ନୂଆଦିଲ୍ଲୀ: ଭାରତ ପାଖରେ ୧୫୦ଟି ପରମାଣୁ ବୋମା ରହିଛି । କିନ୍ତୁ ଚୀନ୍ ଓ ପାକିସ୍ତାନ ତା’ ଠାରୁ ଅଧିକ ପରମାଣୁ ବୋମା ରଖିଛନ୍ତି । ଚୀନ୍ ନିକଟରେ ୩୨୦ଟି ପରମାଣୁ ବୋମା ଥିଲାବେଳେ ପାକିସ୍ତାନ ନିକଟରେ ୧୬୦ଟି ପରମାଣୁ ବୋମା ରହିଛି । ୨୦୨୦ ମସିହା ପାଇଁ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍( ସିପ୍ରି) ଦ୍ୱାରା ଜାରି ଏକ ରିପୋର୍ଟରେ ଏହା କୁହାଯାଇଛି ।
ଉକ୍ତ ସଂସ୍ଥା ଦ୍ୱାରା ୨୦୧୯ରେ ଜାରି କରାଯାଇଥିବା ରିପୋର୍ଟରେ ବି ଚୀନ୍,ପାକିସ୍ତାନ ଓ ଭାରତ ପରମାଣୁ ବୋମା ସଂଖ୍ୟାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବାର ଦର୍ଶାଯାଇଥିଲା । ଗତ ବର୍ଷର ରିପୋର୍ଟରେ ଚୀନ୍ ନିକଟରେ ୨୯୦ଟି, ପାକିସ୍ତାନ ପାଖରେ ୧୫୦ରୁ ୧୬୦ଟି ଏବଂ ଭାରତ ପାଖରେ ୧୩୦ରୁ ୧୪୦ଟି ପରମାଣୁ ବୋମା ଥିବାର ଉଲ୍ଲେଖ କରାଯାଇଥିଲା ।
ଏବର୍ଷର ସିପ୍ରି ରିପୋର୍ଟରେ କୁହାଯାଇଛି କି ଚୀନ୍ ଲଗାତର ନିଜର ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବା ସହିତ ତା’ର ପ୍ରୟୋଗ ପାଇଁ ବିଭିନ୍ନ ପ୍ରକାର କ୍ଷମତା ବିକଶିତ କରୁଛି । ଚୀନ୍ ପାଖରେ ସ୍ଥଳ, ଜଳ ଓ ଆକାଶମାର୍ଗରୁ ପରମାଣୁ ବୋମା ପ୍ରୟୋଗ କରିବାର କ୍ଷମତା ରହିଛି । ଚୀନ୍ ମଧ୍ୟ ସ୍ଥଳଭାଗ ଏବଂ ବୁଡ଼ାଜାହାଜରୁ ମାଡ଼ କରିବାରେ ସକ୍ଷମ ବାଲିଷ୍ଟିକ୍ ମିସାଇଲର ଜୋରଦାର ବିକାଶ କରୁଛି । ଚୀନ୍ ଏବେ ଆଗ ଅପେକ୍ଷା ବହୁବାର ପରମାଣୁ ଅସ୍ତ୍ର ପରିବହନ କରିବାରେ ସକ୍ଷମ ମିସାଇଲ ଓ ଯୁଦ୍ଧବିମାନ ଆଦିର ପ୍ରଦର୍ଶନ କରୁଛି । କିନ୍ତୁ ତା’ ପାଖରେ କେତେ ପରମାଣୁ ଅସ୍ତ୍ର ରହିଛି କିମ୍ବା ପରମାଣୁ ବୋମା ମାଡ଼ କରିବା ପାଇଁ କେତେ ମିସାଇଲ ଓ ଯୁଦ୍ଧବିମାନ ରହିଛି ସେସମ୍ପର୍କିତ ତଥ୍ୟ ପ୍ରଦାନ କରୁନାହିଁ । ଭାରତ ଓ ପାକିସ୍ତାନ ମଧ୍ୟ ନିଜର ପରମାଣୁ ଅସ୍ତ୍ର ସଂଖ୍ୟା ଏବଂ ଏହାକୁ ପ୍ରୟୋଗ କରିବାର କ୍ଷମତା ବୃଦ୍ଧି କରୁଛନ୍ତି । ଭାରତ ସରକାର ଯଦିଓ ମିସାଇଲ ପରୀକ୍ଷଣ ବାବଦରେ ସୂଚନା ଦେଉଛନ୍ତି କିନ୍ତୁ ପରମାଣୁ ଅସ୍ତ୍ର ସଂଖ୍ୟା ସମ୍ପର୍କିତ ସୂଚନା ଦେଉନାହାନ୍ତି ।
ଉକ୍ତ ରିପୋର୍ଟରେ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିଶ୍ୱର ୯ଟି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଆମେରିକା, ଚୀନ୍, ବ୍ରିଟେନ, ରୁଷ, ଫ୍ରାନ୍ସ, ଭାରତ, ଇସ୍ରାଏଲ, ପାକିସ୍ତାନ ଓ ଉତ୍ତର କୋରିଆ ନିକଟରେ ୨୦୨୦ ଜାନୁଆରୀ ସୁଦ୍ଧା ସମୁଦାୟ ୧୩,୪୦୦ ପରମାଣୁ ବୋମା ରହିଛି । ଗତ ବର୍ଷ ଏହି ସଂଖ୍ୟା ୧୩,୮୬୫ ଥିଲା । ରୁଷ ନିକଟରେ ସର୍ବାଧିକ ୬୩୭୫ଟି ଏବଂ ଆମେରିକା ନିକଟରେ ୫୮୦୦ଟି ୱାରହେଡ୍ ରହିଛି ।
Comments are closed, but trackbacks and pingbacks are open.