ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାରେ ଭଦ୍ରକ, ଯାଜପୁର, ବାଲେଶ୍ୱର ପାଲଟିଛି କରୋନାର ନୂଆ ହଟ୍ସ୍ପଟ୍ । ଭଦ୍ରକ ଜିଲ୍ଲାରୁ ଆଜି ଆଉ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ହିସାବ ୯୪ରେ ପହଞ୍ଚିଛି । ଯେଉଁଭଳି ଭାବେ ଏହି ତିନି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଖୁବଶୀଘ୍ର ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ଶହେ ଟପିବା ଆଶଙ୍କା ରହିଛି । ବିଶେଷ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଯାଇଛି ।
ଆଜି ସକାଳେ ସରକାର ସୂଚନା ଦେଇଥିଲେ, ଭଦ୍ରକରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୦ ବର୍ଷର ଏହି ଯୁବକ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅପରାହ୍ନରେ ସରକାର ପୁଣି ନୂଆ ସୂଚନା ଜାରି କରି ଜଣାଇଲେ, ଆଉ ଭଦ୍ରକରେ ଆଉ ୪ଜଣ ଯୁବକଙ୍କୁ କରୋନା ହୋଇଛି । ସେମାନଙ୍କ ବୟସ ୨୪ରୁ ୪୦ ବର୍ଷ ମଧ୍ୟରେ ।
ରାଜ୍ୟର ମୋଟ ୯୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇ ସାରିଲେଣି । ଜଣକର ମୃତୁ୍ୟ ହୋଇଛି । ଏବେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୭୦ ଜଣ ହସ୍ପିଟାଲ ଆଇସୋଲେସନ୍ରେ ଅଛନ୍ତି ।
ଆଜିର ସଂଖ୍ୟାକୁ ମିଶାଇ ଭଦ୍ରକରେ ମୋଟ କରୋନା ରୋଗୀ ସଂଖ୍ୟା ୧୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧୪ଜଣ ଚିକିତ୍ସିତ ହେଉଛନ୍ତି । ଯାଜପୁରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨ ଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । ବାକି ୧୧ ଜଣ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱରର ସମସ୍ତ ୧୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ପୂର୍ବରୁ କରୋନା ହଟ୍ସ୍ପଟ୍ ପାଲଟିଥିବା ଭୁବନେଶ୍ୱରରେ ଗତ କିଛି ଦିନ ହେବ ନୂଆ ସଂକ୍ରମଣର ଖବର ଆସିନାହିଁ । ହେଲେ ସରକାରଙ୍କ ନିଦ ହଜାଇ ଦେଲାଣି ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଏ ତିନି ଜିଲ୍ଲା କରୋନା ସଂକ୍ରମଣ ଅଚାନକ ଭାବେ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସରକାରଙ୍କୁ ୬୦ ଘଣ୍ଟିଆ ସଟ୍ଡାଉନ ଲାଗୁ କରିବାକୁ ପଡ଼ିଛି ।
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, ପ୍ରଥମେ ବିଦେଶରୁ ଆସିଥିବା ଲୋକେ, ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁବ୍ଦିନ୍ ଲିଙ୍କ୍ ଓ ତୃତୀୟ ପର୍ଯ୍ୟାୟରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରମଣ ବଢ଼ିଛି । ବର୍ତ୍ତମାନ ସୀମାନ୍ତବର୍ତ୍ତୀ ତିନି ଜିଲ୍ଲାରେ ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଗାମୀଦିନରେ ବାହାର ରାଜ୍ୟରେ ଅଟକିଥିବା ୫ ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବେ । ଏହି ସମ୍ଭାବ୍ୟ ଚତୁର୍ଥ ପର୍ଯ୍ୟାୟର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ବର୍ତ୍ତମାନର ସ୍ଥିତିକୁ କିଭଳି ମୁକାବିଲା କରିବେ, ତାହା ହିଁ ଆମକୁ ମାର୍ଗଦର୍ଶନ କରାଇବ । ବର୍ତ୍ତମାନ ଏହି ତିନି ଜିଲ୍ଲାବାସୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯିଏ ବି ରାଜ୍ୟ ବାହାରୁ ଆସିଛନ୍ତି, ସମସ୍ତଙ୍କୁ ଶକ୍ତ କ୍ୱାରେଣ୍ଟାଇନ ପାଳନ କରିବାକୁ ହେବ ।
ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ବୟସ ୭୦ ବର୍ଷ ଓ ଅନ୍ୟ ଜଣକର ବୟସ ୮୦ ବର୍ଷ । ସେମାନେ ଘରୁ କୁଆଡେ଼ ଯାଇନାହାନ୍ତି । ଏହାର ଅର୍ଥ ସେମାନଙ୍କ ପରିବାରର କେହି ଜଣେ ଅମାନିଆ ହୋଇ ଘରକୁ କରୋନା ଡାକି ଆଣିଛନ୍ତି । ଆମକୁ ଆହୁରି ସଚେତନ ରହିବାକୁ ହେବ । ବୟସ୍କମାନଙ୍କର ରୋଗ ପ୍ରତିରୋଧ ଶକ୍ତି କମ୍ ରହିଥାଏ । ତେଣୁ ବୟସ୍କ ଓ ଶିଶୁଙ୍କ ପାଇଁ ଅଧିକ ସଚେତନ ଓ ସତର୍କ ରହିବାକୁ ପଡ଼ିବ ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, କରୋନା ମୁକାବିଲା ପାଇଁ କଳାହାଣ୍ଡିର ଭବାନୀପାଟଣାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିଛି । ଏଥିରେ ୬ଟି ଆଇସିୟୁ ସହ ୨୦୦ ଶଯ୍ୟା ରହିଛି । ଏହାକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୩୩ଟି କୋଭିଡ୍ ହସ୍ପିଟାଲ ସହ ଶଯ୍ୟା ସଂଖ୍ୟା ୫୪୭୬କୁ ବୃଦ୍ଧି ପାଇଛି । ୧୧ଜିଲ୍ଲାର ମୋଟ ୧୦୫ଜଣ ନର୍ସଙ୍କୁ ବର୍ତ୍ତମାନ କଟକ ଏସ୍ସିବିରେ କ୍ରିଟିକାଲ୍ କେୟାର ଆଇସିୟୁ ଟ୍ରେନିଂ ଦିଆଯାଉଛି । ପୁରୀରେ ଟେଲି ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଲକ୍ଡାଉନ୍ ସମୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ ସୁଦ୍ଧା ଏ ବାବଦରେ ମୋଟ ୨୩୧ କୋଟି ଟଙ୍କା ଦିଆଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୧୧ଟି ପୌରାଞ୍ଚଳର ୩୭,୨୬୮ଜଣ ଉଠାଦୋକାନୀଙ୍କୁ ସହାୟତା ରାଶି ଦିଆଯାଇଛି । ଏ ବାବଦରେ ମୋଟ ୧୧ କୋଟି ୧୮ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ହେଲାଣି । ବାହାର ରାଜ୍ୟର ପ୍ରାୟ ୮୭ ହଜାର ଶ୍ରମିକଙ୍କ ରହଣୀ ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମାଞ୍ଚଳରେ ଏଯାବତ୍ ୩,୪୮,୬୬୮ଜଣ ଓ ସହରାଞ୍ଚଳରେ ୪୬,୧୨୭ଜଣ ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । କୋଭିଡ୍-୧୯ ନିୟମ ଭାଙ୍ଗିବା ଅଭିଯୋଗରେ ଗତ ୨୪ ଘଣ୍ଟାରେ ୬୬ଟି ମାମଲା ହୋଇଛି । ବିଭିନ୍ନ ଅଭିଯୋଗରେ ୭୧ ଜଣଙ୍କୁ ଗିରଫ କରାଯାଇଛି ।
Comments are closed, but trackbacks and pingbacks are open.