ଚିଲିକା,(ବି.ବି.ନୁ୍ୟଜ୍): ବାଲୁଗାଁ ଥାନା ଅଧିନସ୍ଥ ଗଙ୍ଗାନଗର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ଗଳାକାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ସନେ୍ଦହ କରି ଛାତ୍ରୀଙ୍କ ଭାଉଜ କାବେରୀ ଓ ସେହି ଗ୍ରାମର ବିଭୁ ବେହେରାକୁ ପୁଲିସ୍ ଅଟକ ରଖି ପଚରାଉଚରା ଜାରି ରଖିଥିଲା । ଶିବାନୀଙ୍କ ମାଆ ସେହି ଗ୍ରାମର ଯୁବକ ବିଭୁ ବେହେରା ଏଭଳି କାଣ୍ଡ ଭିଆଇଥିବା ପୁଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଥିଲେ । ତାଙ୍କ ବୟାନ ଅନୁଯାୟୀ ଶନିବାର ରାତ୍ରିଠାରୁ ପୁଲିସ ବିଭୁ ଓ କାବେରୀକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା । ରବିବାର ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫ୍କ୍ ଟିମ୍ ସରଜମିନ୍ ତଦନ୍ତ କରିଥିଲେ । ଏହି ତଦନ୍ତର ସୁରାକ ପାଇଁ ପୁଲିସ ରକ୍ତଭିଜା ଲୁଗା, ଛୁରୀ ଓ ଆଙ୍ଗୁଳି ଛାପକୁ ଭିତ୍ତିକରି ଭାଉଜ କାବେରୀକୁ ଜେରା କରିଥିଲା । ଜେରାବେଳେ କାବେରୀ ସବୁକଥା ମାନିଯାଇ ନିଜେ ଶିବାନୀକୁ ମାରିଦେଇଥିଲା ବୋଲି ପ୍ରକାଶ କରିଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶିବାନୀର ଭାଇ ଦିଲ୍ଲୀପ ବେହେରା ୬ ମାସ ତଳେ କୁହୁଡ଼ି ଥାନା ଅଧିନସ୍ଥ ହାଟସାହି ଗ୍ରାମର ବୈକୁଣ୍ଠ ବେହେରାଙ୍କ ଝିଅ କାବେରୀକୁ ପ୍ରେମ ବିବାହ କରିଥିଲେ । ବିନା ଯୌତୁକରେ ବିବାହ ସମ୍ପନ୍ନ ହୋଇଥିବାରୁ ନଣନ୍ଦ ଓ ଭାଉଜ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ଏପରି ସ୍ଥଳେ କୋଡ଼ିଏ ଦିନ ପୂର୍ବରୁ କାବେରୀ ନଣନ୍ଦ ଶିବାନୀକୁ ଜୀବନରେ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଶନିବାର କାବେରୀ ରୁଟି ବେଲୁ ଥିବା ସମୟରେ ଶିବାନୀ ଟିଭି ଦେଖୁଥିଲେ । କାବେରୀ ଯେତେବେଳେ ଟିଭି ଦେଖିବା ପାଇଁ ଆସିଲେ ଶିବାନୀ ଭାଉଜକୁ ବିଭିନ୍ନ ଭାଷାରେ ଗାଳି ଦେବା ସହ ଟିଭି ଦେଖିବା ପାଇଁ ମନା କରିକରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ କାବେରୀ ଏକ ଛୁରୀ ସାହାଯ୍ୟରେ ଶିବାନୀ ଗଳା କାଟି ଦେଇଥିଲା । କେହି ଜଣେ ଘରେ ପଶି ଶିବାନୀକୁ ମାରିଦେଇଛି ବୋଲି କାବେରୀ ସ୍ୱାମୀଙ୍କୁ କହିବା ପରେ ଏହି ଘଟଣାଟି ପ୍ରଘଟ ହୋଇଥିଲା ।
ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ, ଏସ୍ଡିପିଓ ସୁନୀଲ କୁମାର ମହାନ୍ତି, ଭାରପ୍ରାପ୍ତ ଥାନା ଅଧିକାରୀ ଉମାକାନ୍ତ ମହାଲିକ୍, ଡଗସ୍କ୍ୱ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ପର୍ଦ୍ଧାଫାସ୍ କରି କାବେରୀ ବେହେରାକୁ କେଶ୍ ନଂ ୧୬୦/୧୯, ଦଫା ୩୦୨ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣା ବାଲୁଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
Comments are closed, but trackbacks and pingbacks are open.