ଭଦ୍ରକ,(ବି.ବି.ନୁ୍ୟଜ୍): ମଙ୍ଗଳବାର ଭଦ୍ରକ ଜିଲ୍ଲାରୁ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକ୍ ଚୂଡ଼ାମଣି ଓ କିସମତକୃଷ୍ଣପୁର ପଞ୍ଚାୟତରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଲକ୍ ଚାରିଗାଁ ପଞ୍ଚାୟତରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହି ନୂତନ ରୋଗୀ ଚିହ୍ନଟ ହେବା ପରେ ସଂପୃକ୍ତ ପଞ୍ଚାୟତଗୁଡ଼ିକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ(ଅବରୋଧ) ଅଞ୍ଚଳ ଭାବେ ଘୋଷଣା କରିଛି । ଏସମସ୍ତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ଡ୍ରୋନ କ୍ୟାମେରା ନଜର ରଖିବ । ଚିରାଚରିତ ଭାବରେ ଉକ୍ତ ନୂତନ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ (କାହା ସଂସ୍ପର୍ଶରେ ଆସିଛନ୍ତି) ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସୁବାସ ଚନ୍ଦ୍ର ନାୟକଙ୍କୁ ଚୂଡ଼ାମଣି, ପ୍ରଭାସ ଚନ୍ଦ୍ର ରାଉତଙ୍କୁ କିସମତକୃଷ୍ଣପୁର ଓ ଭବାନୀ ଶଙ୍କର ବେହେରାଙ୍କୁ ଚାରିଗାଁ ପଞ୍ଚାୟତର କଣ୍ଟେନମେଣ୍ଟ ଜୋନରେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଚିହ୍ନଟ ସମସ୍ତ କରୋନା ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସପିଟାଲ ପଠାଯାଇଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି ।
ବନ୍ତ ବ୍ଲକ୍ ଅନ୍ତର୍ଗତ ଚାରିଗାଁ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ରୋଗୀଙ୍କ ବୟସ ପ୍ରାୟ ୨୮ ବର୍ଷ । ତେବେ କରୋନା ରୋଗୀ ଚିହ୍ନଟ ହେବା ପରେ ସମଗ୍ର ବ୍ଲକ୍ରେ ଭୟର ବାତାବରଣ ଖେଳିଯାଇଛି । ସଂପୃକ୍ତ କରୋନା ଆକ୍ରାନ୍ତ ଯୁବକ ଜଣକ ଗତ ମାର୍ଚ୍ଚ ମାସ ୩୦ ତାରିଖରେ କୋଲକାତାରୁ ଏକ ମାଲବାହୀ ଟ୍ରକରେ ଆସି ଭଦ୍ରକରେ ପହଞ୍ଚିଥିଲେ । ସେଠାରୁ ଆସି ସେ ଘରେ ରହିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ବନମାଳୀ ବେହେରା ଗତ ଏପ୍ରିଲ ୧୮ ତାରିଖରେ ତାଙ୍କୁ ଆଣି ସ୍ଥାନୀୟ ବାଲିପୋଖରୀଠାରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ । ଗତ ଏପ୍ରିଲ ୨୪ ତାରିଖରେ ତାଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା । ପଜିଟିଭ ରିପୋର୍ଟ ଆସିବା ପରେ ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବିନୀତା କିସ୍କୁ, ସ୍ଥାନୀୟ ଥାନା ଆଇଆଇସି ସୁକାନ୍ତି କେରେଇ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଆକ୍ରାନ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ପଠାଇଛନ୍ତି । ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚାରିଗାଁ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ।
