କୋରାପୁଟ:ଭାରତମାଳା ପ୍ରକଳ୍ପ ଅଧୀନ ରାୟପୁର-ବିଶାଖାପାଟଣା ରାସ୍ତାର କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ହାଟଗୁଡ଼ା ଗାଁ ନିକଟରେ ଏକ ବସଷ୍ଟାଣ୍ଡ କରିବା ପ୍ରସ୍ତାବ ରହିଛି । ଏଥିପାଇଁ ପ୍ରକଳ୍ପ ପକ୍ଷରୁ ଖୁଣ୍ଟି ପୋତା ସରିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ବସଷ୍ଟାଣ୍ଡ ହେଲେ ଏଠାରେ ଚାଷ ଜମି ନଷ୍ଟ ହେବା ସହ ସ୍ଥାନୀୟ ଲୋକେ ସେମାନଙ୍କ ବୃତ୍ତି ହରାଇବେ ବୋଲି ଲୋକେ କହିଛନ୍ତି ।
ହାଟଗୁଡ଼ା, ପୂଜାରୀପୁଟ, ରାମନାୟକପୁଟ, ଗଦିକମରା ଗାଁ ଲୋକେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ୪ ଲେନ୍ ବିଶିଷ୍ଟ ରାସ୍ତା କରାଯାଉଛି । ରାସ୍ତା ଯୋଗୁ ଗ୍ରାମର ବହୁ ଚାଷ ଜମି ନଷ୍ଟ ହେଉଥିବା ବେଳେ ପୁଣି ଏବେ ବସଷ୍ଟାଣ୍ଡ କରାଯିବାକୁ ଯୋଜନା ଚାଲିଛି । ଏଥିପାଇଁ ଖୁଣ୍ଟି ମଧ୍ୟ ପୋତା ସରିଛି । ବସଷ୍ଟାଣ୍ଡ ପାଇଁ ଉଦ୍ଧିଷ୍ଟ ଅଞ୍ଚଳରେ ବହୁ ମୂଲ୍ୟବାନ ଜମି ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହିସବୁ ଜମି ନଷ୍ଟ ହେବ । ଲୋକେ ଏହିସବୁ ଜମିର ପିଢି ପରେ ପିଢି କାମ କରି ପରିବାର ପୋଷଣ କରିଆସୁଛନ୍ତି । ଚାଷ ଉପରେ ନିର୍ଭର କରି ଲୋକେ ଦୀର୍ଘ ଦିନରୁ ରହିଛନ୍ତି । ବସଷ୍ଟାଣ୍ଡ ହେଲେ ଉଭୟ ଚାଷ ଓ ଚାଷୀ ପ୍ରଭାବିତ ହେବେ । ଗ୍ରାମବାସୀଙ୍କ ଜୀବିକା ବିପନ୍ନ ହେବ । ବସଷ୍ଟାଣ୍ଡ ପାଇଁ ଚିହ୍ନଟ ସ୍ଥାନରୁ ୧ କିମି ଆଗକୁ କିମ୍ବା ପଛକୁ ସ୍ଥାନାନ୍ତର ହେଲେ ଚାଷୀଙ୍କ ସମସ୍ୟା ରହିବ ନାହିଁ । ଅନ୍ୟପକ୍ଷରେ, ବିନା ଗ୍ରାମସଭାରେ ମନଇଚ୍ଛା ଏହି ଜମିରେ ବସଷ୍ଟାଣ୍ଡ କରିବାକୁ ଖୁଣ୍ଟ ପୋତା ଯାଇଛି । ଏପରିସ୍ଥଳେ, ତୁରନ୍ତ ବସଷ୍ଟାଣ୍ଡ ପ୍ରକଳ୍ପ ଏହି ସ୍ଥାନରୁ ହଟାଇବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବା ସହ ତ୍ୱରିତ ସମାଧାନ ଦାବି କରିଛନ୍ତି । ହାଟଗୁଡା ଗାଁର ଜନୁ ପୂଜାରୀ, ଉଦ୍ଧବ ବୁରୁଡ଼ି, କେଶବ ବୁରୁଡ଼ି, ଜଗୁ ବୁରୁଡ଼ି, ହରିଶ୍ଚନ୍ଦ୍ର ବୁରୁଡ଼ି ପ୍ରମୁଖଙ୍କ ସହ ୪ ଖଣ୍ଡ ଗାଁର ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ସୂଚନା ଥାଉକି ରାୟପୁର-ବିଶାଖାପାଟଣା ନୂତନ ଜାତୀୟ ରାଜପଥ ଭାରତମାଳା ପ୍ରକଳ୍ପ ୪୬୪.୬୬୨ କିମି ଲମ୍ବ ହେବ । ଛତିଶଗଡ଼ ରାଜ୍ୟରେ ୧୨୪.୬୬୧ କିମି, ଓଡ଼ିଶାରେ ୨୪୦.୩୭୨ କିମି ଓ ଆନ୍ଧ୍ରରେ ୯୯.୬୧୨୯ କିମି ପଥ ଅତିକ୍ରମ କରିବ ।କୋରାପୁଟ ଜିଲ୍ଲାରେ ୧୪୨ କିମି ରାସ୍ତା ହେବ । ଜିଲ୍ଲାର ବୋରିଗୁମ୍ମା, ଦଶମନ୍ତପୁର, କୋରାପୁଟ, ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ତହସିଲ ଅଞ୍ଚଳ ଦେଇ ଏହା ଅତିକ୍ରମ କରିବ । ବିଶେଷକରି କୋରାପୁଟ ଜିଲ୍ଲାର ୫୯ ଟି ଏଥିରେ ପ୍ରଭାବିତ ହେବ । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପକ୍କା, ଅର୍ଦ୍ଧପକ୍କା ଓ କଚ୍ଚାଗୃହ ଆଦି ୨୨୦ ଟି ପ୍ରଭାବିତ ହେବ । ମୋଟ ୨୨୦ ଟି ପରିବାରର ୧୧ ଶହ ଜଣ ବ୍ୟକ୍ତି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ । ମୋଟ ୬୭ ହଜାର ୫୦ ଟି ବୃକ୍ଷ ନଷ୍ଟ ହେବ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.