ମାଞ୍ଚେଷ୍ଟର: ଭାରତର ଟାଇଟଲ ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଛି । ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଥିଲା ନ୍ୟୁଜିଲାଣ୍ଡ । ଭାରତକୁ ୧୮ ରନ୍ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଛି । ଲିଗ୍ ରାଉଣ୍ଡ୍ରେ ଅବିଶ୍ୱସନୀୟ ପ୍ରଦର୍ଶନ କରି ସର୍ବାଧିକ ପଏଣ୍ଟ ହାସଲ କରିଥିବା ଭାରତ ସେମି ଫାଇନାଲ୍ରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଶଂସକଙ୍କ ଆଶା ଓ ଉତ୍ସାହ ମଉଳାଇ ଦେଇଥିଲା । ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିଅନ ହେବା ନେଇ ଆଶା ରଖିଥିବା ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି ।
ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଧିପତ୍ୟ ଜାରି ରଖିଥିବା ଭାରତୀୟ ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ପେସ୍ ବୋଲରଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସହ ଦୁର୍ବଳ ରଣନୀତି ଭାରତର ପରାଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ରବିନ୍ଦ୍ର ଜାଡେଜା ଲଢୁଆ ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ଦଳ ପରାଜୟରୁ ବର୍ତ୍ତି ପାରିନଥିଲା । ମହେନ୍ଦ୍ର ସିଂ ଧୋନିଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ କରାଇବା ରଣନୀତି ବୁମେରାଂ ସାବ୍ୟସ୍ତ ହୋଇଥିଲା ।
ବର୍ଷା ଯୋଗୁଁ ୨ଦିନ ଧରି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ଦିନ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫/୨୧୧ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇ ନଥିଲା । ଆଜି ଦଳ ଶେଷ ୨୩ଟି ବଲ୍ ଖେଳି ୮ ୱିକେଟ୍ ବିନିମୟରେ ମୋଟ୍ ୨୩୯ ରନ୍ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।
୫୦ ଓଭରରେ ୨୪୦ ରନ୍ର ବିଜୟ ଲକ୍ଷ୍ୟ ଭାରତୀୟ ଦଳ ପାଇଁ କଷ୍ଟକର ମନେ ହେଉ ନଥିଲା । ହେଲେ ନ୍ୟୁଜିଲାଣ୍ଡର ଦୁଇ ପେସ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ମାଟ୍ ହେନରୀ ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ସହଳ ପାଭିଲିୟନ ପଠାଇ ବାଜି ପଲଟାଇ ଦେଇଥିଲେ । ଲିଗ୍ ପର୍ଯ୍ୟାୟରେ ୫ଟି ଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଥିବା ଥିବା ରୋହିତ ଶର୍ମା(୧) ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି(୧) ଓ ଲୋକେଶ ରାହୁଲ(୧) ପାଭିଲିୟନ ଫେରିଥିଲେ । ୩.୧ ଓଭରେ ଭାରତ ୫ ରନ୍ କରି ୩ଟି ୱିକେଟ ହରାଇ ସାରିଥିଲା । ଏଭଳି ପରିସ୍ଥିତିରେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ଜରୁରୀ ଥିଲା ।
