କଟକ,(ବି.ବି.ବୁ୍ୟରୋ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଉଦ୍ୟାନ କୃଷି ବିଭାଗର ତକ୍ରାଳୀନ ନିଦେ୍ର୍ଧଶକ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ତୁଷିମା ମିଶ୍ର ଆଜି ମୁହଁ ଖୋଲିଛନ୍ତି । ଭିଜିଲାନ୍ସର ତଦନ୍ତ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଅନ୍ୟାୟ ଓ ଆକ୍ରୋଶମୂଳକ ଭାବେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି । ଗିରଫଦାରୀର ୨୦ ଦିନ ପରେ ଆଜି ଗଣମାଧ୍ୟମ ଆଗରେ ଶ୍ରୀମତୀ ମିଶ୍ର ଖୋଲାଖୋଲି ଭିଜିଲାନ୍ସ ତଦନ୍ତକୁ ନେଇ ସଂଗୀନ ଅଭିଯୋଗ କରିବା ସହ ଗିରଫଦାରୀ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ସେ ଏହି ଘଟଣା ପାଇଁ ସିଧାସଳଖ କାହାକୁ ଦାୟୀ କରିନଥିଲେ ମଧ୍ୟ ଯେଉଁଭଳି ଭାବେ ଷଡ଼ଯନ୍ତ୍ର କରି ତାଙ୍କ ସ୍ୱାମୀଙ୍କ ପଦମର୍ଯ୍ୟାଦାକୁ ନଷ୍ଟ କରିଦିଆଗଲା ଭବିଷ୍ୟତରେ ଯଦି ତାଙ୍କର କିଛି ହୁଏ ତାହେଲେ ଏଥିପାଇଁ ରାଜ୍ୟ ସରକାର, ଭିଜିଲାନ୍ସ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ଆଜି କଟକ ତୁଳସୀପୁରସ୍ଥିତ ତାଙ୍କ ବାପ ଘରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ତାଙ୍କ ସ୍ୱାମୀଙ୍କଠାରୁ ୧ଲକ୍ଷ ଟଙ୍କା ଜବତ କରିଛି ବୋଲି ଯେଉଁ ଦାବି କରିଛି ତାହା ସଂପୂର୍ଣ୍ଣ ମିଛ । ସିଧାସଳଖ ଭାବେ ଭିଜିଲାନ୍ସ ତାଙ୍କଠାରୁ କୌଣସି ଟଙ୍କା ଜବତ କରିନାହିଁ । ଭିଜିଲାନ୍ସ ପକ୍ଷରୁ ବିଜୟକେତନଙ୍କ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଚଢଉ କରାଯାଇଥିଲା । କିନ୍ତୁ କୌଣସିଠାରେ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିପାରି ନାହିଁ । ଗତ ଡିସେମ୍ବର ୩୦ରେ ବିଜୟ କେତନ ଏକ ମିଟିଂରେ ବସିଥିବାବେଳେ ଭିଜିଲାନ୍ସ ତାଙ୍କୁ ଜେରା କରିବାକୁ କହି ଡାକି ଆଣିଥିଲା । ଏପରିକି ଘର ଯାଞ୍ଚ୍ ବେଳେ ଭିଜିଲାନ୍ସ ଟିମ୍ କୌଣସି ସର୍ଚ୍ଚ ୱାରେଣ୍ଟ ଦେଇପାରିନଥିଲେ । ଘର ସର୍ଚ୍ଚ ଚାଲିଥିବାବେଳେ ଅପରାହ୍ନ ସାଢେ ୨ଟା ସୁଦ୍ଧା ବିଜୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ସଂପର୍ତ୍ତି ଜବତ ନେଇ ଭିଜିଲାନ୍ସର ସମସ୍ତ ଅଭିଯୋଗ ଭିତ୍ତିହୀନ ତଥା ମନଗଢା କାହାଣୀ । କେବଳ ବିଜୟ କେତନଙ୍କୁ ବଦନାମ୍ କରିବା ଲାଗି ଭିଜିଲାନ୍ସ ଏଭଳି ଏକ ଷଡଯନ୍ତ୍ର କରିଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ନିମ୍ନ ଅଦାଲତରୁ ତାଙ୍କୁ ଜାମିନ୍ ମିଳିନାହିଁ ସତ, କିନ୍ତୁ ହାଇକୋର୍ଟରୁ ନିଶ୍ଚିତ ତାଙ୍କ ସ୍ୱାମୀଙ୍କୁ ନ୍ୟାୟ ମିଳିବ ବୋଲି ସେ ଦୃଢ଼ ଆଶାବାଦୀ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।


Comments are closed, but trackbacks and pingbacks are open.