ରାୟଗଡ଼ା,(ବି.ବି.ନ୍ୟୁଜ୍): ଲଗାଣ ବର୍ଷାରେ ଭାସିଯାଇଛି କଲ୍ୟାଣସିଂହପୁର ବ୍ଲକରେ ଥିବା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ । ଫଳରେ ୫ଟି ପଞ୍ଚାୟତବାସୀଙ୍କ ଲାଗି ଗମନାଗମନରେ ସୃଷ୍ଟି ହୋଇଛି ପ୍ରତିବନ୍ଧକ । ଏହି ୫ଟି ପଞ୍ଚାୟତ ହେଲା ପାରସାଲି, ମାଝିଗୁଡ଼ା, ସୁନାଖଣ୍ଡି, ପୂଜାରୀଗୁଡ଼ା ଓ ପୋଲମା । ମୁଖ୍ୟତଃ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ପୋଲ ଭାସିବା ପରେ ତକ୍ରାଳ ପଦକ୍ଷେପ ନେଇଛି ପ୍ରଶାସନ । ଏକ ମୋଟର ଡଙ୍ଗା ଚଳାଚଳ ଆରମ୍ଭ କରାଯାଇଛି ।
ପ୍ରକାଶଥାଉକି, ୨୦୧୭ ଜୁଲାଇ ୧୬ ତାରିଖରେ କଲ୍ୟାଣୀ ନଦୀରେ ଯେଉଁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା, ସେଥିରେ ସ୍ଥାୟୀ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହାପରେ ଦୀର୍ଘ ୧ ବର୍ଷ ଧରି ଲୋକେ ନାହିଁନଥିବା ଦୁର୍ଦ୍ଦଶା ଭୋଗିଥିଲେ । ୨୦୧୮ ଜୁଲାଇ ମାସରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ଯାହାକି ମାତ୍ର ୧୦ ଦିନ ମଧ୍ୟରେ ଧୋଇଯାଇଥିଲା । ଏହାପରେ ପୁନର୍ବାର ହ୍ୟୁମ୍ପାଇପ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇ ଆଉଥରେ ଏହାକୁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲା । ଗତ ଦୁଇଦିନର ଲଗାଣ ବର୍ଷାରେ ନଦୀର ଜଳସ୍ତର ବଢିଥିଲା । ଫଳରେ ଆଜି ସକାଳେ ପୋଲ ଧୋଇଯାଇଥିଲା । ଏହାପରେ ବିଡିଓ ଅନୁପ ପଣ୍ଡା ନଦୀକୂଳରେ ପୂଜାର୍ଚ୍ଚନା କରି ଡଙ୍ଗାର ଶୁଭାରମ୍ଭ କରିଥିଲେ । ଏହି ଡଙ୍ଗା ଦ୍ୱାରା ଗ୍ରାମବାସୀମାନେ ଯାତାୟତ କରିବେ ବୋଲି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ସ୍ଥାୟୀ ପୋଲ ନିର୍ମାଣ ଲାଗି ଦୀର୍ଘ ୨ ବର୍ଷ ହେଲା ଦାବି କରିଆସୁଛନ୍ତି ଲୋକେ । ତଥାପି ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଇନି ଜିଲ୍ଲା ପ୍ରଶାସନ । ଏମିତିକି ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଅଦ୍ୟାବଧି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଶେଷ ହୋଇନି ।
Comments are closed, but trackbacks and pingbacks are open.