ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଆୟ ବହିିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘରର ଜଣେ କୋଟିପତି ପ୍ରଧାନ ଶିକ୍ଷକଙ୍କ ବାସଭବନରେ ଚଢଉ କରିଛି ଭିଜିଲାନ୍ସ । ସେ ହେଉଛନ୍ତି ରାଇଘର ବ୍ଲକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବରଗାଁର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଓରଫ ବୁଲୁ । ଭିଜିଲାନ୍ସ ବିଭାଗର ୩୦ ଜଣିଆ ଟିମ୍ ଏକସଂଗେ ପ୍ରଧାନଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ବାସଭବନ, ଭଡ଼ାରେ ଲାଗିଥିବା ୨ ମହଲା କୋଠା, ପୈତୃକ ବାସଭବନ ସମେତ ରାସାୟନିକ ସାର ଏବଂ ବିହନ ଗୋଦାମରେ ଚଢଉ କରିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପ୍ରାୟ ୧୨ ଘଣ୍ଟା ଧରି ଖାନତଲାସୀ ପରେ ବି ସଂପତ୍ତିର ପ୍ରକୃତ ଆକଳନ କରିପାରିନି ଭିଜିଲାନ୍ସ । ଚଢଉ ଜାରି ରହିଥିବା ସୂଚନା ମିଳିଛି । ପ୍ରଧାନଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ସ୍ତ୍ରୀ ନାଁରେ ବାର୍ଷିକ ପ୍ରାୟ ୬୦ କୋଟିରୁ ଅଧିକ ଟଙ୍କାର ରାସାୟନିକ ସାର ଏବଂ ବିହନ ବ୍ୟବସାୟ ଚାଲିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଏଥିସହ ତାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ଏହି ଚଢଉରେ ଜୟପୁର ଡିଏସ୍ପି ଏସ୍. ଏନ୍. ପାଣିଗ୍ରାହୀ, ମାଲକାନଗିରି ଡିଏସ୍ପି ଏସ. କେ ବିଶ୍ୱାଳ, ଭବାନୀପାଟଣା ଡିଏସ୍ପି ଏସ୍.ବି ମହାନନ୍ଦ, ଜୟପୁର ଡିଏସ୍ପି କେ. କେ ପାତ୍ର, ଇନ୍ସପେକ୍ଟର ଦୀନବନ୍ଧୁ ବେହେରା ଏବଂ କଳାବତୀ ବାଘଙ୍କ ସମେତ ବିଭାଗର ଅନ୍ୟ ବହୁ କର୍ମଚାରୀ । ଚଢଉ ଶେଷ ହେବା ପରେ ପ୍ରଧାନଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ କେତେ ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।


Comments are closed, but trackbacks and pingbacks are open.