ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଲ୍କାତାଠାରେ ସମନ୍ୱିତ ଇସ୍ପାତ ହବ୍ ଜରିଆରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ବିକାଶ ହେବ । ଏଥିପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ହେଉ ଅବା ସାମାଜିକ ସଂସ୍କାର ଆନେ୍ଦାଳନ, ପୂର୍ବ ଭାରତ ସବୁବେଳେ ଦେଶକୁ ନେତୃତ୍ୱ ଦେଇଛି । ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି । ଏଠାରେ ବିପୂଳ ମାତ୍ରାରେ ପ୍ରାକୃତିକ ସମ୍ବଳ ମହଜୁଦ ଥିବା ସତ୍ତେ୍ୱ ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଞ୍ଚଳ ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ରହିଛି । ଏଣୁ ସମନ୍ୱିତ ଇସ୍ପାତ ହବ୍ ଜରିଆରେ ଇସ୍ପାତ କ୍ଷେତ୍ରର ଦ୍ରୁତ ବିକାଶ କରି ପୂର୍ବୋଦୟ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ପୂର୍ବ ଭାରତର ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପୂର୍ବାଞ୍ଚଳ ବିକାଶ ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଦେଶରେ ଥିବା ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ପ୍ରାୟ ଅଧା ଏ ଅଞ୍ଚଳରେ ଅବସ୍ଥିତ । ସରକାର ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ରାଷ୍ଟ୍ରୀୟ ଭିତ୍ତିଭୂମି ପାଇପ୍ଲାଇନ୍ ପ୍ରକଳ୍ପ ଆଣୁଛନ୍ତି । ପାଇପ୍ଲାଇନ୍ ହେଉକି ଅନ୍ତର୍ଦେଶୀୟ ଜଳପଥ, ଜାହାଜ ଚଳାଚଳ, ବିମାନ ବା ସଡ଼କ ସରକାର ଏସବୁର ଭିତ୍ତିଭୂମି ଦ୍ରୁତ ଗତିରେ ନିର୍ମାଣ କରୁଛନ୍ତି । ଏହିସବୁ ଭିତ୍ତିଭୂମିରେ ପୂର୍ବ ଭାରତ ଏକ ବଡ଼ ଅଂଶୀଦାର ରହିଛି ।
ଧର୍ମେନ୍ଦ୍ର କହିଛନ୍ତି, ଏକବିଂଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲୋଜିର ସମୟ ହେବ । ନୂଆ ଟେକ୍ନୋଲୋଜି ଅର୍ଥନୀତି ଓ ସମାଜକୁ ଏକ ନୂଆ ଆକାର ଦେଉଛି । ଡିଜିଟାଇଜେସନ୍ ଦ୍ୱାରା ଶିଳ୍ପାୟନ ୪.୦ ବିପୂଳ ପ୍ରତିଶ୍ରୁତି ଆଣିଛି । ପୂର୍ବୋଦୟ ଯୋଜନା ଅଧୀନରେ ପ୍ରସ୍ତାବିତ ସମନ୍ୱିତ ଇସ୍ପାତ ହବ୍ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.