ଭିତରକନିକାରେ ୬୮ କୁମ୍ଭୀର ବସା ଚିହ୍ନଟ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ଥିବା ବିରଳ ବଉଳା କୁମ୍ଭୀରଗୁଡ଼ିକ ମୋଟ ୬୮ଟି ବସାରେ ଏଥର ଅଣ୍ଡା ଦେଇଥିବା ଜଣାପଡ଼ିଛି । ଭିତରକନିକା ଫରେଷ୍ଟ ବ୍ଲକ୍ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍ର ଗଞ୍ଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରିରେ ୫୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ୫ଟି ଓ ରାଜନଗର ରେଞ୍ଜ୍ ଅଞ୍ଚଳରେ ୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ପ୍ରତିବର୍ଷ ମା’ ବଉଳା କୁମ୍ଭୀର ବସା କରି ଅଣ୍ଡା ଦେବା ସହିତ ଅଣ୍ଡାରୁ ଛୁଆ ଫୁଟାଇଥାନ୍ତି । ମା’ କୁମ୍ଭୀର ଉଚ୍ଚ ସ୍ଥାନରେ ଯେପରି ଜୁଆର ସମୟରେ ବସା ଭାସି ନଯାଏ, ସେଭଳି ନିରାପଦ ସ୍ଥାନରେ ବସା କରିଥାନ୍ତି । ଖରଖରି ପତ୍ର ଓ କାଠି କୁଟା ସଂଗ୍ରହ କରି ଦେଢରୁ ଦୁଇ ଫୁଟ ଉଚ୍ଚର ଗଦା କରିଥାନ୍ତି । ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡ଼ାଇ ରଖିଥାନ୍ତି । କୁମ୍ଭୀର ୪୦ରୁ ୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ । କୁମ୍ଭୀର ଅଣ୍ଡା ଦେବା ପରେ ବସା ଉପରେ, ବସା ପାଖରେ କିମ୍ୱା ୫ରୁ ୧୦ ଫୁଟ୍ ମଧ୍ୟରେ ଜଗି ରହିଥାଏ । ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି । ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରତି ବର୍ଷ ମେ’ ୧ ତାରିଖଠାରୁ ଜୁଲାଇ ୩୧ ତିନି ମାସ ଯାଏ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖା ଯାଇଥାଏ । ଚଳିତ ବର୍ଷ ଜୁଲାଇ ୧୫ ତାରିଖ ଯାଏ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଚାଲିବ । କୁମ୍ଭୀର ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ପ୍ରତ୍ୟେକ ରେଞ୍ଜ୍ ଅଞ୍ଚଳରେ ବନ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇ କୁମ୍ଭୀର ବସା ଚିହ୍ନଟ କରାଯାଉଛି ।
ସୂଚନା ଥାଉ କି , ୧୯୭୦ ମସିହାରେ ଏକ ଅନୁଧ୍ୟାନରେ ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିବା ପରେ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥା ସହାୟତାରେ କୁମ୍ଭୀର ବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଥିଲେ । ୧୯୭୪ ମସିହାରେ ଜାତିସଂଘ ପକ୍ଷରୁ ନିଯୁକ୍ତ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‍.ଆର୍‍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର କୂଳ ପରିଦର୍ଶନ କରି ଭିତରକନିକାକୁ ବିରଳ ସାମୁଦ୍ରିକ ପ୍ରାଣୀମାନଙ୍କର ସୁରକ୍ଷା ଅଞ୍ଚଳ ବୋଲି ଚିହ୍ନଟ କରିଥିଲେ । ଏହି ରିପୋର୍ଟ ପରେ ୧୯୭୫ରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଏଠାରେ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons