ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ନେଇ ଯେଉଁପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ ଚାଲିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜନୈତିକ ଉଦେ୍ଧଶ୍ୟରେ ଲୋକଙ୍କୁ ଭ୍ରମିତ କରାଯାଇ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି । ଏନ୍ଆର୍ସିକୁ ନେଇ ମୁସଲମାନଙ୍କୁ ବିଭ୍ରାନ୍ତ କରାଯାଉଛି । ମୁସଲମାନଙ୍କୁ ମୁସ୍ଲିମ୍ ଡିଟେନ୍ସନ୍ ସେଣ୍ଟରକୁ ପଠାଇ ଦିଆଯିବ ବୋଲି ଗୁଜବ ସୃଷ୍ଟି କରାଯାଉଛି । କିନ୍ତୁ ଦେଶର ଜନତା ଜାଣିରଖିବା ଉଚିତ ଯେ ଏହା ସବୁ ମିଛ… ମିଛ… ମିଛ… । ଏହାକୁ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ । ଦିଲ୍ଲୀର ରାମଲୀଳା ମୈଦାନରେ ଅନୁÂିତ ବିଜେପିର ‘ଧନ୍ୟବାଦ ରାଲି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଆଜି ଏହା କହିଛନ୍ତି ।
ସିଧା କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଏହି ଦଳ ସବୁବେଳେ ଭୋଟ୍ ବ୍ୟାଙ୍କ ପାଇଁ ରାଜନୀତି କରୁଛି । ଏହାସହ ବିଭାଜନକୁ ନେଇ ରାଜନୀତି କରିବା ଏହାର ଅଭ୍ୟାସରେ ପରିଣତ ହୋଇଗଲାଣି । ଏବେ କ୍ଷମତାରେ ନ ଥିବାରୁ ପୁଣି ବିଭାଜନକୁ ନିଜର ପୁରୁଣା ଅସ୍ତ୍ର କରିଛି କଂଗ୍ରେସ । କଂଗ୍ରେସ ଏବଂ ଏହାର ଚିର ସାଥୀ ସହରୀ ନକ୍ସଲ ମୁସଲମାନଙ୍କୁ ଭୟଭୀତ କରୁଛନ୍ତି । ଏନ୍ଆର୍ସି ଦ୍ୱାରା ସେମାନଙ୍କୁ ଦେଶରୁ ବିଦା କରାଯିବ ବୋଲି ଗୁଜବ ସୃଷ୍ଟି କରୁଛନ୍ତି । ମୁସଲମାନ ଲୋକଙ୍କୁ ମୁସ୍ଲିମ୍ ଡିଟେନ୍ସନ୍ ସେଣ୍ଟରକୁ ପଠାଯିବ ବୋଲି ସେମାନେ କହୁଛନ୍ତି । କିନ୍ତୁ ଦେଶରେ ଏଭଳି ଡିଟେନ୍ସନ୍ ସେଣ୍ଟର ନାହିଁ ।
ମୁସଲମାନଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନ୍ଆର୍ସି ଯୋଗୁ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଯେଉଁମାନେ ହିନ୍ଦୁସ୍ଥାନ ମାଟିର ମୁସଲମାନ, ସେମାନଙ୍କର ନାଗରିକତା ଆଇନ ଏବଂ ସିଏଏ ସହ କୌଣସି ନେଣଦେଣ ନାହିଁ । ସେମାନଙ୍କୁ ଭୟଭୀତ ହେବାର ଆବଶ୍ୟକ ନାହିଁ । କିଛି ବିରୋଧୀ ଦଳ ଜାଣିଶୁଣି ଏଭଳି ଗୁଜବ ସୃଷ୍ଟି କରୁଛନ୍ତି । ସେମାନଙ୍କୁ ବିଶ୍ୱାସ ନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି ।
ସିଏଏ ଏବଂ ଏନ୍ଆର୍ସିକୁ ନେଇ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ଆଜି ମୁହଁ ଖୋଲିଛନ୍ତି । ସେ ସିଧା ବିରୋଧୀ ଦୁଗଳଡ଼ିକ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କାଗଜ ଓ ପ୍ରମାଣପତ୍ର ନାମରେ ମୁସଲମାନଙ୍କୁ ଭ୍ରମିତ କରାଯାଉଛି । କିନ୍ତୁ ଆମେ ଗରିବଙ୍କ ହିତ ପାଇଁ ଯୋଜନାଗୁଡ଼ିକର ଲାଭାର୍ଥୀ ଚୟନ ବେଳେ କଦାପି କାଗଜର ପ୍ରତିବନ୍ଧକ ଲଗାଇ ନାହୁଁ । କେବଳ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛୁ ।
ମୋଦି ଆହୁରି କହିଛନ୍ତି, ବିରୋଧୀମାନେ ଗୁଜବ ସୃଷ୍ଟି କରି ଗରିବ ଲୋକଙ୍କୁ ହଇରାଣରେ ପକାଉଛନ୍ତି । ଗରିବଙ୍କ ଉପରେ ସେମାନଙ୍କର ତିଳେମାତ୍ର ଦୟା ନାହିଁ । ସେମାନଙ୍କ ପାଇଁ ଭୋଟ୍ ବ୍ୟାଙ୍କ ହିଁ ସବୁକିଛି । ତା’ଛଡ଼ା କଂଗ୍ରେସ ବେଳେ ହିଁ ଏନ୍ଆର୍ସି ଆସିଥିଲା । ସେତେବେଳେ ଏହା ଉପରେ କେହି କାହିଁକି ପ୍ରଶ୍ନ ଉଠାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିରୋଧୀଙ୍କୁ ଭର୍ତ୍ସନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଜନତା ମୋତେ ଶାସନ କ୍ଷମତା ଦେଇଛନ୍ତି । ଯେଉଁ ଲୋକଙ୍କୁ ଏହା ଠିକ୍ ଲାଗୁନାହିଁ, ସେମାନେ ମୋତେ ଜଳାଇ ପାରନ୍ତି, ବିରୋଧ କରିପାରନ୍ତି । ମୋର କୁଶପୁତ୍ତଳିକା ଦାହ କରିପାରନ୍ତି । କିନ୍ତୁ ଦେଶର ସମ୍ପତ୍ତିକୁ ଜାଳିବାରୁ ସେମାନେ ବିରତ ରୁହନ୍ତୁ । ଗରିବଙ୍କ ବିଶ୍ୱାସକୁ ଦଳିମକଚି ନଷ୍ଟ ନ କରନ୍ତୁ । ଗରିବଙ୍କ କୁଡ଼ିଆ, ଛୋଟ ବେପାରୀଙ୍କ ଦୋକାନକୁ ଜାଳି ପୋଡ଼ି ଛାରଖାର ନ କରନ୍ତୁ ।
ଆଜି ଦେଶରେ ଘଟୁଥିବା ହିଂସାକୁ ରୋକିବା ପାଇଁ ପୁଲିସ ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ପୁଲିସ କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ସେମାନଙ୍କ ଉପରେ ପଥରମାଡ଼ ହେଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ପୁଲିସ କର୍ମୀଙ୍କୁ ଆହତ କରି ଆପଣମାନଙ୍କୁ କ’ଣ ମିଳିବ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମୋଦି ।
ମିଥ୍ୟା ବିକି୍ର କରୁଥିବା, ଗୁଜବ ପ୍ରଚାର କରୁଥିବା ଏହି ଲୋକମାନଙ୍କୁ ଭଲ ଭାବେ ଚିହ୍ନିବା ଆବଶ୍ୟକ । ଏମାନେ ଦୁଇପକ୍ରାର ଲୋକ । ପ୍ରଥମ ଜଣକ ହେଉଛନ୍ତି ଭୋଟ୍ ବ୍ୟାଙ୍କକୁ ନେଇ ରାଜନୀତି କରୁଥିବା ଲୋକ ଏବଂ ଦ୍ୱିତୀୟ ଜଣକ ହେଉଛନ୍ତି ରାଜନୀତିରୁ ଫାଇଦା ହାସଲ କରୁଥିବା ଲୋକ । ଏମାନେ ଜନତାଙ୍କର କେବେ ମଙ୍ଗଳ କଥା ଚିନ୍ତା କରନ୍ତି ନାହିଁ । ଯଦି ଏହା କରିଥାନ୍ତେ, ତେବେ ଆଜି ଦେଶରେ ଏଭଳି ହିଂସାକାଣ୍ଡ ସୃଷ୍ଟି କରିନଥାନ୍ତେ ।
