ଚଣ୍ଡିଗଡ଼: ଧାରା ୩୭୦ ଉଚ୍ଛେଦକୁ ନେଇ ଚାରିଆଡ଼ୁ ନିରାଶ ହୋଇଛି ପାକିସ୍ତାନ । କୌଣସି ରାଷ୍ଟ୍ର ଏହାକୁ ସହାୟତାର ହାତ ବଢ଼ାଉ ନାହାନ୍ତି । ସବୁଆଡୁ ଝଟ୍କା ଖାଇବା ପରେ ପାକ୍ ନିଜେ ଷଡ଼ଯନ୍ତ୍ର ତିଆରି କରିଛି । ଆତଙ୍କବାଦୀଙ୍କୁ ତାଲିମ ଦେଇ ଭାରତରେ ଆକ୍ରମଣ ଘଟାଇବାକୁ ଏହା ସବୁ ବ୍ୟବସ୍ଥା କରିବା ପରେ ଏବେ ସତ୍ଲେଜ ନଦୀରେ ବିଷାକ୍ତ ପାଣି ଛାଡ଼ିଛି । ସତ୍ଲେଜ ନଦୀରେ ଏହା ଲକ୍ଷ ଲକ୍ଷ ଲିଟର ଜଳ ଛାଡ଼ିଥିବା ଜଣାପଡ଼ିଛି ।ସୁଦୀର୍ଘ ନଦୀ ସତ୍ଲେଜ ପାକିସ୍ତାନ ଓ ଉତ୍ତର ଭାରତର ପଞ୍ଜାବ ମଧ୍ୟରେ ପ୍ରବାହିତ ହେଉଛି । ପଞ୍ଜାବ ସଂଲଗ୍ନ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ପାକିସ୍ତାନର ଟ୍ୟାନେରିଗୁଡ଼ିକରୁ (ଚମଡ଼ା ଶୋଧନାଳୟ) ଲକ୍ଷ ଲକ୍ଷ ଲିଟର ବିଷାକ୍ତ ପାଣି ଜାଣିଶୁଣି ନଦୀରେ ଛଡ଼ାଯାଉଛି । ଏହି ବିଷାକ୍ତ ତଥା ପ୍ରଦୂଷିତ ଜଳ ସ୍ରୋତ ଦ୍ୱାରା ଅନେକ ବନ୍ଧ ଭାଙ୍ଗିଗଲାଣି । ଫଳରେ ଏହି ପାଣି ପଞ୍ଜାବର ବିଭିନ୍ନ ସୀମାବର୍ତ୍ତୀ ଗ୍ରାମରେ ବ୍ୟାପିବା ଆରମ୍ଭ କରିଛି । ଏହି ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଗ୍ରାମଗୁଡ଼ିକରେ ରୋଗବ୍ୟାଧି ବ୍ୟାପିବ ବୋଲି ଆଶଙ୍କା କରାଯାଉଛି ।ପାକିସ୍ତାନ ଦ୍ୱାରା ହଠାତ୍ ଏହି ଚମଡ଼ାଧୁଆ ବିଷାକ୍ତ ପାଣି ଛଡ଼ାଯିବା ଦ୍ୱାରା ପଞ୍ଜାବର ଫିରୋଜପୁର ଜିଲ୍ଲା ଅନ୍ତର୍ଗତ ଟେଣ୍ଡିୱାଲା ଗ୍ରାମ୍ରେ ସତ୍ଲେଜ ନଦୀବନ୍ଧ ଭାଙ୍ଗିଯାଇଛି । ଫଳରେ ଏହାର ଆଖପାଖି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ଏହି ନଦୀ ପଞ୍ଜାବର କିଛି ଅଞ୍ଚଳକୁ ଛୁଇଁ ପାକିସ୍ତାନରେ ପ୍ରବାହିତ ହେଉଛି । ଏହି ପାଣି ଦ୍ୱାରା କେବଳ ରୋଗ ବ୍ୟାପିବ ନାହିଁ, ବରଂ ଅନେକ ଚାଷଜମିରେ ଚାଷକାର୍ଯ୍ୟ ପ୍ରଭାବିତ ହେବ ।ସତ୍ଲେଜ ନଦୀରେ ଏଭଳି ବିଷାକ୍ତ ବନ୍ୟା ପାଣି ଦେଖିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସ୍ଥିତି ସମୀକ୍ଷା କରାଯାଉଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ସେନା ସହାୟତାରେ ନଦୀର ତଟବନ୍ଧ ପରିଦର୍ଶନ କରିବା ସହ ବନ୍ଧଗୁଡ଼ିକୁ ମଜଭୁତ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି । ଟେଣ୍ଡିୱାଲା ଗ୍ରାମ ନିକଟରେ ଭାଙ୍ଗିଥିବା ନଦୀବନ୍ଧକୁ ଇତିମଧ୍ୟରେ ମରାମତି କରାଯାଇଛି । କିନ୍ତୁ ଫିରୋଜପୁରର ତମାମ ଗ୍ରାମଗୁଡ଼ିକରେ ଏବେ ରୋଗବ୍ୟାଧି ବ୍ୟାପିବ ବୋଲି କୁହାଯାଉଛି ।ଅନ୍ୟପକ୍ଷରେ ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଏନ୍ଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ଫିରୋଜପୁରର ମାଖୁ ଏବଂ ହୁସେନିୱାଲା ଗ୍ରାମରେ ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାଛଡ଼ା ପାଖାପାଖି ୬୩୦ ଲୋକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ସତ୍ଲେଜ ନଦୀ ଦେଇ ଭାରତରୁ ଯେତିକି ପାଣି ପାକିସ୍ତାନ ଯାଉଛି, ତାହାର ଦୁଇଗୁଣ ପାଣି ପାକିସ୍ତାନରୁ ଆସୁଛି । ତେଣୁ ପାକିସ୍ତାନର ଏହି ପ୍ରଦୂଷିତ ଜଳ ଭାରତ ପାଇଁ ଖରାପ ସାବ୍ୟସ୍ତ ହେବ ।ଇତିମଧ୍ୟରେ ଏ ବାବଦରେ ପଞ୍ଜାବ ସରକାର ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ଏହି ବିଷାକ୍ତ ବନ୍ୟା ଜଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୧,୦୦୦ କୋଟି ଟଙ୍କାର ସହାୟତା ଲୋଡ଼ାଯାଇଛି । ସ୍ୱତନ୍ତ୍ର ପ୍ୟାକେଜ୍ ଆକାରରେ ଏହି ଟଙ୍କା ଦେବାକୁ ଅନୁରୋଧ କରାଯାଇଛି । ବନ୍ୟା ପାଣି ଦ୍ୱାରା ପଞ୍ଜାବର ପାଖାପାଖି ୧,୭୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଖୁବ୍ଶୀଘ୍ର ନିଜ ପ୍ରତିନିଧି ମଣ୍ଡଳୀ ପଞ୍ଜାବ ପଠାଇବ ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.