ଭିଟାମାଟିକୁ ଫେରୁଛନ୍ତି ଶ୍ରମିକ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଗତବର୍ଷ କରୋନା ପ୍ରଥମ ଲହରି ସମୟରେ ହଜାର ହଜାର ଶ୍ରମିକ ତଥା ପ୍ରବାସୀ ନାନା କଷ୍ଟ ସହ୍ୟକରି ଭିଟାମାଟିକୁ ଫେରିଥିଲେ ।ଏଭଳି ପରିସ୍ଥିତିକୁ ଠିକ୍ ବର୍ଷେ ପୁରଣ ହୋଇଥିବା ବେଳେ ଘଟଣାର ପୁନରାବୃତ୍ତି ଘଟିଛି । କରୋନା ଦ୍ୱିତୀୟ ଲହରି ଏବେ ଭୟଙ୍କର ରୂପ ଧାରଣ କରିଛି । ସରକାର ସପ୍ତାହାନ୍ତ କଟକଣା ଲାଗୁ କରିଲେଣି । ହେଲେ ଲକ୍ଡାଉନ୍ ଭୟରେ ବର୍ତ୍ତମାନ ଠାରୁ ଶ୍ରମିକ ଫେରନ୍ତା ଆରମ୍ଭ ହୋଇଗଲାଣି । ଗତକାଲିଠାରୁ ଏହା ନଜରକୁ ଆସିଛି । ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଶ୍ରମିକମାନେ ନିଜ ଘରକୁ ଫେରୁଥିବା ଜାରି ରହିଛି । ଦୁଇ ଦିନରେ ଶତାଧିକ ଶ୍ରମିକ ନିଜ ଘରକୁ ଫେରିଛନ୍ତି ।
ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଶ୍ରମିକଙ୍କ ପ୍ରବଳ ଭିଡ଼ ନଜରକୁ ଆସିଛି । ମୁଖ୍ୟତଃ କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଆସି ଅନେକ ଶ୍ରମିକ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ଉକ୍ତ ଶ୍ରମିକମାନେ ବିଭିନ୍ନ ଇଟାଭାଟି, ଆପାର୍ଟମେଣ୍ଟ ନିର୍ମାଣ ଏବଂ କ୍ଷୁଦ୍ର ଶିଳ୍ପରେ ନିୟୋଜିତ ଥିବାବେଳେ ବର୍ତ୍ତମାନ କରୋନା ପାଇଁ ନାନା ଭୟରେ ନିଜ ଘରକୁ ବାହୁଡ଼ୁଥିବା ଜଣାପଡ଼ିଛି । ଗତକାଲି ଭଳି ଆଜି ମଧ୍ୟ ରାୟଗଡ଼ା ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଶ୍ରମିକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ସେହିଭଳି ମୁନିଗୁଡ଼ା ବସଷ୍ଟାଣ୍ଡ ଓ ଷ୍ଟେସନରେ ଶ୍ରମିକମାନେ ଘରକୁ ଯିବା ନିମନ୍ତେ ଭିଡ଼ ଜମାଇଥିଲେ । ଯେ କୌଣସି ମୂହୂର୍ତ୍ତରେ ସରକାର କିଛି ବଡ଼ ନିଷ୍ପତ୍ତି ନେବାର ସମ୍ଭାବନା ସେମାନଙ୍କ ମନରେ ରହିଥିବା ପ୍ରକାଶ କରିଛନ୍ତି । ପଦ୍ମିନୀ ମାଝି, ଶମ୍ଭୁ ଦିଆନ, ଚନ୍ଦ୍ରକାନ୍ତ ବାଗ ଭଳି କୋରାପୁଟ, ନୂଆପଡା ଜିଲ୍ଲାର କିଛି ଶ୍ରମିକ କହିଛନ୍ତି ଯେ, ସେମାନେ ଗତ ନଭେମ୍ବର ମାସରୁ ରାୟଗଡା ସହର ଉପକଣ୍ଠରେ ଥିବା ଏକ ଆପାର୍ଟମେଣ୍ଟରେ ନିର୍ମାଣ କାମ କରୁଥିଲେ । ଦିନ ମଜୁରିଆ ଭାବେ ଗତ ୫ ମାସ ହେବ ସପରିବାର କାର୍ଯ୍ୟ କରିବା ସହ ଜୀବନ ଜୀବିକା ଜାରି ରଖିଥିଲେ । ତେବେ ବର୍ତ୍ତମାନ ସମଗ୍ର ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ଜଟିଳ ଓ ଚିନ୍ତାଜନକ ହୋଇଛି । ତେଣୁ ଆଗାମୀ ଦିନରେ ଗତ ବର୍ଷର ଭଳି ସ୍ଥିତି ଉପୁଜିବା ଆଶଙ୍କା ଥିବା ଯୋଗୁଁ ନିଜ ଘରକୁ ସପରିବାର ଫେରୁଥିବା ସେମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons