ଭବାନୀପାଟଣା,(ବି.ବି.ନୁ୍ୟଜ୍): ବଜ୍ରାଘାତ ସହାୟତା ଟଙ୍କାରେ ଭାଗ ବସାଇବା ମହଙ୍ଗା ପଡ଼ିଛି ପୁଲିସ ବାବୁଙ୍କୁ । କନଷ୍ଟେବଲ ଜରିଆରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଏଏସ୍ଆଇ ସୋମେଶ୍ୱର ବାଗ । ବଜ୍ରାଘାତ ମୃତକଙ୍କ ପରିବାରକୁ ମିଳିଥିବା ଅନୁକମ୍ପା ରାଶି ଭାଗବଣ୍ଟାକୁ ନେଇ ଲାଗି ରହିଥିବା ପାରିବାରକି ବିବାଦର ରଫାଦଫା ପାଇଁ ଶ୍ରୀ ବାଗ ୫୦ ହଜାର ଲାଞ୍ଚ ମାଗିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିବାକୁ ଯୋଜନା କରିଥିଲା ବୋଲି ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।
ଶ୍ରୀ ମହାନନ୍ଦଙ୍କ ସୂଚନାମତେ, ଥୁଆମୁଳ ରାମପୁର ଥାନା ସାନଦେର୍ଲା ଗାଁର ଧନମଣୀ ନାଏକ(୩୭)ଙ୍କ ୨୦୧୯ରେ ବଜ୍ରାଘାତରେ ମୃତୁ୍ୟ ହୋଇଥିଲା । ଧନମଣୀଙ୍କ ଅନ୍ତେ ତାଙ୍କ ପରିବାର ନିକଟକୁ ଜାତୀୟ ଫେମିଲି ବେନିଫିଟ୍ ସ୍କିମ୍ରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯାଇଥିଲା । ତେବେ ୪ ଲକ୍ଷ ଟଙ୍କାକୁ ନେଇ ଧନମଣୀଙ୍କ ୩ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ବିବାଦ । ତିନି ସ୍ତ୍ରୀ ମଧ୍ୟରୁ ପ୍ରଥମ ସ୍ତ୍ରୀ ଗୋଟିଏ ସନ୍ତାନକୁ ନେଇ ଅଲଗା ରହୁଥିବାବେଳେ ଦ୍ୱିତୀୟ ସ୍ତ୍ରୀ ସ୍ୱାମୀ ପାଖରେ ଗୋଟିଏ ପିଲା (ପବିତ୍ର)କୁ ଛାଡ଼ି ଆଉ ଗୋଟିଏ ବିବାହ କରି ଚାଲି ଯାଇଥିଲେ । ତୃତୀୟ ସ୍ତ୍ରୀ ଏବଂ ପବିତ୍ରକୁ ମିଶାଇ ୪ ସନ୍ତାନ ସହ ଏକାଠି ରହୁଥିଲେ ଧନମଣୀ । ତେବେ ପ୍ରଥମ ଏବଂ ଦ୍ୱିତୀୟ ସ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ ନେଇଯିବା ପରେ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ପବିତ୍ର ଥୁଆମୁଳ ରାମପୁର ଥାନାର ଏହା ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଯେହେତୁ ଦ୍ୱିତୀୟ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ ତେଣୁ ଟଙ୍କା ଦିଆଯିବ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ । ତେବେ ମାମଲା ଥାନାକୁ ଯିବା ପରେ ଏଥିରେ ଭାଗ ବସାଇ ଦେଇଥିଲେ ପୁଲିସ ବାବୁ । ମାମଲା ରଫାଦଖା କରିବାକୁ ଥାନା ଏଏସ୍ଆଇ ସୋମେଶ୍ୱର ବାଗ ମାଗିଥିଲେ ୫୦ ହଜାର ଟଙ୍କା । ନଚେତ୍ ତାଙ୍କ ନାଁରେ ମିଥ୍ୟା ମାମଲା କରି ଜେଲ୍ ପଠାଇ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଏପରି କି ଶ୍ରୀ ବାଗ ପବିତ୍ରଙ୍କ ବାଇକ୍ ଥାନାରେ ଅଟକ ରଖି ୫୦ ହଜାର ଟଙ୍କା ଆଣିବାକୁ କହିଥିଲେ । ତେବେ ପବିତ୍ର ଏ ସମ୍ପର୍କରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ଆଜି ପବିତ୍ର ୫୦ ହଜାର ଟଙ୍କା ଏଏସ୍ଆଇଙ୍କ କହିବା ମୁତାବକ ହୋମ୍ଗାର୍ଡ ରଘୁମଣି ନାଏକଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏଏସ୍ଆଇ ସୋମେଶ ବାଗଙ୍କୁ କାବୁ କରିବା ସହ ୫୦ ହଜାର ଟଙ୍କା ଜବତ କରିଥିଲେ ।
Comments are closed, but trackbacks and pingbacks are open.