ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୨୦୨୪ ସୁଦ୍ଧା ଭାରତ ୫ଟ୍ରିଲିୟନ ଅର୍ଥନୀତି ହେବାର ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବାବେଳେ ଦେଶର ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନୂଆଦିଲ୍ଲୀଠାରେ ଶୁକ୍ରବାର ଅନନ୍ତ ସେଣ୍ଟର ଦ୍ୱାରା ଆୟୋଜିତ ଭାରତ ଆମେରିକା ଫୋରମ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି । ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥ ବ୍ୟବସ୍ଥାରୁ ଅଧିକ । ମଜବୁତ୍ ଆର୍ଥିକ ବିକାଶ ମାଧ୍ୟମରେ ଭାରତର ବିଶ୍ୱ ପ୍ରାଥମିକ ଉର୍ଜା ଦାବିର ଭାଗ ୨୦୪୦ ସୁଦ୍ଧା ଦୁଇଗୁଣା ହୋଇ ୧୧ପ୍ରତିଶତ ହେବ ।
ସେହିପରି ଭାରତର ଉର୍ଜା ଟ୍ରାନଜିକ୍ସନ ପ୍ରାକୃତିକ ଗ୍ୟାସ ଏବଂ ନବୀକରଣ ବସ୍ତୁ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଦିଗରେ ଗତି କରୁଛି । ଅନ୍ତରାଷ୍ଟ୍ରୀୟ ଉର୍ଜା ଏଜେନ୍ସିର ବିଶ୍ୱ ଉର୍ଜା ପୁଞ୍ଜି ନିବେଶ ୨୦୧୯ ରିପୋର୍ଟ ଅନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିଦେଶୀ ଉର୍ଜା ପୁଞ୍ଜି ନିବେଶ ୮୫ ବିଲିୟନ ବୃଦ୍ଧି ପାଇଛି । ବିଶ୍ୱର ଅନ୍ୟ ସ୍ଥାନମାନଙ୍କଠାରୁ ଏହା ବେଶ୍ ଅଧିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ଉର୍ଜା ଭିତ୍ତିଭୂମିର ବିସ୍ତାର ଦିଗରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି । ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଭାଗ ୨୦୩୦ ସୁଦ୍ଧା ୬ପ୍ରତିଶତରୁ ବଢ଼ି ୧୫ ପ୍ରତିଶତ ହୋଇଯିବ । ଏହି କ୍ଷେତ୍ରରେ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ କରୁଛନ୍ତି ।
ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ତୈଳ ଏବଂ ଗ୍ୟାସର ସନ୍ଧାନ ଏବଂ ଉତ୍ପାଦନ ପାଇଁ ଆମେରିକାର ବଡ଼ ବଡ଼ ତୈଳ ଏବଂ ଗ୍ୟାସ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ ।
Comments are closed, but trackbacks and pingbacks are open.