ଭିଜିଲାନ୍ସ ଜାଲରେ ମାଲକାନଗିରି ସିଏସ୍ଓ

Get real time updates directly on you device, subscribe now.

ମାଲକାନଗିରି/ ଜୟପୁର,(ବି.ବି.ନ୍ୟୁଜ୍): ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି । ଆଜି ଅପରାହ୍ନରେ ମାଲକାନଗିରିରୁ ଜୟପୁରକୁ କାର୍ରେ ଆସୁଥିବା ବେଳେ ଟାଙ୍ଗିନିଗୁଡ଼ା-ବୈପାରିଗୁଡ଼ା ରାସ୍ତାରେ ତାଙ୍କୁ ଧରିଛି ଭିଜିଲାନ୍ସ । ଶ୍ରୀ ମହାନ୍ତି ଆସୁଥିବା (ଓଡି-୦୨-ଏସି-୬୪୭୧)କୁ ଯାଞ୍ଚ କରିବାରୁ ନଗଦ ୧ ଲକ୍ଷ ୯୧ ହଜାର ୧୪୦ ଟଙ୍କା ମିଳିଥିଲା । ଭିଜିଲାନ୍ସ ଟିମ୍ ଏହାକୁ ଜବତ କରିବା ସହ ଶ୍ରୀ ମହାନ୍ତିଙ୍କୁ ଜୟପୁର କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲା । ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ମାଲକାନଗିରି ନେଇଛି । ସେଠାରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ଯାଞ୍ଚ କରାଯିବ ବୋଲି କହିଛନ୍ତି ମାଲକାନଗିରି ଡିଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ । ଅନ୍ୟପକ୍ଷରେ ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି, ଗାଡ଼ିରେ ଥିବା ଟଙ୍କା ତାଙ୍କର ନୁହେଁ । ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିବାରୁ ସେ କୌଣସି ଉତ୍ତର ଦେଇପାରିନଥିଲେ । ତେଣୁ ବିଭାଗ ପକ୍ଷରୁ ତାଙ୍କୁ ଜେରା କରାଯାଉଛି ବୋଲି କହିଛନ୍ତି ଶ୍ରୀ ବିଶ୍ୱାଳ ।
ଆଜି ସକାଳେ ଜୟପୁର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟକୁ ଖବର ଆସିଥିଲା ଯେ, ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଏକ ଇନୋଭା କାର୍ରେ ଲକ୍ଷାଧିକ ଟଙ୍କା କଲେକ୍ସନ କରି ବ୍ରହ୍ମପୁର ଅଭିମୁଖେ ଯାଉଛନ୍ତି । ଏହି ଖବର ପାଇବା ମାତ୍ରେ ଜୟପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଡିଏସ୍ପି ଶ୍ରୀ ବିଶ୍ୱାଳ ଏବଂ ନୂଆପଡ଼ା ଡିଏସ୍ପି ଏସ୍. ବି ମହାନନ୍ଦିଆଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ବୈପରିଗୁଡ଼ା ମୁଖ୍ୟ ରାସ୍ତାରେ ଜଗି ରହିଥିଲେ । ସିଏସଓ ଶ୍ରୀ ମହାନ୍ତିଙ୍କ କାର୍ ବୈପାରିଗୁଡ଼ା ନିକଟରେ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଶ୍ରୀ ମହାନ୍ତିଙ୍କ ବ୍ୟାଗ୍ରୁ ମିଳିଥିଲା ନଗଦ ୧ ଲକ୍ଷ ୯୧ ହଜାର୧୪୦ ଟଙ୍କା ଏବଂ ଡ୍ରାଇଭର ନିକଟରୁ ୨୦ ହଜାର ଟଙ୍କା । ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇନି ବୋଲି ଡିଏସ୍ପି ଶ୍ରୀ ବିଶ୍ୱାଳ କହିଛନ୍ତି । ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଡିଏସ୍ପି କିଶୋର କୁମାର ପାତ୍ର, ଇନ୍ସପେକ୍ଟର ପ୍ରମିଳା ସୁନା ଓ ସୂର୍ଯ୍ୟକାନ୍ତି ଟାକ୍ରି ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons