ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାରେ ସୋମବାର ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ।
ତଥ୍ୟ ଅନୁଯାୟୀ, ନୂତନ ଭାବେ ଚିହ୍ନଟ ସମସ୍ତ ବ୍ୟକ୍ତି କୋଲକତା ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ବାସୁଦେବପୁର, ୨ ଜଣ ଭଣ୍ଡାରିପୋଖରୀ ବ୍ଲକ୍ର । ସମସ୍ତ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୪୮, ୫୫, ୫୭, ୫୮ ଓ ୬୬ ବର୍ଷ । ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତର ଚିହ୍ନଟ ଆକ୍ରାନ୍ତ ଜଣକ ଗତ ମାସ ୨୮ ତାରିଖରେ ଘରକୁ ଫେରିଥିଲେ । ସେହିପରି ଲକ୍ଷ୍ମୀଦାସପୁର ପଞ୍ଚାୟତର ଆକ୍ରାନ୍ତ ବ୍ୟକ୍ତି ଚଳିତ ମାସ ୯ ତାରିଖ ଓ ଖରିଦା ବିନାୟକପୁର ଅଞ୍ଚଳର ଜଣେ ବ୍ୟକ୍ତି ଗତ ମାସ ୨୯ ତାରିଖ କୋଲକତାରୁ ଘରକୁ ଫେରିଥିଲେ । ସେହିପରି ଭଣ୍ଡାରିପୋଖରୀ ରହଣିଆ ଅଞ୍ଚଳର ଜଣେ ବ୍ୟକ୍ତି ଗତ ମାସ ୨୮ତାରିଖ, ଅନ୍ୟ ଜଣେ ବ୍ୟକ୍ତି ତେସିଙ୍ଗା ପଞ୍ଚାୟତର ଜଣେ ବ୍ୟକ୍ତି ଘରକୁ ଫେରିଥିଲେ । ଏ ସମସ୍ତ ବ୍ୟକ୍ତି ଲକ୍ଡାଉନ୍ ସମୟରେ କୋଲକାତାରୁ ବୋଲେରୋ, ଓମନି, ଟାଟା ମ୍ୟାଜିକ ପରି ଗାଡ଼ି ଯୋଗେ ଫେରିଥିବା ଜଣାପଡ଼ିଛି । ଫେରିବା ସମୟରେ ସେମାନେ ୩୨ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏସମସ୍ତ ବ୍ୟକ୍ତି କ୍ୱାରେଣ୍ଟାଇନରେ ଥିବା ସମୟରେ ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା ଓ ଆଜି ସଂପୃକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି । ରିପୋର୍ଟ ଆସିବା ପରେ ସମସ୍ତ କରୋନା ସଂକ୍ରମିତଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ଼ ହସପିଟାଲକୁ ପଠାଯାଇଛି ଓ ସେମାନଙ୍କ ପରିବାର ଲୋକଙ୍କୁ ଇନଷ୍ଟିଚୁ୍ୟସନାଲ କ୍ୱାରେଣ୍ଟାଇନକୁ ନିଆଯାଇଛି ।
୫ ଜଣ କରୋନା ସଂକ୍ରମିତ ଆସିବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ (ଅବରୋଧ)ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳକୁ ପୁଲିସ ସିଲ୍ କରି ଉକ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିଛି । ସଂପୃକ୍ତ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇ ପାଞ୍ଚ ଜଣ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ୧ନମ୍ବର ଜୋନ୍ ଖରିଦା ବିନାୟକପୁର ପାଇଁ ବାସୁଦେବପୁର ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ୨ ନମ୍ବର ଜୋନ ପଦ୍ମପୁର ଅଞ୍ଚଳ ପାଇଁ ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରା ଓ ୩ ନମ୍ବର ଜୋନ ଲକ୍ଷ୍ମୀଦାସପୁର ପାଇଁ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତି ଦିଆଯାଇଛି । ସେହିପରି ୪ ନମ୍ବର ଜୋନ ଭଣ୍ଡାରିପୋଖରୀ ରହଣିଆ ପଞ୍ଚାୟତ ପାଇଁ ତହସିଲଦାର ମୃତୁ୍ୟଞ୍ଜୟ ଭୂୟାଁ ଓ ୫ନମ୍ବର ଜୋନ୍ ତେସିଙ୍ଗା ପଞ୍ଚାୟତ ପାଇଁ ଭଣ୍ଡାରିପୋଖରୀ ବିଡିଓ ଉମେଶ ମଲ୍ଲିକଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଏ ସମସ୍ତ ଅବରୋଧ ଅଞ୍ଚଳରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି । ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସୋମବାର ଜିଲ୍ଲାରେ ଭଦ୍ରକ ପୌରପାଳିକା ଓ ଏରେଇଁ ପଞ୍ଚାୟତ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଲକ୍ଡାଉନ୍ ନିୟମକୁ କୋହଳ କରାଯାଇ କେତେକ ଆବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ନୂତନ କେସ ଆସିବା ପରେ ଉପରୋକ୍ତ ଦୁଇ ସ୍ଥାନ ବ୍ୟତୀତ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକରେ ପୂର୍ବପରି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଜାରି କରାଯାଇଛି ।
କରୋନା ସଂକ୍ରମିତଙ୍କ କୋଲକତା ଲିଙ୍କ ନେଇ ଜିଲ୍ଲାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ କେବଳ ଏହି ୫ ଜଣ ନୁହନ୍ତି, ଶତାଧିକ ବ୍ୟକ୍ତି କୋଲକାତାରୁ ଇତିମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନିଜ ନିଜ ଘରକୁ ଫେରିଥିବା ଜଣାପଡ଼ିଛି । ଯେଉଁମାନେ ଏବେ ବିପଦର କାରଣ ସାଜିଛନ୍ତି । ଲକ୍ଡାଉନ୍ ସ୍ଥିତି ଜାରି ଥିବାବେଳେ ଯେପରି ଭାବରେ ପୁଲିସ ଆଖିରେ ଧୂଳି ଦେଇ ଏସମସ୍ତ ବ୍ୟକ୍ତି ରାଜ୍ୟ ସୀମା ପାର ହୋଇ ନିଜ ଘରେ ପହଞ୍ଚିବାକୁ ସକ୍ଷମ ହେଲେ, ତାହା ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି ।
Comments are closed, but trackbacks and pingbacks are open.