ଦ୍ୱିତୀୟ ୱିକେଟ୍ ପରେ ବ୍ୟାଟିଂ କରିବାକୁ ଆସିଥିଲେ ରିଷଭ ପନ୍ତ । ତାଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିବା ଦିନେଶ କାର୍ତ୍ତିକ ମଧ୍ୟ ୬ ରନ୍ କରି ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର ୨୪ ଭାରତ ଚତୁର୍ଥ ୱିକେଟ୍ ହରାଇ ଥିଲା । ଏଥର ମଧ୍ୟ ଧୋନିଙ୍କୁ ବ୍ୟାଟିଂ ପାଇଁ ପଠା ଯାଇ ନଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଆଗୁଆ ଓହ୍ଲାଇଥିଲେ । ସେ ପନ୍ତଙ୍କ ସହ ମିଶି ପଞ୍ଚମ ୱିକେଟ୍ରେ ୪୭ ରନ୍ ଯୋଗ କରିଥିଲେ । ଏଥର ସ୍ଥିତି ସୁଧୁରିବା ଆଶା କରାଯାଉଥିଲେ ହେଁ ମିଚେଲ ସାଣ୍ଟନରଙ୍କ ବଲ୍ରେ ଉଭୟ ବ୍ୟାଟ୍ସମ୍ୟାନ୍ ବେପରବାୟ ସଟ ଖେଳି ଆଉଟ୍ ହୋଇଥିଲେ । ୯୨ ରନ୍ରେ ୬ଟି ୱିକେଟ୍ ହରାଇଥିଲା ଭାରତ । ପରାଜୟ ନିଶ୍ଚିତ ଥିଲା ।
ରବିନ୍ଦ୍ର ଜାଡେଜା କ୍ରିଜ୍କୁ ଓହ୍ଲାଇଥିଲେ । ଧୋନିଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ପୂର୍ବରୁ ଉନ୍ନତ ବୋଲିଂ ଓ ଫିଲ୍ଡିଂ କରି ଚର୍ଚ୍ଚାରେ ରହିଥିବା ଜାଡେଜାଙ୍କ ବ୍ୟାଟ୍ ମଧ୍ୟ ଅସଲ ରୂପ ଦେଖାଇଥିଲା । ସେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ଅନ୍ୟ ପଟରେ ଧୋନି ତାଙ୍କୁ ସହାୟତା କରିଥିଲେ । ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ସପ୍ତମ ୱିକେଟ୍ରେ ଉଭୟ ୧୧୬ ରନ୍ ଯୋଗ କରିଥିଲେ । ବିଜୟ ଆଶା ସଞ୍ଚାର ହେଲା ।
୧୪ଟି ବଲ୍ରେ ବିଜୟ ପାଇଁ ୩୨ ରନ୍ ଆବଶ୍ୟକ ଥିବାବେଳେ ବୋଲ୍ଟଙ୍କ ବଲ୍କୁ ଛକା ମାରିବାକୁ ଯାଇ ଜାଡେଜା ଆଉଟ୍ ହୋଇଥିଲେ । ସେ ୫୯ଟି ବଲ୍ରୁ ୭୭(୪ଚୌକା, ୪ଛକା) ରନ୍ ସଂଗ୍ରହ କରିଥିଲେ । ପର ଓଭରରେ ଧୋନି ବିଶାଳ ଛକା ମାରି ଆଶା ବଢାଇ ଦେଇଥିଲେ । ଦ୍ରୁତ ୨ ରନ୍ ନେବାକୁ ଯାଇ ଧୋନି(୫୦) ରନ୍ ଆଉଟ୍ ହୋଇଥିଲେ । ଭୁବନେଶ୍ୱର କୁମାର(୦) ଓ ୟୁଝବେନ୍ଦ୍ର ଚହଲ(୫) ଆଉଟ୍ ହେବା ସହ ଭାରତ ୨୨୧ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ଅତିରିକ୍ତ ଦିବସ ରହିଥିବାରୁ ବିବାଦୀୟ ଡକ୍ ୱର୍ଥ ଲୁଇସ୍ ନିୟମର ଆବଶ୍ୟକତା ପଡ଼ି ନଥିଲା । ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିଲା । ଆଜି ଦଳ ବାକି ୩.୫ ଓଭର ବ୍ୟାଟିଂ କରି ୮ୱିକେଟ୍ ବିନିମୟରେ ୨୩୯ ରନ୍ ସଂଗ୍ରହ କରିଥିଲା । ଭେଟେରାନ ରସ ଟେଲର ସର୍ବାଧିକ ୭୪ ରନ କରିଥିବାବେଳେ କେନ ୱିଲାମସନ ୬୭ ହେନରୀ ନିକୋଲ୍ସ ୨୮ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।
୪୪ ବର୍ଷର ବିଶ୍ୱକପ୍ ଇତିହାସରେ ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି । ୨୦୧୫ରେ ଅନୁଷ୍ଠିତ ଏକାଦଶ ତମ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ୪ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା । ହେଲେ ଟାଇଟଲ ଲଢେଇରେ ଦଳ ଅଷ୍ଟ୍ରେଲିଆଠୁ ୯୫ ରନ୍ରେ ପରାଜିତ ହୋଇଥିଲା ।
Comments are closed, but trackbacks and pingbacks are open.