ଇସ୍ଲାମାବାଦ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଏହାର ବାୟୁସୀମାକୁ ବନ୍ଦ କରି ରଖିଛି । ଫଳରେ ଭାରତୀୟ ବିମାନ ପାକ୍ ବାୟୁସୀମା ଦେଇ ବ୍ୟବସାୟିକ ଉଡ଼ାଣ କରିପାରୁନାହିଁ । ଏଭଳି ପରିସ୍ଥିତିରେ ପାକିସ୍ତାନ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଏହା କହିଛି ଯେ ଭାରତୀୟ ବାୟୁସେନା ଏହାର ସୀମାନ୍ତ ଘାଟିରୁ ଯେ ପର୍ଯ୍ୟନ୍ତ ଯୁଦ୍ଧ ବିମାନ ନ ହଟାଇଛି, ସେ ଯାଏ ଭାରତର ବ୍ୟବସାୟିକ ଉଡ଼ାଣ ଲାଗି ପାକିସ୍ତାନ ଏହାର ବାୟୁସୀମା ଖୋଲିବ ନାହିଁ ।
ପାକିସ୍ତାନର ବେସାମରିକ ବିମାନ ଚଳାଚଳ ସଚିବ ଶାହରୁଖ ନୁସ୍ରତ ଗୁରୁବାର ଦେଶର ଏକ ସଂସଦୀୟ କମିଟି ନିକଟରେ ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ବାଲାକୋଟ୍ ଏୟାର ଷ୍ଟ୍ରାଇକ୍କୁ ଇତିମଧ୍ୟରେ ଅନେକ ଦିନ ବିତିଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ତା’ର ମନୋଭାବରେ ପରିବର୍ତ୍ତନ ଆଣିନାହିଁ । ଏହା ସୀମାନ୍ତ ବିମାନ ଘାଟିରେ ନିଜର ଯୁଦ୍ଧ ବିମାନ ନିୟୋଜିତ କରି ରଖିଛି । ଏଭଳି ପରିସ୍ଥିତିରେ ଆମେ ବି ପଛଘୁଞ୍ଚା ଦେବୁନାହୁଁ । ଆମେ ଆମର ବାୟୁସୀମାକୁ ଭାରତ ପାଇଁ ଆଦୌ ଖୋଲିବୁ ନାହିଁ ।
ଉଲ୍ଲେଖଯୋଗ୍ୟ, ଜୈସ୍-ଏ-ମହମ୍ମଦ (ଜେଇଏମ୍)ର ଆତଙ୍କବାଦୀ ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଚଳିତବର୍ଷ ଫେବ୍ରୁଆରୀ ୧୪ରେ ଆକ୍ରମଣ ଘଟାଇଥିଲେ । ଫଳରେ ଭାରତର ୪୪ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ସ୍ୱରୂପ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ ଉପରେ ସାଂଘାତିକ ବୋମା ବର୍ଷଣ କରିଥିଲା । ଫଳରେ ପାକ୍ ଆତଙ୍କବାଦୀ ଶିବିରଗୁଡ଼ିକ ଧୂଳିସାତ୍ ହୋଇଯାଇଥିଲା । ଏହାପରେ ପାକିସ୍ତାନ ଫେବ୍ରୁଆରୀ ୨୬ରେ ନିଜ ବାୟୁସୀମାକୁ ସିଲ୍ କରିଦେଇଥିଲା । ଫଳରେ ପାକିସ୍ତାନ ଦେଇ ଭାରତୀୟ ବିମାନର ବ୍ୟବସାୟିକ ଉଡ଼ାଣ ସେହିଦିନଠାରୁ ବନ୍ଦ ରହିଛି ।
ଡନ୍ ନ୍ୟୁଜ୍ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ନୁସ୍ରତ ଗୁରୁବାର ସଂସଦୀୟ କମିଟିକୁ ଦେଶର ବାୟୁସୀମା ସଶ୍ଛର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଭାରତ ଏହାର ଫରୱାର୍ଡ ବେସ୍ରୁ ଯୁଦ୍ଧ ବିମାନ ନ ହଟାଇବା ଯାଏ, ପାକ୍ର ବାୟୁସୀମା ଖୋଲାଯିବ ନାହିଁ । ଏ ନେଇ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ।


Comments are closed, but trackbacks and pingbacks are open.