ଖଣ୍ଡପଡ଼ା, (ବି.ବି.ନୁ୍ୟଜ୍): ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜଣେ ଯୁବକଙ୍କ ଠାରୁ ଉକ୍ରୋଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଖବରରୁ ପ୍ରକାଶ ଯେ, ଏକ ଓଏଲ୍ଆର୍ ମୋକଦ୍ଧମାରେ ରେକର୍ଡ ସଂଶୋଧନ କରି ପଟ୍ଟା ପାଇବା ନିମନ୍ତେ ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଖୁଦବେହେରାପାଟଣାର କୃଷ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଅଶୋକ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ । ପରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିଗାମ୍ବର ମହାନ୍ତିଙ୍କ ସହ ପଟ୍ଟା ପାଇବା ସମ୍ପର୍କରେ ଆଲୋଚନା କରିଥିଲେ । ପଟ୍ଟା ଦେବା ପାଇଁ ମୁଖ୍ୟ କିରାଣୀ ୨ ହଜାର ଟଙ୍କା ଦାବି କରିବାରୁ ଏଥିରେ ନିରାଶ ହୋଇ ଅଶୋକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶକ୍ରମେ ସେ ମଙ୍ଗଳବାର ପୂର୍ବାହ୍ନରେ କାର୍ଯ୍ୟାଳୟ ମଧ୍ୟରେ ୨ ହଜାର ଟଙ୍କା ମୁଖ୍ୟ କିରାଣୀ ଶ୍ରୀ ମହାନ୍ତିଙ୍କୁ ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗ ଭୁବନେଶ୍ୱର ଖଣ୍ଡର ଡିଏସ୍ପି ଅକ୍ଷୟ ମିଶ୍ର ନେତୃତ୍ୱ ନେଇଥିବା ବେଳେ ଇନ୍ସପେକ୍ଟର ମନୋରଞ୍ଜନ ପାଇକରାୟ, ସରିତା ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । ଅଭିଯୁକ୍ତ ମୁଖ୍ୟ କିରାଣୀଙ୍କୁ ଭୁବନେଶ୍ୱର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଧିକ ତଦନ୍ତ ନିମନ୍ତେ ନିଆଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ତହସିଲଦାର ପାର୍ଥସାରଥୀ ହାଂସଦାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ଉକ୍ରୋଚ ନେଉଥିବା କିମ୍ବା ମାଗୁଥିବା ବିଷୟରେ କେହି ତାଙ୍କୁ ଅଭିଯୋଗ କରିନଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ରଣପୁର ଠାରେ ଦିଗାମ୍ବର ମହାନ୍ତି କାର୍ଯ୍ୟରତ ଥିବା ସମୟରେ ଲାଞ୍ଚନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜାମିନ୍ରେ ଆସିବା ପରେ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.