ତେବେ ସବୁଠାରୁ ଉଦ୍ବେଗଜନକ କଥା ହେଉଛି, ଆଜି ଚିହ୍ନଟ ସମସ୍ତ ରୋଗୀଙ୍କର କୋଲକତା ଲିଙ୍କ ରହିଛି । ସେମାନଙ୍କ ନିକଟ ଅତୀତ ଯାତ୍ରା ଇତିହାସ ବା ଟ୍ରାଭେଲ ହିଷ୍ଟ୍ରିରୁ ଏହା ଜଣାପଡ଼ିଛି । ଭଦ୍ରକ ଜିଲ୍ଲାର ଚିହ୍ନଟ ମୋଟ ୧୯ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ଦୁବାଇ ଫେରନ୍ତା ହୋଇଥିବା ବେଳେ ୨ ଜଣଙ୍କର ଦିଲ୍ଲୀ ଲିଙ୍କ ଓ ୧୬ ଜଣ କୋଲକତା ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି କୋଲକତା ଫେରନ୍ତାଙ୍କୁ ନେଇ କେବଳ ଜିଲ୍ଲାବାସୀ ନୁହେଁ, ବରଂ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ଦ୍ୱିଗୁଣିତ ହୋଇଛି । ସୂଚନାଯୋଗ୍ୟ, ଏପ୍ରିଲ ମାସ ୫ ତାରିଖ ମଧ୍ୟରେ ଭଦ୍ରକ ପୌରାଞ୍ଚଳରୁ ଜଣେ ଓ ତତ୍ ସଂଲଗ୍ନ ଏରେଇଁ ପଞ୍ଚାୟତରୁ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଜିଲ୍ଲାରୁ ଗୋଟିଏ ହେଲେ ନୂତନ ରୋଗୀ ଚିହ୍ନଟ ହୋଇ ନଥିଲେ । ଏହା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଥିଲା । କିନ୍ତୁ ୨୦ ତାରିଖ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଇଥିବା ସ୍ୱାବ ଟେଷ୍ଟ ରିପୋର୍ଟ ମଧ୍ୟରୁ ୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନେ ସମସ୍ତେ ଥିଲେ କୋଲକତା ଫେରନ୍ତା । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା । ତେବେ ଗତ ୨୦ତାରିଖଠାରୁ କୋଲକତା ଫେରନ୍ତାଙ୍କୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ତପôରତା ପ୍ରକାଶ ପାଇଥିଲା । ସେହିଦିନରୁ କୋଲକତା ଫେରନ୍ତାଙ୍କୁ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୋଭିଡ ପରିଚାଳନାର ଜିଲ୍ଲା ନୋଡାଲ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ତଥ୍ୟ ଅନୁଯାୟୀ, ସମଗ୍ର ଜିଲ୍ଲାରେ କୋଲକତା ଫେରନ୍ତାଙ୍କୁ ନେଇ ଏକ ଡାଟାବେସ ପ୍ରସ୍ତୁତ ହୋଇଛି । ମୋଟ ୧ ହଜାର ୭୧୬ ଜଣ କୋଲକତା ଫେରନ୍ତାଙ୍କୁ ଠାବ କରାଯାଇ ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୧୮ଜଣଙ୍କ ରିପୋର୍ଟ ଆସି ସାରିଛି । ଆହୁରି ୯୯୯ ଜଣଙ୍କ ରିପୋର୍ଟ ଆସିବାକୁ ବାକି ଅଛି । ଏମାନଙ୍କ ବ୍ୟତୀତ ଆଉ କୌଣସି କୋଲକତା ଫେରନ୍ତା ଜିଲ୍ଲାରେ ନାହାନ୍ତି ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଅବଶ୍ୟ ବର୍ତ୍ତମାନ ସମୟରେ କିଛି ଲୋକ ମଧ୍ୟ କୋଲକତାରୁ ଫେରୁଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ଅଣାଯାଇ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଜିଲ୍ଲାର ୭ଟି ବ୍ଲକ ଅଞ୍ଚଳର ୩୨ଟି ପଞ୍ଚାୟତର ମୋଟ ୪୯୧ ଜଣଙ୍କୁ ଏହି ବିଭାଗରେ ଚିହ୍ନଟ କରାଯାଇଛି । ସମସ୍ତ ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ ଘୋଷଣା କରାଯାଇଛି । ଏତଦ୍ ମଧ୍ୟରେ ରହିଛି ଧାମନଗର ବ୍ଲକ୍ର ୧୩, ତିହିଡ଼ି ବ୍ଲକର ୮, ଭଦ୍ରକ ବ୍ଲକର ୫, ବନ୍ତ ଓ ଚାନ୍ଦବାଲି ବ୍ଲକର ୨ଟି କରି ପଞ୍ଚାୟତ ଓ ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତ ଅନ୍ତର୍ଭୁକ୍ତ । ଏସମସ୍ତ ପଞ୍ଚାୟତରେ ୧୦ରୁ ଊଦ୍ଧ୍ୱର୍ କୋଲକାତା ଓ ବାହାର ରାଜ୍ୟ ଫେରନ୍ତା ରହିଛନ୍ତି । ସର୍ଭେଲାନ୍ସ ଜୋନ ଘୋଷିତ ୩୨ ପଞ୍ଚାୟତଗୁଡ଼ିକ ପାଇଁ ଡାକ୍ତର ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଡାକ୍ତର ଏବଂ କ୍ଷେତ୍ରୀୟ ଅଧିକାରୀମାନେ ଚିହ୍ନଟ ବ୍ୟକ୍ତିଙ୍କ ବିବରଣୀ ଓ ଆବଶ୍ୟକ ସ୍ଥଳେ ସ୍ୱାବ୍ ସଂଗ୍ରହ, ସେମାନଙ୍କ ମଧ୍ୟରେ ସଚେତନତା, ସେମାନଙ୍କୁ କ୍ୱାରେଣ୍ଟାଇନ କରିବା ଆଦି ଦାୟିତ୍ୱ ନିର୍ବାହ କରିବେ ।


Comments are closed, but trackbacks and pingbacks are open.