକାରୀ ଜାଗାରେ ଘର କରି ରହିଥିବାରୁ ଜାଗା ମିଶନ କି ଆବାସ ଯୋଜନାରେ ସାମିଲ କରାଯାଇନି । ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ବିଧବା ଭତ୍ତା । ଦେଖାଯାଉ ଉପଜିଲ୍ଲାପାଳଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଏହି ଦୁଇ ବିଧବା ମହିଳାଙ୍କ ଉପରେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.