ମୋଦି ଆହୁରି କହିଛନ୍ତି, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ପ୍ରତାରଣାର ଶିକାର ହୋଇ ଚାଲିଆସିଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିଏଏ ଲାଗୁ କରାଯାଇଛି । ଏହାକୁ ନେଇ ଅନ୍ୟମାନେ ନିଜକୁ ଅସୁରକ୍ଷିତ ମଣିବା ଉଚିତ ନୁହେଁ । ସେହିଭଳି ଏନ୍ଆର୍ସିକୁ ନେଇ ମଧ୍ୟ ଦେଶର କୌଣସି ମୁସଲମାନ ଲୋକ ଭୟ କରିବା ଉଚିତ ନୁହେଁ । ଯେଉଁ ମୁସଲମାନ ଭାରତ ମାଟିର, ଯେଉଁମାନଙ୍କର ପୂର୍ବପୁରୁଷ ଭାରତ ମାତାର ସନ୍ତାନ, ସେମାନଙ୍କୁ ଭୟଭୀତ ହେବାର ଆବଶ୍ୟକ ନାହିଁ । ଭାରତରେ କୌଣସି ଅଟକ ଗୃହ ନାହିଁ କିମ୍ବା କୌଣସି ଭାରତୀୟ ମୁସ୍ଲିମ୍ଙ୍କୁ ସେଠାକୁ ପଠାଯିବ ନାହିଁ ।
ମୋଦି କହିଛନ୍ତି, ଦିଲ୍ଲୀର ଅବୈଧ କଲୋନିଗୁଡ଼ିକୁ ବୈଧ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ । ଏହାର ଫାଇଦା ସବୁ ଧର୍ମର ଲୋକ ଉଠାଇଲେ । ଏହି ସମୟରେ ସରକାର କାହାର ଜାତି, ଧର୍ମ ପଚାରି ନଥିଲେ । କାରଣ ଜାତି ଓ ଧର୍ମକୁ ନେଇ ସରକାର କାମ କରୁନାହାନ୍ତି । ଆମେ ‘ସବ୍କା ସାଥ୍, ସବ୍କା ବିକାଶ୍ ଏବଂ ସବ୍କା ବିଶ୍ୱାସ’ ମନ୍ତ୍ର ପ୍ରତି ସମର୍ପିତ ହୋଇଯାଇଛୁ । ଯଦି ଆପଣମାନଙ୍କୁ (ବିରୋଧୀ) ଭଗବାନ ସାମାନ୍ୟତମ ବୁଦ୍ଧି ଦେଇଛନ୍ତି, ତାହାର ଉପଯୋଗ କରନ୍ତୁ ।
ମୋଦି କହିଛନ୍ତି, ଜନତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବଂ ଦଳିତ, ପୀଡ଼ିତ, ଶୋଷିତଙ୍କ ନିମନ୍ତେ ସମସ୍ତ ସାଂସଦ ଏହି ବିଲ୍ (ସିଏବି)କୁ ପାସ୍ କରାଇବାରେ ସହଯୋଗ କରିଛନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ । ଦେଶର ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ । ମୁଁ ମଧ୍ୟ ଦେଶର ଦୁଇ ସଦନକୁ ତଥା ଗଣତନ୍ତ୍ରର ମନ୍ଦିରକୁ ଏବଂ ସେଠାରେ ବସୁଥିବା ଜନପ୍ରତିନିଧିଙ୍କୁ ପ୍ରଣାମ କରୁଛି, ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି । ବିଜେପିର ଏହି ରାଲିରେ ସମ୍ବୋଧନ ଆରମ୍ଭ ବେଳେ ମୋଦି ‘ବିବିଧତାରେ ଏକତା, ଭାରତ୍ କୀ ବିଶେଷତା’ ସ୍ଲୋଗାନ୍ ଦେଇଥିଲେ ।
Comments are closed, but trackbacks and pingbacks are open.